କମିବ ମୋବାଇଲ୍‌ କଲ୍‌ ଦର ! ଟ୍ରାଇ ନେଲା ନିଷ୍ପତ୍ତି

21

ଦେଶର ଟେଲି ନିୟାମକ ଟ୍ରାଇ ଅନ୍ତଃସଂଯୋଗ ଚାର୍ଜ (ଆଇୟୁସି)କୁ ମିନିଟ ପିଛା ୬ ପଇସାକୁ କମାଇ ଦେଇଛି । ଆସନ୍ତା ଅକ୍ଟୋବର ପହିଲାରୁ ଏହା ଲାଗୁ ହେବ । ଏବେ ମିନିଟ୍‌ ପିଛା ଆଇୟୁସି ୧୪ ପଇସା ରହିଛି । କେବଳ ସେତିକି ନୁହେଁ ଆସନ୍ତା ୨୦୨୦ ଜାନୁଆରି ପହିଲାରୁ ଆଇୟୁସିକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରି ନେବାକୁ ଟ୍ରାଇ ନିଷ୍ପତ୍ତି ନେଇଛି । ଗୋଟିଏ ମୋବାଇଲ ସେବା ପ୍ରଦାନକାରୀ ଅନ୍ୟ ମୋବାଇଲ ସେବା ପ୍ରଦାନକାରୀର ନେଟ୍‌ଓ୍ଵର୍କ ବ୍ୟବହାର ପାଇଁ ଯେଉଁ ଫି ପ୍ରଦାନ କରିଥାଏ ତାହାକୁ ଆଇୟୁସି କୁହାଯାଇଥାଏ । ଟ୍ରାଇର ଏହି ପଦକ୍ଷେପ ଯୋଗୁଁ ନୂଆ ଟେଲିକମ୍‌ ସେବା ପ୍ରଦାନକାରୀ କମ୍ପାନି ରିଲାଏନ୍ସ ଜିଓ ବିଶେଷଭାବେ ଲାଭବାନ ହେବ ।

ତେବେ ପୁରୁଣା କମ୍ପାନି ଭାରତୀ ଏୟାରଟେଲ, ଭୋଡାଫୋନ୍‌ ଏବଂ ଆଇଡିଆ ଆଦି କମ୍ପାନି ଘାଟା ସହିବେ । ଆଇୟୁସିକୁ ସମ୍ପୂର୍ଣ୍ଣ ଉଠାଇ ଦେବା ଲାଗି ଜିଓ ଦାବି କରିଆସୁଥିବାବେଳେ ଅନ୍ୟ କମ୍ପାନି ଗୁଡ଼ିକ ଏହାକୁ ବୃଦ୍ଧି ସପକ୍ଷରେ ରହିଥିଲେ । ଏପରିକି କେତେକ କମ୍ପାନି ଆଇୟୁସିକୁ ମିନିଟ ପିଛା ୩୦ରୁ ୩୫ ପଇସା ସ୍ତରକୁ ବୃଦ୍ଧି କରିବା ପାଇଁ ଚାପ ପ୍ରୟୋଗ କରି ଆସୁଛନ୍ତି । ଏହି ପ୍ରସଙ୍ଗରେ ଟ୍ରାଇ ଗତ ୧ ବର୍ଷ ହେଲା ବିଚାରବିମର୍ଶ ଚଳାଇଥିଲା । ନୂଆ ଏବଂ ପୁରୁଣା କମ୍ପାନି ଗୁଡ଼ିକ ଆଇୟୁସି ଚାର୍ଜ ହ୍ରାସକୁ ନେଇ ଅନେକ ସମୟରେ ମୁହାଁମୁହିଁ ପରିସ୍ଥିତିକୁ ମଧ୍ୟ ଆସି ଯାଇଥିଲେ । ଆଇୟୁସି ହ୍ରାସ ଦ୍ୱାରା ଜିଓ ଲାଭରେ ରହିଲେ ମଧ୍ୟ ପୁରୁଣା କମ୍ପାନି ଗୁଡ଼ିକର ଆୟ ହ୍ରାସ ପାଇବ ।