କାଲିମେଳାରେ ବେଧଡକ ଚାଲିଛି କଇଁଛ ବେପାର : କିଲୋପ୍ରତି ବିକ୍ରି ହେଉଛି ୫ ଶହରୁ ୬ଶହ ଟଙ୍କା

326

କନକ ବ୍ୟୁରୋ : କାଲିମେଳାରେ ଚାଲିଛି ବେଧଡକ କଇଁଛ ବିକ୍ରି । ବ୍ଲକର ବିଭିନ୍ନ ସ୍ଥାନରେ ଏହି ବିକ୍ରି ଚାଲିଛି । ଏହି ରାକେଟରେ ଆନ୍ତଃରାଜ୍ୟ ରାକେଟ କାମ କରୁଥିବା ସନ୍ଦେହ କରାଯାଉଛି । ଆନ୍ଧ୍ର ଓ ତେଲେଙ୍ଗାନା ରାଜ୍ୟର ବିଭିନ୍ନ ସ୍ଥାନରୁ କାଳିମେଳାକୁ ଏହି କଇଁଛ ଆସୁଛି । ଆନ୍ଧ୍ରରୁ ସାବେରୀ ନଦୀ ପାର ହୋଇ ପଡିଆ ବ୍ଲକକୁ ଓ ସିଲେରୁ ନଦୀ ପାର ହୋଇ କାଲିମେଳା ବ୍ଲକର ବିଭିନ୍ନ ସ୍ଥାନକୁ ଏହି କଇଁଛ ଆସୁଛି ।

ବିଶେଷକରି ମୋଟୁ ନଦୀଘାଟ ଓ ପୋଲୁର ନଦୀଘାଟ ଦେଇ ଏହି କଇଁଛ କାଲିମେଳା ବ୍ଲକକୁ ଆସିଛି । ଅତି ସତର୍କତାର ସହିତ ବେପାରୀମାନେ ବିଭିନ୍ନ ଗାଡିରେ ଏହି କଇଁଛକୁ ଆଣି ଗୋଟିଏ ସ୍ଥାନରେ ରଖି ବେପାରୀଙ୍କୁ ଖୁଚୁରାରେ ବିକ୍ରୀ କରୁଛନ୍ତି । ନାଲାଗୁଣ୍ଡି ପଂଚାୟତ ଏକ ଗାଁରେ ଏହି ବ୍ୟବସାୟ ଚାଲିଛି । କଇଁଛ କିଲୋ ପ୍ରତି ୫ ଶହରୁ ୬ ଶହ ଟଙ୍କାରେ ବିକ୍ରୀ ହେଉଛି ।

ଗତକାଲି ବଜାରରେ ଜଣେ ବ୍ୟବସାୟୀ ଖୁଲମଖୋଲା ଏହି କଇଁଛ ବେପାର କରୁଥିବାର ଦେଖିବାକୁ ମିଳିଥିଲା । ସେ ଏମଭି-୬୫ ଗ୍ରାମର ରବି ବୋଲି ଜଣେ ଚୋରା କଇଁଛ ବେପାରୀ ଠାରୁ ଏହି କଇଁଛ ଆଣି ବେପାର କରୁଥିବାର କହୁଥିବାର ଦେଖିବାକୁ ମିଳିଥିଲା ।

ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ କଇଁଛ ମାଂସର ଚାହିଦା ରହିଛି । ଦୈନିକ ଶହ ଶହ କଇଁଛ କାଲିମେଳାକୁ ଆସୁଛି । ତେଣୁ କଇଁଛ ବ୍ୟବସାୟୀ ଦିନକୁ ଦିନ ବଢିବାରେ ଲାଗିଛି ।