ରଥଯାତ୍ରା ପାଇଁ ଟ୍ରାଫିକ୍ କଟକଣା : ୧୮ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା

89

କନକ ବ୍ୟୁରୋ : କାଲି ବିଶ୍ୱନିୟନ୍ତା ଜଗନ୍ନାଥଙ୍କ ଘୋଷଯାତ୍ରା । ଆଉ ସେଥିପାଇଁ ଶ୍ରୀଗୁଣ୍ଡିଚା, ବାହୁଡ଼ା ଏବଂ ସୁନାବେଶ ପାଇଁ ପୁଲିସ ପକ୍ଷରୁ ଟ୍ରାଫିକ୍‍ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଛି । ଯାନବାହନ ଚଳାଚଳର ଗତିପଥ ପରିବର୍ତନ ସହ ୧୮ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ୩୧୬ ନଂ ଜାତୀୟ ରାଜପଥ ଦେଇ ଆସୁଥିବା ସମସ୍ତ ଅନ୍ତଃରାଜ୍ୟ ସଂରକ୍ଷିତ ବସ୍‍ଗୁଡ଼ିକ ପାଇଁ ମାଳତୀପାଟପୁର ବସ୍‍ଷ୍ଟାଣ୍ଡଠାରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ସେହିପରି କୋଣାର୍କ ଆଡ଼ୁ ଆସୁଥିବା ଟୁରିଷ୍ଟ ଗାଡ଼ିଗୁଡିକ ପାଇଁ ଗ୍ରୀଡ୍‍ ଷ୍ଟେସନ୍‍ଠାରେ ଥିବା ଉଦ୍ୟାନ କୃଷି ଫାର୍ମରେ ଏବଂ କୋଣାର୍କରୁ ପୁରୀ ଆସୁଥିବା ଅନ୍ତଃରାଜ୍ୟ ଯାତ୍ରୀବାହୀ ବସ୍‍ଗୁଡ଼ିକ ପାଇଁ ଉଦ୍ୟାନ କୃଷି ଫାର୍ମରେ ପାର୍କିଂ ବ୍ୟବସ୍ଥା କରାଯାଇଛି ।

ଫେରିବା ସମୟରେ ବାଲିଘାଟ ଛକ ଓ ହରେକୃଷ୍ଣପୁର ଛକ ଦେଇ ଜାତୀୟ ରାଜପଥରେ ଯିବାର ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱରରୁ ପୁରୀ ଆସୁଥିବା ନିୟମିତ ଯାତ୍ରୀବାହୀ ବସ୍‍ଗୁଡ଼ିକ ମାଳତୀପାଟପୁରଠାରୁ ଆର୍‍ଓବି ଦେଇ ତାଳବଣିଆ ନୂତନ ପାର୍କିଂସ୍ଥଳକୁ ଆସିବ । ଫେରିବା ବେଳେ ଗ୍ରୀଡ୍‍ ଷ୍ଟେସନ୍‍ ଛକ, ବାଲିଘାଟ ଛକ, ସମଙ୍ଗରା, ବୀରହରେକୃଷ୍ଣପୁର ଦେଇ ଜାତୀୟ ରାଜପଥକୁ ବାହାରି ଗନ୍ତବ୍ୟସ୍ଥଳ ଅଭିମୁଖେ ଯିବେ । ବ୍ରହ୍ମଗିରିରୁ ପୁରୀ ଆସୁଥିବା ନିୟମିତ ଯାତ୍ରୀବାହୀ ବସ୍‍ଗୁଡ଼ିକ ମଙ୍ଗଳାଘାଟ ଛକ ନିକଟରେ ଥିବା ଫ୍ଲୋରିସ୍‍ ଇଣ୍ଡିଆ ପାର୍କିଂ ସ୍ଥଳରେ ପାର୍କିଂ କରିବେ ଏବଂ ସେହି ରାସ୍ତା ଦେଇ ଫେରିବେ । କୋଣାର୍କରୁ ପୁରୀ ଆସୁଥିବା ଯାତ୍ରୀବାହୀ ବସ୍‍ଗୁଡ଼ିକ ତାଳବଣିଆ ପାର୍କିଂ ସ୍ଥଳରେ ରହିବେ । ଫେରିବା ବେଳେ ସେହି ରାସ୍ତା ଦେଇ ଫେରିବେ ।

ଅଟୋରିକ୍ସା, କାର ଭଳି ହାଲୁକା ଯାନ ପାଇଁ ତାଳବଣିଆ ସାମ୍ନାରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ସେଠାରେ ଜାଗା ନହେଲେ ଇଣ୍ଡୋର ଷ୍ଟାଡିୟମ୍‍, ଭୂଦାନ, ତାଳବଣିଆ ଥାନା ପାର୍କିଂସ୍ଥାନରେ ପାର୍କିଂ କରିବେ । କୋଣାର୍କରୁ ପୁରୀ ଆସୁଥିବା ହାଲୁକା ଯାନଗୁଡ଼ିକ ଆଇଟିଆଇ ପାର୍କିଂ ସ୍ଥାନରେ ରହିବେ ଏବଂ ସେଠାରୁ ଫେରିବେ । ବ୍ରହ୍ମଗିରିରୁ ପୁରୀ ଆସୁଥିବା ହାଲୁକା ଯାନଗୁଡ଼ିକ ମଙ୍ଗଳହାଟ ଛକ ନିକଟରେ ଥିବା ଫ୍ଲୋରିସ୍‍ ଇଣ୍ଡିଆ ପାର୍କିଂ ସ୍ଥାନରେ ରଖାଯିବ ଏବଂ ଫେରିବା ସମୟରେ ସେହି ରାସ୍ତା ଦେଇ ଫେରିବେ । ଭୁବନେଶ୍ୱରରୁ ପୁରୀ ଆସୁଥିବା ପାସ୍‍ଧାରୀ ଯାନ ପାଇଁ ବି ଗତିପଥ ନିର୍ଦ୍ଦିଷ୍ଟ କରାଯାଇଛି । ପାସ୍‍ଧାରୀ ହାଲୁକା ଯାନଗୁଡ଼ିକ ବୀରହରେକୃଷ୍ଣପୁର ଦେଇ ଚାରିନଳା, ଅଠରନଳା, ଡାକ୍ତରଖାନା ଛକ, ସୁବାଷ ବୋଷ ଛକ, ହରିହର ଛକ, କୋକପାମ୍‍ ଛକ, ଲୋକନାଥ ରୋଡ୍‍ ଦେଇ ଲୋକନାଥ ମନ୍ଦିର ଏବଂ ଛପନଛକ ନିକଟରେ ଥିବା ପାର୍କିଂ ସ୍ଥାନରେ ରହିବେ ।

ଉକ୍ତ ପାର୍କିଂ ସ୍ଥାନ ପୂରଣ ହୋଇଯିବା ପରେ ବଳକା ଗାଡ଼ିଗୁଡ଼ିକ ଯାତ୍ରୀକା ପାର୍କିଂ ସ୍ଥାନରେ ରହିବେ । ଏହି ସ୍ଥାନ ପୂରଣ ହେବା ପରେ ପୁରୀ ଜିଲ୍ଲା ସ୍କୁଲ ଏବଂ ଏସ୍‍ସିଏସ୍‍ କଲେଜ ପଡ଼ିଆରେ ଗାଡ଼ିଗୁଡ଼ିକ ପାର୍କିଂ ହେବ । ଡାକ୍ତରଖାନା ଛକ ନିକଟରେ ଗହଳି ହେଲେ ମାଳତୀପାଟପୁର ଓଭରବ୍ରିଜ୍‍ (ଆର୍‍ଓବି) ଦେଇ ଗ୍ରୀଡ୍‍ ଷ୍ଟେସନ୍‍ ପୁରୀ ସହରକୁ ପ୍ରବେଶ କରିବେ ଏବଂ ଉପରୋକ୍ତ ପାର୍କିଂ ସ୍ଥାନରେ ଗାଡ଼ିଗୁଡ଼ିକ ପାର୍କିଂ ହେବ । ଭିଆଇପିଙ୍କୁ ଆଣିଥିବା ଏସ୍କଟ୍‍ ଗାଡ଼ିଗୁଡ଼ିକ ଲୋକନାଥ ରୋଡ୍‍ ଦେଇ ଗଦାଧର ହାଇସ୍କୁଲ ପଡ଼ିଆ ପାଖରେ ରଖାଯିବ । ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଗାଡ଼ି ଗଦାଧର ହାଇସ୍କୁଲ, ଗାଣ୍ଡୁଆ ଚୌରା ଛକ, ଉତ୍ତର ଦ୍ୱାର ଦେଇ ସୂଚନା କେନ୍ଦ୍ର ନିକଟକୁ ଆସିବେ ।

ଭିଆଇପି ପାସ୍‍ଥିବା ଗାଡ଼ିଗୁଡ଼ିକ ଫେରିବା ସମୟରେ ଲୋକନାଥ ରୋଡ୍‍, ଚାରିଅଟ୍‍ ହୋଟେଲ୍‍ ଛକର ନୂଆ ବାଇପାସ୍‍ ରାସ୍ତା, ମଙ୍ଗଳାଘାଟ ଛକ ଦେଇ ଜାତୀୟ ରାଜପଥରେ ଫେରିବେ । ଭୁବନେଶ୍ୱରରୁ ପୁରୀ ଆସୁଥିବା ଦୁଇଚକିଆ ଯାନଗୁଡ଼ିକ ବାଟଗାଁ ଛକଠାରୁ ମଙ୍ଗଳାଘାଟ ବାଇପାସ୍‍ ରାସ୍ତା ଦେଇ ମଶାଣି ଚଣ୍ଡୀ ଛକ, ଦେବୀ ଘାଟ ଦେଇ ଜଗନ୍ନାଥ ବଲ୍ଲଭ ପାର୍କିଂରେ ରଖାଯିବ । ଏହି ସ୍ଥାନ ପୂରଣ ହୋଇଗଲେ ମଶାଣି ଚଣ୍ଡୀ ନିକଟରେ ଥିବା ପାର୍କିଂ ଷ୍ଟାଣ୍ଡରେ ରଖାଯିବ । ଉକ୍ତ ସ୍ଥାନ ପୂରଣ ହୋଇଗଲେ ମଙ୍ଗଳାଘାଟଠାରୁ ବାଟଗାଁ ବାଇପାସ୍‍ ରାସ୍ତାର ଗୋଟିଏ ପଟେ ପାର୍କିଂ କରାଯିବ ।

ବ୍ରହ୍ମଗିରିରୁ ଆସୁଥିବା ଦୁଇଚକିଆ ଯାନ ଗୁଡିକ ମଶାଣି ଚଣ୍ଡୀ ଛକ ଦେଇ ଜଗନ୍ନାଥ ବଲ୍ଲଭ ପାର୍କିଂ ସ୍ଥାନରେ ରହିବ । କୋଣାର୍କ ପଟୁ ଆସୁଥିବା ଦୁଇଚକିଆ ଯାନଗୁଡ଼ିକ ଶ୍ରୀଜଗନ୍ନାଥ ଷ୍ଟାଡିୟମ୍‍ ପାର୍କିଂ ସ୍ଥାନରେ ରଖାଯିବ ଓ ସେହି ରାସ୍ତା ଦେଇ ଫେରିବ । ଟାଉନ୍‍ ବସ୍‍ ଓ ସିଟି ବସ୍‍ମାନଙ୍କ ପାଇଁ ବି ନିର୍ଦ୍ଦିଷ୍ଟ ବ୍ୟବସ୍ଥା କରାଯାଇଛି । ୨୦ଟି ଟାଉନ୍‍ ବସ୍‍ ଏବଂ ସିଟି ବସ୍‍ ମାଳତୀପାଟପୁର ବସ୍‍ଷ୍ଟାଣ୍ଡଠାରୁ ଯାତ୍ରୀମାନ ନେବା ଆଣିବାର ବ୍ୟବସ୍ଥା କରାଯାଇଛି । ୧୦ଟି ଟାଉନ୍‍ ବସ୍‍ ଏବଂ ସିଟି ବସ୍‍ ପୁରୀ ରେଳ ଷ୍ଟେସନ୍‍ରୁ ଅର୍ବାନ୍‍ ହାଟ, ସୁବାଷ ବୋଷ ଛକ, ବେଳାଭୂମି ରାସ୍ତା ଦେଇ ହଂସ କୋକୋପାମ୍‍ ହୋଟେଲ୍‍ ଛକ ପର୍ଯ୍ୟନ୍ତ ଯାତାୟାତ କରିବ ।

ଅଟୋଗୁଡ଼ିକ ଗରୁଡ଼ ଛକ ଆଡ଼କୁ ଯିବା ଉପରେ କଟକଣା ଲଗାଯାଇଛି । ସେହିପରି ବଡ଼ଦାଣ୍ଡ ସଂଲଗ୍ନ ରାସ୍ତା ଉପରେ ବି ଯାତାୟାତ କଟକଣା ଲାଗୁ ହୋଇଛି। ଆମ୍ବୁଲାନ୍ସ, ଦମକଳ ଗାଡ଼ି ଭଳି ଜରୁରୀକାଳୀନ ସେବାରେ ନିୟୋଜିତ ଗାଡ଼ି ବ୍ୟତୀତ ଅନ୍ୟ କୌଣସି ଗାଡ଼ି ସକାଳ ୬ଟା ପରେ ବଡ଼ଦାଣ୍ଡକୁ ଯିବାକୁ ଦିଆଯିବନି । ଜରୁରୀକାଳୀନ ଡ୍ୟୁଟିରେ ଥିବା ଯାନଗୁଡ଼ିକ ଜନଗହଳିକୁ ଦେଖି ଟାଉନ୍‍ ଥାନା ପର୍ଯ୍ୟନ୍ତ ଯିବେ । ଡ୍ୟୁଟି ପାସ୍‍ ଥିବା ଗାଡ଼ିଗୁଡ଼ିକ ଜିଲ୍ଲା ସ୍କୁଲ ଏବଂ ଆୟୁର୍ବେଦିକ୍‍ କଲେଜ ପାର୍କିଂ ସ୍ଥାନରେ ରହିବ ।