ହ୍ୱାଇଟ ହାଉସ ବାହାରେ ଚାଲିଲା ଗୁଳି । ଆମେରିକା ରାଷ୍ଟ୍ରପତି ଡେନାଲ୍ଡ୍ ଟ୍ରମ୍ପଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର । ଘଟଣା ବେଳେ ଟ୍ରମ୍ପଙ୍କ ଚାଲିଥିଲା ପ୍ରେସବାର୍ତ୍ତା । ନିୟନ୍ତ୍ରଣରେ ପରିସ୍ଥିତି

393

କନକ ବ୍ୟୁରୋ : ହ୍ୱାଇଟ ହାଉସ ବାହାରେ ଗୁଳିକାଣ୍ଡ । ଆମେରିକାର ସବୁଠୁ ସୁରକ୍ଷିତ ଓ କଡା କଟକଣାରେ ଥିବା ହ୍ୱାଇଟ ହାଉସ ବାହାରେ ଫୁଟିଛି ଗୁଳି । ହ୍ୱାଇଟ ହାଉସ ବାହାରେ ଜଣେ ସଶସ୍ତ୍ର ବ୍ୟକ୍ତିଙ୍କୁ ଗୁଳି କରିଛନ୍ତି ସିକ୍ରେଟ ସର୍ଭିସ ଗାର୍ଡ । ପ୍ରେସମିଟରେ ଏହି ସୂଚନା ଦେଇଛନ୍ତି ଖୋଦ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଗତକାଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ୱାଉଟ ହାଉସରେ ପ୍ରେସମିଟ କରୁଥିବା ବେଳେ ଗୁଳି ଶବ୍ଦ ଶୁଣାଯାଇଥିଲା । ଗୁଳି ଶବ୍ଦ ଶୁଣି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ ସିକ୍ରେଟ ସର୍ଭିସ ଗାର୍ଡ ।

ତୁରନ୍ତ ରାଷ୍ଟ୍ରପତିଙ୍କ ପ୍ରେସମିଟକୁ ଅଟକାଇ ଟ୍ରମ୍ପଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଯାଇଥିଲେ । ଏହାର କିଛି ସମୟ ପରେ ପୁଣି ସାମ୍ବାଦିକ ସମ୍ମିଳନୀକୁ ଆସି ଟ୍ରମ୍ପ କହିଥିଲେ ହ୍ୱାଇଟ ହାଉସ ବାହାରେ ଗୁଳିକାଣ୍ଡ ହୋଇଛି । ହେଲେ ଗୁଳି କରିଥିବା ବ୍ୟକ୍ତିଙ୍କୁ ହ୍ୱାଇଟ ହାଉସର ନର୍ଥ ଲେନରେ କାବୁ କରିଛନ୍ତି ସିକ୍ରେଟ ସର୍ଭିସ ଗାର୍ଡ । ଅଭିଯୁକ୍ତକୁ ଗୁଳି ମାଡ କରାଯାଇଛି ଓ ଏବେ ସ୍ଥିତି ନିୟନ୍ତ୍ରଣରେ ଥିବା କହିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ଏଥିସହ ପ୍ରଭାବୀ କାର୍ଯ୍ୟାନୁଷ୍ଠାନ ପାଇଁ ସିକ୍ରେଟ ସର୍ଭିସ ଗାର୍ଡଙ୍କୁ ସେ ଧନ୍ୟବାଦ ଦେଇଥିଲେ । ସୁରକ୍ଷା କର୍ମୀଙ୍କ ଗୁଳିମାଡରେ ଆହତ ଅଭିଯୁକ୍ତକୁ ହସ୍ପିଟାଲ ନିଆଯାଇଥିବା ସୂଚନା ମିଳିଛି ।