ବିଶ୍ୱ ବାଣିଜ୍ୟ ସଂଗଠନକୁ ଧମକାଇଲେ ଟ୍ରମ୍ପ୍ ! କହିଲେ ସର୍ତ୍ତ ନମାନିଲେ ସଂସ୍ଥାରୁ ଓହରିଯିବ ଆମେରିକା

32

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବେ ପୁଣି ଚର୍ଚ୍ଚାକୁ ଆସିଯାଇଛନ୍ତି । ଅତୀତରେ ଆମେରିକା ଅର୍ଥନୀତି ପାଇଁ ସଂରକ୍ଷଣଧର୍ମୀ ନୀତି ଗ୍ରହଣ କରିବା ସହିତ ଚୀନ୍‌ ସହିତ ବାଣିଜ୍ୟ ଯୁଦ୍ଧ ଘୋଷଣା କରି ସାରିଥିବା ଟ୍ରମ୍ପ୍‌ ଏବେ ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ)କୁ ଧମକାଇଛନ୍ତି । ଡବ୍ଲ୍ୟୁଟିଓ ନିଜେ କଠୋର ନହେଲେ ଆମେରିକା ଏହି ସଂଗଠନରୁ ନିଜେ ଓହରିଯିବ ବୋଲି ଟ୍ରମ୍ପ୍‌ କହିଛନ୍ତି । ଖବର ସରବରାହ ସଂସ୍ଥା ବ୍ଲୁମ୍‌ବର୍ଗକୁ ଦେଇଥିବା ସାକ୍ଷାତକାରରେ ଟ୍ରମ୍ପ ଏହା କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ୧୯୯୫ ମସିହାରେ ବିଶ୍ୱ ବାଣିଜ୍ୟ ସଂଗଠନ ଗଠନ ହୋଇଥିଲା । ଏହି ସଂଗଠନ ଗଠନ ପାଇଁ ହୋଇଥିବା ରାଜିନାମାକୁ ସବୁଠୁ ଖରାପ ବାଣିଜ୍ୟ ରାଜିନାମା ବୋଲି ଟ୍ରମ୍ପ କହିଛନ୍ତି । ଡବ୍ଲ୍ୟୁଟିଓରୁ ଯଦି ଆମେରିକା ଓହରିଯାଏ ତାହେଲେ ଚୀନ୍‌ ଓ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧ ତୁଳନାରେ ବହୁ ଅଧିକ ମାତ୍ରାରେ ପ୍ରଭାବ ବିଶ୍ୱ ଅର୍ଥନୀତି ଉପରେ ପଡ଼ିବ ।

ଗତମାସରେ ଟ୍ରମ୍ପ କହିଥିଲେ ଗତ କିଛି ବର୍ଷ ହେଲା ଡବ୍ଲ୍ୟୁଟିଓରେ ଆମେରିକାକୁ ଠିକଣା ଢଙ୍ଗରେ ଦେଖାଯାଉନାହିଁ । ତେଣୁ ଜେନେଭାସ୍ଥିତ ଏହି ସଂଗଠନ ତାହାର କାର୍ଯ୍ୟଧାରାରେ ପରିବର୍ତ୍ତନ ଆଣିବା ଆବଶ୍ୟକ ବୋଲି ସେ କହିଥିଲେ । ଚୀନ୍‌କୁ ୨୦୦୧ ମସିହାରେ ଡବ୍ଲ୍ୟୁଟିଓର ସଦସ୍ୟତା ପ୍ରଦାନ କରାଯାଇଥିଲା । ଚୀନ୍‌କୁ ଡବ୍ଲ୍ୟୁଟିଓର ସଦସ୍ୟତା ପ୍ରଦାନ କରିବା ସବୁଠାରୁ ବଡ଼ ତ୍ରୁଟି ଥିଲା ବୋଲି ଆମେରିକାର ବାଣିଜ୍ୟ ପ୍ରତିନିଧି ରବର୍ଟ ଲିଗଥାଇଜର କହିଛନ୍ତି । ଡବ୍ଲ୍ୟୁଟିଓର ବିବାଦ ସମାଧାନ ବ୍ୟବସ୍ଥା ଆମେରିକାର ସାର୍ବଭୌମତ୍ୱରେ ହସ୍ତକ୍ଷେପ କରିଛି । ତେଣୁ ଡବ୍ଲ୍ୟୁଟିଓ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ସେ ମତ ଦେଇ ଆସିଛନ୍ତି । ଗତବର୍ଷ ଏକ ବିବାବରେ ଆମେରିକା ଡବ୍ଲ୍ୟୁଟିଓରେ ଜିତିଥିଲା । ଏହାଛଡ଼ା ଆମେରିକା କ୍ୱଚିତ ଡବ୍ଲ୍ୟୁଟିଓରେ ଜିତିଛି ବୋଲି ଟ୍ରମ୍ପ କହିଛନ୍ତି । ଗତବର୍ଷ ଆମେରିକା ଜିତିବାର କାରଣ ସମ୍ପର୍କରେ ଟ୍ରମ୍ପ କହିଛନ୍ତି ଯେ ଡବ୍ଲ୍ୟୁଟିଓ ଜାଣି ସାରିଥିଲା ଯଦି ତାଙ୍କ ଦେଶ ଏଥିରେ ବିଜୟ ନହୁଏ ତାହେଲେ ଡବ୍ଲ୍ୟୁଟିଓର ଦେଶ ବାହାରି ଆସିବ ।