କନକ ବ୍ୟୁରୋ : ଗାଡ଼ି ଚାଳକମାନେ ସାବଧାନ । ଡିସେମ୍ବର ପହିଲାରୁ ସାରା ରାଜ୍ୟରେ ନୂଆ ମୋଟରଯାନ ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ । କେବଳ ଗାଡ଼ି କାଗଜପତ୍ର ଓ ଡ୍ରାଇଭିଂ ଲାଇସେନ୍ସକୁ ଛାଡ଼ି ଅନ୍ୟ ସମସ୍ତ କ୍ଷେତ୍ରରେ ନୂଆ ନିୟମ ଲାଗୁ ହେବ । ହେଲମେଟ ନ ପିନ୍ଧି ଗାଡ଼ି ଚଲାଇଲେ ଜରିମାନା ଦେବାକୁ ହେବ । ଟ୍ରାଫିକ୍ ଉଲ୍ଲଂଘନ କଲେ ବି ଜରିମାନା ଭରିବେ । ୧୦ଟି ନିୟମ ଉଲ୍ଲଂଘନ କଲେ ଜରିମାନା ଦେବାକୁ ପଡ଼ିବ । ଆଉ ଏହାକୁ କଡ଼ାକଡ଼ି ଭାବେ ଲାଗୁ କରିବା ସହ ଜରିମାନା ଆଦାୟ କରିବା ଲାଗି ଆଜି ସମସ୍ତ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଡିସିପିମାନଙ୍କୁ ନିର୍ଦେଶ ଦିଆଯାଇଛି ।
ପରିବହନ କମିସନରଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଧାର୍ଯ୍ୟ ବେଗଠାରୁ ଅଧିକ ଜୋରରେ ଗାଡ଼ି ଚଲାଉଥିବା ଚାଳକକୁ ଯାଞ୍ଚ କରାଯିବା ସହ ତାଙ୍କଠାରୁ ଜରିମାନା ଆଦାୟ ହେବ । ଏଥିସହ ଟ୍ରାଫିକ୍ ନିୟମ ତଥା ରେଡ୍ ଲାଇଟ୍ ଉଲ୍ଲଂଘନ କରିବା, ମଦ୍ୟପାନ କରି ଗାଡ଼ି ଚଲାଇବା, ଟ୍ରାଫିକର ବିପରୀତ ଦିଗରେ ଗାଡ଼ି ନେବା, ବେପରୁଆ ଗାଡ଼ି ଚାଳନା, ସିଟ୍ ବେଲ୍ଟ ନ ବାନ୍ଧିବା ଚାଳକଙ୍କୁ ଅଟକା ଯିବା ସହ ସେମାନଙ୍କଠାରୁ ଜରିମାନା ଆଦାୟ ହେବ। ବାଇକ୍ ଆରୋହୀଙ୍କୁ ମଧ୍ୟ ନିସ୍ତାର ମିଳିବ ନାହିଁ। ବାଇକ୍ରେ ତିନି ଜଣ ଯାତ୍ରା କରୁଥିଲେ, ହେଲମେଟ୍ ପିନ୍ଧି ନଥିଲେ ମଧ୍ୟ ଜରିମାନା ଆଦାୟ ହେବ । ଓଭରଲୋଡିଂ ନେଉଥିବା ବସ୍ ଓ ଟ୍ରକଗୁଡ଼ିକୁ ଯାଞ୍ଚ କରାଯିବା ସହ ଜରିମାନା ଆଦାୟ କରାଯିବ।
ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ ତିନି ମାସର କୋହଳ ପରେ ବି ଅନେକ ଚାଳକ ଗାଡ଼ିର କାଗଜପତ୍ର ଠିକ୍ କରିପାରି ନାହାନ୍ତି। ଏଥିପାଇଁ ଆଉ କିଛି ଦିନ ଲାଗିବ। ତାହାକୁ ଦୃଷ୍ଟିରେ ରଖି ଗତକାଲି ଗାଡ଼ି କାଗଜପତ୍ର ସହ ଡ୍ରାଇଭିଂ ଲାଇସେନ୍ସ ଠିକ୍ କରିବାକୁ ଚାଳକଙ୍କୁ ଫେବ୍ରୁଆରି ମାସ ପର୍ଯ୍ୟନ୍ତ ମହଲତ ଦିଆଯାଇଛି। ତେବେ ଉକ୍ତ ଦୁଇଟି କାଗଜପତ୍ର ପ୍ରସ୍ତୁତ ବ୍ୟତୀତ ଅନ୍ୟ ସବୁ କ୍ଷେତ୍ରରେ ଡିସେମ୍ବର ପହିଲାରୁ ଆଇନ କଡ଼ାକଡ଼ି ଲାଗୁ କରାଯିବ। କାରଣ ନିୟମ କଡ଼ାକଡ଼ି କରା ନ ଗଲେ ଚାଳକମାନେ ବେପରୁଆ ଭାବେ ଗାଡ଼ି ଚଲାଉଛନ୍ତି। ଦୁର୍ଘଟଣା ବି ବଢ଼ୁଛି। ତାହାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି।