ହାଫିଜ ବିରୋଧରେ ପାକ କାର୍ଯ୍ୟାନୁଷ୍ଠାନକୁ ଆମେରିକାର ସନ୍ଦେହ : ଆତଙ୍କବାଦୀର ଗିରଫଦାରୀକୁ ଲୋକଦେଖାଣିଆ କହିଲା ଟ୍ରମ୍ପ ପ୍ରଶାସନ

274

କନକ ବ୍ୟୁରୋ : ଆତଙ୍କବାଦୀ ହାଫିଜ୍ ସୟିଦକୁ ଗିରଫ କରି ଗୋଟିଏ ପଟେ ପାକ୍ ନିଜ ଛବି ସୁଧାରିବା ପାଇଁ ଆପ୍ରାଣ ଚେଷ୍ଟା କରୁଛି । ହେଲେ ପାକିସ୍ତାନ ଉପରେ କିନ୍ତୁ ଟ୍ରମ୍ପ ପ୍ରଶାସନର ଭରସା ନାହିଁ । ବିଶ୍ୱ ଆତଙ୍କବାଦୀ ହାଫିଜର ଗିରଫଦାରୀକୁ ନେଇ ଖୁସି ନୁହେଁ ଆମେରିକା । ପାକିସ୍ତାନର କାର୍ଯ୍ୟାନୁଷ୍ଠାନକୁ ନେଇ ସନ୍ଦେହ ପ୍ରକାଶ କରିଛି ଟ୍ରମ୍ପ ପ୍ରଶାସନ । କାରଣ ୨୦୦୧ ଡିସେମ୍ବରରୁ ପାକିସ୍ତାନରରେ ୭ ଥର ଗିରଫ ହେଲାଣି ଏହି ଆତଙ୍କୀ ସର୍ଦ୍ଦାର । ଭାରତୀୟ ସଂସଦ ଉପରେ ଆକ୍ରମଣ ପରେ ଭାରତର ଦାବି ମୁତାବକ ପ୍ରଥମେ ହାଫିଜକୁ ଜେଲ ହାଜତକୁ ପଠାଇଥିଲା ଇସଲାମାବାଦ୍ । ଏହା ପରଠୁ ବାରମ୍ବାର ଗୃହ ବନ୍ଦୀ ଓ ନଜର ବନ୍ଦୀ ହୋଇଥିଲେ ବି କୋର୍ଟରୁ ମୁକୁଳିଆସିଛି ।

ତେଣୁ ପାକ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଆମେରିକା ଗସ୍ତ ପୂର୍ବରୁ ହାଫିଜକୁ ଗିରଫ କରି ଟ୍ରମ୍ପଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି ପାକିସ୍ତାନ । ହେଲେ ଆମେରିକା ସ୍ପଷ୍ଟ କରିଦେଇଛି, ଆତଙ୍କବାଦ ବିରୋଧରେ ଠୋସ ପଦକ୍ଷେପ ନେଉ ପାକିସ୍ତାନ । ଏପରିକି ପାକିସ୍ତାନ ମାଟିରେ ଲସ୍କର ଇ ତୋଇବା , ଜୈଓ ଏ ମହମ୍ମଦ ଓ ଫଲାନ ଇ ଇନସାନିଅତ ଭଳି ଆତଙ୍କବାଦୀ ସଂଗଠନ ଉପରେ ସମ୍ପୂର୍ଣ୍ଣ ରୋକ ନଲାଗିବା ଯାଏଁ ପାକିସ୍ତାନ ଉପରେ ବିଶ୍ୱାସ କରିହେବନି ବୋଲି ଆମେରିକା କହିଛି ।