କନକ ବ୍ୟୁରୋ : ରାଜ୍ୟରେ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ । ଗତକାଲି ରାତି ୧୧ଟା ବେଳେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି । ଏହା ସହ ଗୁରୁବାର ରାତି ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଁ ୪୮ ହୋଇଛି । ଗତକାଲି ଦିନ ବେଳେ ୨ଟି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନେଇ ରାଜ୍ୟ ସରକାର ସୂଚନା ଦେଇଥିଲେ । ପରେ ରାତିରେ ଆଉ ୪ଟି ନୂଆ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ଥିବା କଥା କୁହାଯାଇଛି । ଗୋଟିଏ ଦିନରେ ୬ଟି ନୂଆ କରୋନା ଆକ୍ରାନ୍ତ ହୋଇଥିବା ନେଇ ସୂଚନା ଦିଆଯାଇଛି ।
#Covid19 Case #Odisha
9th April, 2020Total 6 new Cases on 9th April, 2020
Total Positive Cases so far: 48 pic.twitter.com/POhTdshaGP— I & PR Department, Odisha (@IPR_Odisha) April 9, 2020
ସକାଳେ ଆକ୍ରାନ୍ତ ହୋଇଥିବା ୨ ଜଣଙ୍କ ମଧ୍ୟରୁ ଜଣେ ଢେଙ୍କାନାଳର ୫୧ ବର୍ଷୀୟା ମହିଳା । ଦିଲ୍ଲୀରୁ ଆସିଥିବା କିଛି ଧର୍ମ ପ୍ରଚାରକ ଢେଙ୍କାନାଳରେ ସେମାନଙ୍କ ଘରକୁ ଯାଇ ରହିଥିଲେ ଏବଂ ମାର୍ଚ୍ଚ ୧୭ ତାରିଖରେ ସେମାନେ ଢେଙ୍କାନାଳ ଛାଡି ଚାଲି ଯାଇଥିଲେ । ଏହି ଘଟଣା ପରେ ଜିଲ୍ଲା ପ୍ରଶାସନ ପୁରା ପରିବାରକୁ କ୍ୱାରେନ୍ଟିନ୍ରେ ରଖିଥିଲେ । ୧୫ ଜଣଙ୍କୁ ସଂଘରୋଧରେ ରଖାଯିବା ପରେ ଆଜି ସେହି ମହିଳାଙ୍କ ଠାରେ ପଜିଟିଭ ଚିହ୍ନଟ ହୋଇଛି । ମାର୍ଚ୍ଚ ୧୦ରୁ – ମାର୍ଚ୍ଚ ୧୭ ତାରିଖ ଯାଏଁ ସେହି ଧର୍ମ ପ୍ରଚାରକମାନେ ତାଙ୍କ ପରିବାର ଭିତରେ ରହିଥିଲେ ।
ସେହିପରି ପଶ୍ଚିମବଙ୍ଗ ମେଦିନପୁର ଅଞ୍ଚଳର ୭୦ ବର୍ଷର ଜଣେ ବ୍ୟକ୍ତି ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦୁଇ ଦିନ ତଳେ ପଶ୍ଚିମ ମେଦିନପୁରର ଏକ ଡାକ୍ତରଖାନାରୁ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଆପୋଲୋ ହସ୍ପିଟାଲକୁ ଅଣାଯାଇଥିଲା । ବାଟରେ ଆସିବା ସମୟରେ ବାଲେଶ୍ବର ବାଇପାସ୍ ନିକଟରେ ଚା’ ପିଇବା ପାଇଁ ଅଟକିଥିଲେ। ଗତକାଲି ତାଙ୍କୁ ଆପୋଲୋ ହସ୍ପିଟାଲରେ ଆଡ୍ମିଟ୍ କରାଯାଇଥିଲା ଏବଂ ସେ ପୃଥକବାସରେ ରହିଥିଲେ। ଆଜି ତାଙ୍କ ନମୁନା ପଜିଟିଭ୍ ଆସିଛି। ପରେ ରାଜ୍ୟ ସରକାଙ୍କ ପକ୍ଷରୁ କରୋନା ପାଇଁ ଉଦ୍ଦିଷ୍ଟ କିମ୍ସ କୋଭିଡ୍ ହସ୍ପିଟାଲକୁ ସେମାନଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା ।
ତେବେ ଗତକାଲି ମୋଟ ୪୦୮ଟି ରକ୍ତ ନମୁନା ପରୀକ୍ଷା ହୋଇଥିଲା । ସେଥି ମଧ୍ୟରୁ ୪୦୨ଟି ନମୁନା ନେଗେଟିଭ୍ ଆସିଥିବା ବେଳେ ୬ଟି ନମୁନାରେ କରୋନା ଭୂତାଣୁ ଠାବ ହୋଇଛି । ଏହା ସହ ନୂଆ ୪ଟି ରୋଗୀଙ୍କ ନେଇ କୌଣସି ଅଧିକ ତଥ୍ୟ ଦିଆଯାଇ ନାହିଁ । ତେବେ ବର୍ତମାନ ସୁଦ୍ଧା ୪୮ଟି କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଫଳରେ ରାଜ୍ୟରେ ବର୍ତମାନ ୪୫ଟି ସକ୍ରିୟ କରୋନା ରୋଗୀ ରହିଛନ୍ତି ।