ଗ୍ରାହକଙ୍କୁ ଟ୍ରାଇର ନୂଆବର୍ଷ ଉପହାର : ଏବେ ମାତ୍ର ୧୩୦ ଟଙ୍କାରେ ୨୦୦ ଚ୍ୟାନେଲର ମଜା ଉଠାଇପାରିବେ ଉପଭୋକ୍ତା

1,040

କନକ ବ୍ୟୁରୋ : ମହଙ୍ଗା କେବୁଲ ଓ ଡିଟିଏଚ୍ କନେକ୍ସନରୁ ମିଳିବ ମୁକ୍ତି । ଗ୍ରାହକଙ୍କୁ ନୂଆବର୍ଷ ଉପହାର ଦେଲା ଟ୍ରାଇ । ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ଉପଭୋକ୍ତାଙ୍କ ସୁବିଧା ପାଇଁ ବଡ଼ ରିହାତି ଘୋଷଣା କରିଛି । ଏବେ ଆପଣ ମାତ୍ର ୧୩୦ ଟଙ୍କା ପଇଠ କରି ୨୦୦ଟି ଚ୍ୟାନେଲର ମଜା ଉଠାଇପାରିବେ । ନୂଆ ନିୟମ ଅନୁସାରେ ବ୍ରଡ଼କାଷ୍ଟର ୧୫ ଜାନୁୟାରୀ ପର୍ଯ୍ୟନ୍ତ ନିଜ ଚ୍ୟାନେଲର ଦର ପରିବର୍ତ୍ତନ କରିବେ । ଏବଂ ୩୦ ଜାନୁୟାରୀ ପର୍ଯ୍ୟନ୍ତ ସମସ୍ତ ଚ୍ୟାନେଲ ଗୁଡ଼ିକର ମୂଲ୍ୟ ତାଲିକା ପ୍ରକାଶିତ ହେବ । ପରିଶେଷରେ ୧ ମାର୍ଚ୍ଚ, ୨୦୨୦ରୁ ନୂଆ ଦର ଲାଗୁ ହେବ ।

ଟ୍ରାଇର ନୂଆ ନିୟମ ଅନୁସାରେ ଟିଭି ଗ୍ରାହକଙ୍କୁ ଆଶ୍ୱସ୍ତି ମିଳିବ । କେବଲ୍ ଓ ପ୍ରସାରଣ ସେବା ପାଇଁ ନୂଆ ରୂପରେଖ ପ୍ରସ୍ତୁତ କରିଛି ଟ୍ରାଇ । ଟ୍ରାଇର ନୂଆ ନିୟମ ଅନୁସାରେ ଗ୍ରାହକ କମ ମୂଲ୍ୟରେ ଅଧିକ ଚ୍ୟାନେଲ ଦେଖିପାରିବେ । ଏବେ ସୁଦ୍ଧା ଟିଭି ଗ୍ରାହକଙ୍କୁ ୧୩୦ ଟଙ୍କାରେ କେବଳ ୧୦୦ ଫ୍ରି ଟୁ ଏୟାର ଚ୍ୟାନେଲ୍ ଉପଲବ୍ଧ ହେଉଥିଲା । ଟାକ୍ସ ମିଶାଇ ଉପଭୋକ୍ତାଙ୍କୁ ୧୫୪ ଟଙ୍କା ପଇଠ କରିବାକୁ ପଡ଼ୁଥିଲା ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଫ୍ରି ଟୁ ଏୟାର ଚ୍ୟାନେଲ ପାଇଁ ଦିଆଯାଉଥିବା ମାସିକ ଶୁଳ୍କ ୧୬୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଆଉ ଏକ ବଡ଼ କଥା ହେଲେ ଘରେ କିମ୍ବା ଅଫିସରେ ଏକରୁ ଅଧିକ କନେକ୍ସନ୍ ନେଲେ ୪୦ ପ୍ରତିଶତ ରିହାତି ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛି ଟ୍ରାଇ । ବର୍ତ୍ତମାସ ସମୟରେ ଏପରି କନେକ୍ସନ ଉପରେ ଉଭୟ କନେକ୍ସନ ପାଇଁ ସମାନ ମୂଲ୍ୟ ଦେବାକୁ ପଡ଼ୁଥିଲା ।

ବିଭିନ୍ନ ପ୍ରାବଧାନର ସମୀକ୍ଷା ପରେ ୨୦୦ ଚ୍ୟାନେଲ ପାଇଁ ଟ୍ରାଇ ସର୍ବାଧିକ ଏନସିଏଫ୍ ଶୁଳ୍କ ହ୍ରାସ କରି ୧୩୦ ଟଙ୍କା କରିଦେଇଛି । କେବଳ ଏତିକି ନୁହେଁ ନିଷ୍ପତ୍ତି ଅନୁସାରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ, ଯେଉଁ ଚ୍ୟାନେଲ୍ ଗୁଡ଼ିକୁ ବାଧ୍ୟତାମୂଳକ ଘୋଷଣା କରିଥିଲା, ସେଗୁଡ଼ିକୁ ଏନସିଏଫ୍ ଚ୍ୟାନେଲ ସଂଖ୍ୟାରେ ଗଣତି କରାଯିବ ନାହିଁ । ତେବେ ଟ୍ରାଇର ନୂଆ ନିଷ୍ପତ୍ତି ଉପଭୋକ୍ତାଙ୍କ ପାଇଁ ଲାଭପ୍ରଦ ହେବ ବୋଲି ଆଶା କରାଯାଉଛି ।