ତୃତୀୟ କରୋନା ରୋଗୀଙ୍କର ରହିଛି ଲମ୍ବା ଟ୍ରାଭେଲ୍ ହିଷ୍ଟ୍ରି : ଇଣ୍ଡିଗୋ 6E2014 ଫ୍ଲାଇଟ ଯୋଗେ ଦିଲ୍ଲୀରୁ ଭୁବନେଶ୍ୱର ଆସିଥିଲେ ସଂକ୍ରମିତ ବ୍ୟକ୍ତି, ରହିଛି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ . .ପଢ଼ନ୍ତୁ ପୁରା ରିପୋର୍ଟ

4,768

କନକ ବ୍ୟୁରୋ : ରାଜ୍ୟରେ ତୃତୀୟ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବା ପରେ ଚାରିଆଡ଼େ ଚର୍ଚ୍ଚା । ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ  ଆସିଥିବା ବ୍ୟକ୍ତିମାନେ କ୍ୱାରେଣ୍ଟାଇନରେ ରହିବା ସହ ତୁରନ୍ତ ୧୦୪ ନମ୍ବରକୁ କଲ୍ କରି ସରକାରଙ୍କ ସହ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଛି ।

ସଂକ୍ରମିତ ବ୍ୟକ୍ତିଜଣଙ୍କର ଏକ ଲମ୍ବା ଟ୍ରାଭେଲ୍ ହିଷ୍ଟ୍ରି ରହିଛି । ମାର୍ଚ୍ଚ ୭ରେ ଦିଲ୍ଲୀ ଯାଇ ସେଠୁ ହରିୟାଣାର ରେୱାଡି ଯାଇଥିଲେ ଓଡ଼ିଶାର ତୃତୀୟ କରୋନା ସଂକ୍ରମିତ ବ୍ୟକ୍ତି ।  ଆଉ ତା’ପରେ ମାର୍ଚ୍ଚ ୧୦ ତାରିଖ ଦିନ ସନ୍ଧ୍ୟା ୭ଟା ସମୟରେ ଇଣ୍ଡିଗୋ 6E2014 ଫ୍ଲାଇଟ ଯୋଗେ ଦିଲ୍ଲୀରୁ ଭୁବନେଶ୍ୱର ଆସିଥିଲେ  ।  ଭୁବନେଶ୍ୱର ଆସିବା ସମୟରେ ସିଟ ନମ୍ବର ୧୫-A, B, C ରେ ସେ ତାଙ୍କ ପତ୍ନୀ ଆଉ ଝିଅ ବସିଥିଲେ । ୧୩ ମାର୍ଚ୍ଚରେ ଅସୁସ୍ଥତା ଅନୁଭବ କଲେ । ଆଉ ୧୬ ମାର୍ଚ୍ଚରେ ଏହି ବ୍ୟକ୍ତିଜଣଙ୍କ ବିଧାନସଭା ଡିସପେନସରୀକୁ ଯାଇଥିଲେ । ଏହାପରେ ୨୧ତାରିଖରେ କର କ୍ଲିନିକକୁ ଯାଇଥିଲେ । ୨୩ ତାରିଖରେ ତାଙ୍କୁ କର କ୍ଲିନିକରେ ଆଡମିଟ୍ କରାଯାଇ ଆଇସିୟୁରେ ଚିକିତ୍ସା କରାଯାଇଥିଲା । ୨୪ ତାରିଖରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା । ଏବଂ ୨୫ ତାରିଖ ଦିନକ ସେ କ୍ୟାପିଟାଲ ହସ୍ପିଟାଲକୁ ଆସିଥିଲେ । ସେଠାରେ ତାଙ୍କୁ ଆଡମିଟ କରାଯାଇଥିଲା । ଏବଂ ଗତକାଲି ସେ ପଜିଟିଭ ଥିବା ନେଇ ରିପୋର୍ଟ ଆସିଥିଲା । ତେଣୁ ଏହି ସମୟ ଭିତରେ ସେ ଅନେକ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବାରୁ ସମୂହ ସଂକ୍ରମଣର ସତର୍କବାଣୀ ଶୁଣାଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ।

ଏହି ସମୟରେ ଉପରୋକ୍ତ ସ୍ଥାନକୁ ଯାଇଥିଲେ ନିଜକୁ ସଙ୍ଗରୋଧ ରଖନ୍ତୁ । କାରଣ ଫେଜ – ୨ରୁ ଫେଜ-୩କୁ ଯିବାର ଅନେକ ସମ୍ଭାବନା ସୃଷ୍ଟି ହୋଇଛି । ଏପରି ହେଲେ ସ୍ଥିତି ଅଣାୟତ ହେବାର ଆଶଙ୍କା ରହିଛି ।  ପ୍ରଥମତଃ ତାଙ୍କର ସ୍ତ୍ରୀ, ଝିଅ ଓ ଡ୍ରାଇଭରଙ୍କୁ ଆଇସୋଲେସନରେ ରଖାଯାଇଛି । ଏହି ସମୟ ବେଶ୍ ସମ୍ବେଦନଶୀଳ ସମୟ । ତେଣୁ ଏଥିରେ ସମସ୍ତେ ସତର୍କ ରହିବା ଦରକାର । ଆଉ ଏଥିପାଇଁ ସମୟ ପୂର୍ବରୁ ସଚେତନ ହେବାକୁ ପଡ଼ିବ ।