ପର୍ଯ୍ୟଟକ ଶୂନ୍ୟ ହେବ ପୁରୀ : ୨ ଦିନ ଭିତରେ ଶ୍ରୀକ୍ଷେତ୍ର ଛାଡିବେ ପର୍ଯ୍ୟଟକ

245

କନକ ବ୍ୟୁରୋ : ସାରା ବିଶ୍ୱକୁ ଦୋହଲାଇ ଦେଇଥିବା ମହାମାରୀ କରୋନା ଭୂତାଣୁ ଭୟରେ ପର୍ଯଟକ ଶୂନ୍ୟ ହେବ ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିରକୁ ଅଳ୍ପ ସଂଖ୍ୟକ ଭକ୍ତ ପ୍ରବେଶ କରୁଛନ୍ତି । ଉପଯୁକ୍ତ ଯାଂଚ କରାଯାଇ ଭକ୍ତଙ୍କୁ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଉଛି । ତେବେ ସୁରକ୍ଷା ଦୃଷ୍ଟିରୁ ଆଗାମୀ ୨ ଦିନ ଭିତରେ ସବୁ ପର୍ଯ୍ୟଟକଙ୍କୁ ଶ୍ରୀକ୍ଷେତ୍ର ଛାଡିବା ପାଇଁ ନିର୍ଦେଶ ଦିଆଯାଇଛି । ହୋଟେଲ ଖାଲି କରିବା ପାଇଁ ପର୍ଯ୍ୟଟକଙ୍କୁ କୁହାଯାଇଛି । ଆଗୁଆ ହୋଟେଲ ବୁକ୍ କରିଥିବା ପର୍ଯ୍ୟଟକଙ୍କୁ ଟଙ୍କା ଫେରସ୍ତ କରାଯିବ ବୋଲି ପୁରୀ ହୋଟେଲ ସଂଘ ନିଷ୍ପତି ନେଇଛି ।

ଏପଟେ ପୁରୀ ଜିଲ୍ଲା ପ୍ରଶାସନ ବେଳାଭୂମିରେ ୧୪୪ ଧାରା ଜାରି କରିଛି। ଏହି ଅଞ୍ଚଳରେ ପର୍ଯ୍ୟଟକଙ୍କ ସହ ଜନସାଧାରଣଙ୍କ ବୁଲାବୁଲିରେ କଟକଣା ଲଗାଯାଇଛି । ପୁରୀ ବେଳାଭୂମି ସଦାସର୍ବଦା ଗହଳଚହଳ ରହୁଥିବାରୁ ସଂକ୍ରମଣ ଆଶଙ୍କା ଅଧିକ ରହିଛି । ଏହାକୁ ଆଖିରେ ରଖି ଏଠାରେ ୧୪୪ ଜାରି କରାଯାଇଥିବା ଉପଜିଲ୍ଲାପାଳ  କହିଛନ୍ତି ।

ସେପଟେ ବିଶ୍ୱ ଐତିହ୍ୟ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ଓ ଚନ୍ଦ୍ରଭାଗା ଖାଁ ଖାଁ । କରୋନା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ପରେ ସବୁ ହୋଟେଲ, ଦୋକାନ ବଜାର ବନ୍ଦ ରହିଛି । ପର୍ଯ୍ୟଟକ ପାଇଁ ମଧ୍ୟ କଟକଣା ଜାରି କରାଯାଇଛି । ଏଏସଆଇ ପକ୍ଷରୁ ସୂର୍ଯ୍ୟମନ୍ଦିରକୁ ଅନିଦ୍ଦିଷ୍ଟ କାଳ ଲାଗି ବନ୍ଦ କରାଯାଇଥିବା ବେଳେ ଟୁରିଷ୍ଟ ବସ ଚଳାଚଳ ଉପରେ ମଧ୍ୟ ରୋକ ଲାଗିଛି । ସୁର୍ଯ୍ୟ ମନ୍ଦିର ବନ୍ଦ ଯୋଗୁଁ ଜନଶୂନ୍ୟ ହୋଇପଡିଛି ଅର୍କକ୍ଷେତ୍ର ।