ମହାଭାରତ ସମୟରେ ମଧ୍ୟ ବ୍ୟବହାର ହେଉଥିଲା ଇଂଟରନେଟ୍ : ତ୍ରିପୁରାର ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବଙ୍କ ଦାବି ପରେ ଘନେଇଲା ବିବାଦ

Advertisment
ମହାଭାରତ ସମୟରେ ମଧ୍ୟ ବ୍ୟବହାର ହେଉଥିଲା ଇଂଟରନେଟ୍ : ତ୍ରିପୁରାର ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବଙ୍କ ଦାବି ପରେ ଘନେଇଲା ବିବାଦ

IMAGE COURTESY-https://www.patrika.com

ମହାଭାରତ ଯୁଗରୁ ଦେଶରେ ଇଣ୍ଟରନେଟ୍‌ ଓ ସାଟେଲାଇଟ୍‌ ମହଜୁଦ୍‌ ରହିଥିଲା ଏବଂ ଲକ୍ଷ ଲକ୍ଷ ବର୍ଷ ପୂର୍ବରୁ ଭାରତରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ସଂପନ୍ନ ପ୍ରଯୁକ୍ତିବିଦ୍ୟାର ଉଦ୍ଭାବନ ହୋଇ ସାରିଥିଲା । ଏପରି ବୟାନ ଦେଇ ବିବାଦ ଘେରରେ ଅଛନ୍ତି ତ୍ରିପୁରାର ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ । ତେବେ ସେ ଦେଇଥିବା ବକ୍ତବ୍ୟକୁ ଯେଉଁମାନେ ସମାଲୋଚନା କରୁଛନ୍ତି, ସେମାନେ ସମସ୍ତେ ସଂକୀର୍ଣ୍ଣମନା ଓ ଅନ୍ୟମାନଙ୍କୁ ବିଭ୍ରାନ୍ତ କରୁଛନ୍ତି, ବୋଲି କହିଛନ୍ତି ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ ।

ଏଥିସହ ନିଜ ସମାଲୋଚକମାନଙ୍କୁ ପରାମର୍ଶ ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ ଶ୍ରୀ ଦେବ କହିଛନ୍ତି, ‘ସେମାନେ ନିଜ ଦେଶକୁ ଛୋଟ କରି ଅନ୍ୟ ଦେଶକୁ ବଡ଼ ବୋଲି ଭାବୁଛନ୍ତି । ତେଣୁ, ସେମାନେ ସତ୍ୟ ଓ ବାସ୍ତବତାକୁ ସ୍ୱୀକାର କରନ୍ତୁ  ।  ନିଜେ ବିଭ୍ରାନ୍ତ ହୁଅନ୍ତୁ ନାହିଁ କି ଅନ୍ୟମାନଙ୍କୁ ମଧ୍ୟ ବିଭ୍ରାନ୍ତ କରନ୍ତୁ ନାହିଁ ।

ଉଲ୍ଲେଖଯୋଗ୍ୟ, ଗତ ମଙ୍ଗଳବାର ଦିନ ଏକ ଉତ୍ସବରେ ଭାଷଣ ଦେବା ଅବସରରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ଶ୍ରୀ ଦେବ କହିଥିଲେ, ‘ଏ ଦେଶ ହେଉଛି ଏପରି ଏକ ଦେଶ, ଯେଉଁଠି କୁରୁକ୍ଷେତ୍ରରେ ହୋଇଥିବା ୧୮ ଦିନ ବ୍ୟାପି ମହାଭାରତ ଯୁଦ୍ଧର ସିଧାସଳଖ ପ୍ରତ୍ୟକ୍ଷଦର୍ଶୀ ବିବରଣୀ ସଞ୍ଜୟ ଯୁଦ୍ଧକ୍ଷେତ୍ର ଠାରୁ ଦୂରରେ ରହି ଅନ୍ଧ ଧ୍ରୁତରାଷ୍ଟ୍ରଙ୍କୁ ପ୍ରଦାନ କରିଥିଲେ । ଏହାର ଅର୍ଥ ସେତେବେଳେ ବି ପ୍ରଯୁକ୍ତିବିଦ୍ୟା ଥିଲା, ଇଣ୍ଟରନେଟ୍‌ ଥିଲା ଆଉ ସାଟେଲାଇଟ୍‌ ବି ଥିଲା ।

ଏଥିସହ ସେ କହିଥିଲେ, ‘ହଜାର ହଜାର ବର୍ଷ ପୂର୍ବରୁ ଭାରତରେ ଅତ୍ୟାଧୁନକ ବୈଷୟିକ ଜ୍ଞାନକୌଶଳ ସଂପନ୍ନ ପ୍ରଯୁକ୍ତିବିଦ୍ୟାର ଉଦ୍ଭାବନ ହୋଇ ସରିଥିଲା ଏବଂ ନ୍ୟାସନାଲ ଇଡ଼୍‍ଫରମାଟିକ୍ସ ସେଣ୍ଟର (ଏନ୍‌ଆଇସି) ଆଜି ଏହାକୁ କେବଳ ବ୍ୟବହାର କରୁଛି ମାତ୍ର । ମୁଁ ଏନ୍‌ଆଇସିକୁ ତା’ର କାର୍ଯ୍ୟ ପାଇଁ ଧନ୍ୟବାଦ ଜଣାଉଛି, ତେବେ ଗୋଟେ କଥା ମନେରଖ ଏ ପ୍ରଯୁକ୍ତିବିଦ୍ୟାର ଉଦ୍ଭାବକ ତୁମେମାନେ ନୁହଁ । ତୁମର ବହୁ ପୂର୍ବରୁ ଏହାର ଉଦ୍ଭାବନ ହୋଇସାରିଥିଲା ।

ଯଦିଓ ଯୁରୋପିଆନ ରାଷ୍ଟ୍ରମାନେ ଦାବି କରୁଛନ୍ତି ଯେ ଏହାକୁ ସେମାନେ ଉଦ୍ଭାବନ କରିଛନ୍ତି ବୋଲି ତଥାପି ପ୍ରକୃତ କଥା ସେମାନେ ମଧ୍ୟ ଜାଣି ରଖିବା ଉଚିତ୍‌ ଯେ ଏ ଅତ୍ୟାଧୁନକ ବୈଷୟିକ ଜ୍ଞାନକୌଶଳ ସଂପନ୍ନ ପ୍ରଯୁକ୍ତିବିଦ୍ୟା ହେଉଛି ଆମର । ତ୍ରପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବଙ୍କ ଏହି ବକ୍ତବ୍ୟ ପରିପ୍ରେକ୍ଷୀରେ ଅନେକ ତାଙ୍କର ସମାଲୋଚନା କରିବା ସହ ତାଙ୍କୁ କଟାକ୍ଷ ମଧ୍ୟ କରିଥିଲେ । ତେବେ, ଆଜି ନିଜ ସମାଲୋଚକମାନଙ୍କୁ ଜବାବ ଦେବାକୁ ଯାଇ ଶ୍ରୀ ଦେବ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe