ରାସ୍ତା ପାଇଁ ବଳିପଡ଼ିବ ୧୧ଶହ ଗଛ : ସୁବର୍ଣ୍ଣପୁରରେ ୩କିଲୋମିଟର ରାସ୍ତା ପ୍ରଶସ୍ତିକରଣ ପାଇଁ ଗଛ କାଟିବାକୁ ନିଷ୍ପତ୍ତି, ସ୍ଥାନୀୟ ଲୋକଙ୍କ ବିରୋଧ

135

କନକ ବ୍ୟୁରୋ : ରାସ୍ତା ପ୍ରଶସ୍ତିକରଣ ପାଇଁ ହେବ ଗଛକଟା । ସୁବର୍ଣ୍ଣପୁରରେ ଗଛ ଲଗାଇବା ବଦଳରେ ଗଛ କାଟିବା ପାଇଁ ନିଷ୍ପତ୍ତି ନେଇଛି ଗୃହ ଓ ପର୍ତ୍ତ ବିଭାଗ । ହେଲେ ଏହାକୁ ବିରୋଧ କରିଛନ୍ତି ସହରବାସୀ । ପୂର୍ବରୁ ରାସ୍ତା ପ୍ରଶସ୍ତିକରଣ ପାଇଁ ଅନେକ ଗଛ କଟାଯାଇଛି । ବିକାଶ ନାଁରେ ଜିଲ୍ଲାର ସଦର ମହକୁମା ବୃକ୍ଷଶୂନ୍ୟ ହେବାରେ ଲାଗିଛି ।

ବୃକ୍ଷଶୂନ୍ୟ ହେବ ସୁବର୍ଣ୍ଣପୁର । ସହରର ବିଭିନ୍ନ ରାସ୍ତା ପ୍ରଶସ୍ତିକରଣ ନାଁରେ ପୁରୁଣା ଗଛସବୁ ଉନ୍ନୟନ ନାଁରେ କାଟି ଦେବା ପାଇଁ ନିଷ୍ପତି ହୋଇଛି । ମହାନଦୀରୁ ତେଲନଦୀ ଯାଏଁ ଫୋର୍ ଲେନ୍ ରାସ୍ତା ପାଇଁ ପ୍ରାୟ ୮ବର୍ଷ ତଳେ ଲାଗିଥିବା ଗଛସବୁ ଗୃହ ଓ ପୂର୍ତ୍ତ ବିଭାଗ କାଟିବା ପାଇଁ ନିଷ୍ପତି ନିଆଯାଇଛି । ଫଳରେ ସହରରେ ଆଉ ଏହି ଗଛ ସବୁ ଦେଖିବାକୁ ମିଳିବନାହିଁ । ଏବଂ ତାତି ମଧ୍ୟ ବଢିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଥିବା ଗ୍ରୀନ ମହାନଦୀ ମିଶନ ଫେଲ ମାରିଥିବା ଦେଖିବାକୁ ମିଳିଛି । ସହରର ଜନସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାସ୍ତାର ପ୍ରଶସ୍ତିକରଣ ଜରୁରୀ ହୋଇଛି । କିନ୍ତୁ ଗଛ କାଟିବା ବଦଳରେ ଅନ୍ୟସ୍ଥାନକୁ ସ୍ଥାନାନ୍ତରିଣ କରି ନୂଆ ଜାଗାରେ ଗଛ ଲଗାଇବାକୁ ଦାବି ହେଉଛି ।

ମହାନଦୀ ପୋଲରୁ ତେଲନଦୀ ପର୍ଯ୍ୟନ୍ତ ୩କିଲୋମିଟର ରାସ୍ତା ପ୍ରଶସ୍ତିକରଣ ପାଇଁ ପ୍ରାୟ ୧୧ଶହ ଗଛ କଟାଯିବ । ଯାହାକୁ ନେଇ ସହରର ବୁଦ୍ଧୀଜୀବୀ ଓ ସ୍ୱେଚ୍ଛାସେବୀ ସଂଗଠନ ଏହାକୁ ବିରୋଧ କରିଛନ୍ତି । ଅପରପକ୍ଷରେ ଗକ୍ତସବୁ ନକାଟି ସେସବୁକୁ ସ୍ଥାନାନ୍ତରିତ କରିବା ପାଇଁ ଉଦ୍ୟମ କରାଯାଉଥିବା ଜିଲ୍ଲା ବନ ଅଧିକାରୀ କହିଛନ୍ତି । ସହରର ଜନସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ଗଛ କାଟିବା ତାପମାତ୍ରା ଉପରେ ପ୍ରଭାବ ପକାଇବ । ଏଥିପାଇଁ ଜରୁରୀ ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତି ଦେଇଛି ବନବିଭାଗ ।