କନକ ବ୍ୟୁରୋ : ରାଜଧାନୀର ସବୁଠୁ ଅଧିକ ବ୍ୟସ୍ତବହୁଳ ଛକ ‘କଳ୍ପନା ଛକ’ରେ ଏବେ ସ୍ଥିତି ସଙ୍ଗିନ ହେଲାଣି । ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଲାଗିଥିବା ସ୍ବୟଂଚାଳିତ ଟ୍ରାଫିକ୍ ସିଗନାଲ୍ ବ୍ୟବସ୍ଥା ଭିଡ଼ କମାଇବା ବଦଳରେ ବଢ଼ାଉଛି । ପ୍ରତିଦିନ, ପ୍ରତି ମୁହୂର୍ତ୍ତରେ ଦୁର୍ଘଟଣା ଘଟିବା ଭଳି ପରିସ୍ଥିତି ଉପୁଜୁଛି । ଏପରିକି କଳ୍ପନା ଛକରୁ ମ୍ୟୁଜିୟମ ଛକ ମଧ୍ୟରେ ପ୍ରତ୍ୟେକ ଦିନ ଛୋଟ ବଡ଼ ଦୁର୍ଘଟଣା ବି ଘଟୁଛି । କିନ୍ତୁ ନା ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ନା କମିସନରେଟ୍ ପୁଲିସ୍; କେହି ଏହି ଛକର ଅବ୍ୟବସ୍ଥାକୁ ସଜାଡ଼ିବାକୁ ପଦକ୍ଷେପ ନେଉଛନ୍ତି ।
କଳ୍ପନା ଛକ ଓ ମ୍ୟୁଜିୟମ ଛକର ଟ୍ରାଫିକ ବ୍ୟବସ୍ଥା ଭୁଶୁଡ଼ିବାରେ ମୁଖ୍ୟ ଖଳନାୟକ ସାଜିଛି ବିଏମ୍ସି । ବିଏମ୍ସି କର୍ତ୍ତୃପକ୍ଷଙ୍କ ବେପରୁଆ କାର୍ଯ୍ୟ ଯୋଗୁଁ ଏବେ ଏହି ଅଞ୍ଚଳରେ ଗାଡ଼ି ଚଳାଇ ଯିବା କିମ୍ବା ରାସ୍ତା ଅତିକ୍ରମ କରିବା ଲୋକଙ୍କ ପାଇଁ ଯନ୍ତ୍ରଣାଦାୟକ ହୋଇଗଲାଣି । କେବଳ ଏତିକି ନୁହେଁ, ବିଏମ୍ସି କର୍ତ୍ତୃପକ୍ଷଙ୍କ ଦୂରଦୃଷ୍ଟି ଅଭାବରୁ ଆଉ କିଛି ଦିନ ମଧ୍ୟରେ ମ୍ୟୁଜିୟମ ଛକରୁ କଳ୍ପନା ଛକ ଅତିକ୍ରମ କରିବାକୁ ଲୋକଙ୍କୁ ଅଧ ଘଣ୍ଟାରୁ ଅଧିକ ସମୟ ଲାଗିବା ଭଳି ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି ।
ପୁରୀ, କୋଣାର୍କ ପାର୍ଶ୍ବରୁ ଭୁବନେଶ୍ବରକୁ ଆସୁଥିବା ଏବଂ ଏଠାରୁ ଯାଉଥିବା ସମସ୍ତ ଗାଡ଼ି ମ୍ୟୁଜିୟମ୍ ଛକ ଓ କଳ୍ପନା ଛକ ହୋଇ ଯାଉଥିବା ବେଳେ ପୁରୁଣା ଭୁବନେଶ୍ବର ଅଞ୍ଚଳର ବାସିନ୍ଦାମାନେ ମଧ୍ୟ ଏହି ରାସ୍ତା ଦେଇ ଯାତାୟାତ କରୁଛନ୍ତି। ତେଣୁ ଏହି ରାସ୍ତାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅସମ୍ଭାଳ ଭିଡ଼ ଜମୁଛି । ହେଲେ ଏହି ରାସ୍ତାରେ ଉଠା ଦୋକାନ ଖୋଲିବାକୁ ବିଏମ୍ସି ବର୍ଷତମାମ୍ ଅନୁମତି ଦେଉଛି । ଏଠାରେ କେତେବେଳେ ଲସି ଦୋକାନ ତ କେତେବେଳେ ରାକ୍ଷୀ ଦୋକାନ, ଜୁସ୍ ଦୋକାନ ଖୋଲିବାକୁ ବିଏମ୍ସି ଅନୁମତି ଦେଉଛି ।
ବ୍ୟବସାୟୀମାନେ ଏଠାରେ ରାସ୍ତାକୁ ମାଡ଼ି ଦୋକାନ ଖୋଲୁଥିବାରୁ ଏବଂ ରାସ୍ତାରେ ଗାଡ଼ି ପାର୍କିଂ କରି ଲୋକ ଏଠାକୁ ଯାଉଥିବାରୁ ବିଭିନ୍ନ ସମୟରେ ଅଯଥା ଭିଡ଼ ଜମୁଛି । ବିଏମ୍ସି କିଛି ଉଠା ଦୋକାନୀଙ୍କୁ ଅନୁମତି ଦେଉଥିବାରୁ ଆଉ କିଛି ଏଠାରେ ବେଆଇନ ଭାବେ ଦୋକାନ ଖୋଲି ଦେଉଛନ୍ତି । ଏହାବାଦ୍ ଏହି ରାସ୍ତାରେ ବେଆଇନ ଭାବେ ଅଟୋ ଓ ଟ୍ୟାକ୍ସି ପାର୍କିଂ ହେଉଥିବାରୁ ଛକରେ ଅଯଥା ଭିଡ଼ ସୃଷ୍ଟି ହେଉଛି । ଏତିକି ଭିଡ଼ ଏବେ ରାଜଧାନୀକୁ ଆସୁଥିବା ଲୋକଙ୍କୁ ଅଣନିଶ୍ବାସୀ କରୁଥିବା ବେଳେ ଆଗକୁ ଏହା ଯନ୍ତ୍ରଣାଦାୟକ ହେବାକୁ ଯାଉଛି ।
କାରଣ ମ୍ୟୁଜିୟମ ଛକ ଉପରେ ଖୁବ୍ଶୀଘ୍ର ଖୋଲିବାକୁ ଯାଉଛି ଉତ୍କଳ-କନିକା ଗ୍ୟାଲେରିଆ ମଲ୍ । ମଲ୍ ବାହାରେ ସୌନ୍ଦର୍ଯ୍ୟକରଣ ନାମରେ ବହୁ ସରକାରୀ ଜମିକୁ ମଲ୍ କର୍ତ୍ତୃପକ୍ଷ ମାଡ଼ି ବସିଛନ୍ତି । ଯାହା ଏବେ କିଛି ମାତ୍ରାରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି କରୁଥିବା ବେଳେ ଆଗକୁ ଏହା ବଡ଼ ସମସ୍ୟାର ରୂପ ନେବାକୁ ଯାଉଛି । କାରଣ ଛକରେ ୫୦ମିଟର ଆଗରେ ଯେଉଁଠି ରାସ୍ତା ଅଛି, ମଲ୍ ସାମ୍ନାରେ ସେତିକି ଅଞ୍ଚଳରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହୋଇଛି । ମ୍ୟୁଜିୟମ ଛକ ଭଳି ବ୍ୟସ୍ତବହୁଳ ସ୍ଥାନରେ ବିଏମ୍ସି କିପରି ସୌନ୍ଦର୍ଯ୍ୟକରଣ ପାଇଁ ଅନୁମତି ଦେଲା, ସେନେଇ ଏବେ ପ୍ରଶ୍ନ ଉଠିଲାଣି ।