ଜଣେ ଡାକ୍ତରଙ୍କ ଭରସାରେ ଧର୍ମଶାଳାର ୫୪ଟି ପଂଚାୟତର ଲୋକ, ଦାନା ବାନ୍ଧୁଛି ଅସନ୍ତୋଷ

86

କନକ ବ୍ୟୁରୋ : ଜଣେ ଡାକ୍ତରରେ ଚାଲିଛି ଯାଜପୁର ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର । କେମିତି ଚାଲିଛି ସ୍ୱାସ୍ଥ୍ୟସେବା ? ସ୍ଥିତି ପରଖିବା ପାଇଁ ମେଡିକାଲ ପରିସରରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ବାରଣ କଲେ ଡାକ୍ତର । ସେପଟେ ଡାକ୍ତରଖାନାର ଅଚଳାବସ୍ଥା ଦୂର ନହେଲେ ଆନ୍ଦୋଳନ ଧମକ ଦେଲେ ବିଭିନ୍ନ ରାଜନୈତିକ ଦଳର ନେତା ।

ଜଣେ ଡାକ୍ତରରେ ଡାକ୍ତରଖାନା ଚାଲିଥିବା ବେଳେ ୨ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ଯାଜପୁରକୁ ଡେପୁଟେସନରେ ପଠାଇବା ପାଇଁ ଚିଠି ଜାରଏ ହୋଇଛି । ମେଡିକାଲର ଭାରପ୍ରାପ୍ତ ଇନଚାର୍ଜ ଭାବେ ଡାକ୍ତର ମାନସ ରଂଜନ ସ୍ୱାଇଁ କାମ କରୁଥିବା ବେଳେ ଶିଶୁରୋଗ, ମହିଳା ଓ ପ୍ରସୂତି ବିଭାଗ, ଭେଷଜ, ସର୍ଜରୀ ଭଳି ଗରୁତ୍ୱପୂର୍ଣ ବିଭାଗରେ ଡାକ୍ତର ପଦବୀ ଖାଲିପଡିଛି । ଅନ୍ୟପଟେ ଜଣେ ଡାକ୍ତରରେ ଡାକ୍ତରଖାନା ଚାଲିଥିବା ବେଳେ ରୋଗ ନିରୂପଣ ନେଇ ଡାକ୍ତରଙ୍କ ଅନଭିଜ୍ଞତା ସମ୍ପର୍କରେ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଲୋକେ ।

ଜାତୀୟ ରାଜପଥଠାରୁ ମାତ୍ର ୨ କିଲୋମିଟର ଦୂରରେ ଥିବା ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଧର୍ମଶାଳାର ୫୪ଟି ପଂଚାୟତର ଲୋକ ନିର୍ଭର କରିଥାନ୍ତି । ହେଲେ ଡାକ୍ତରଙ୍କ ଅଭାବ ଯୋଗୁଁ ଜନ ଅସନ୍ତୋଷ ବଢୁଥିବା ବେଳେ ୬କୋଟି ବ୍ୟୟରେ ନିର୍ମିତ ଏମ୍ସିଏଚ୍ କୋଠା ଗୋରୀଙ୍କ କାମରେ ଆସୁନାହିଁ । ତେବେ ଡାକ୍ତରଖାନାରେ ସ୍ଥାୟୀ ଡାକ୍ତର ନିଯୁକ୍ତି ନହେଲେ ଆନ୍ଦୋଳନ କରାଯିବ ବୋଲି ଲୋକେ ଚେତାବନୀ ଦେଇଛନ୍ତି ।

ମେଡିକାଲର ସମସ୍ୟା ବବାଦରେ ଅନୁଧ୍ୟାନ କରାଯାଉଛି, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ ଡାକ୍ତରଙ୍କୁ ଅଣାଯାଇ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଥିବା ଯାଜପୁର ସିଡିଏମଓ କହିଛନ୍ତି । ରାଜ୍ୟ ସରକାର ସ୍ୱାସ୍ଥ୍ୟସେବା ଉପରେ ଗୁରୁତ୍ୱ ଦେଉଥିବା ବେଳେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଚଳାବସ୍ଥା ଦୂରନହେଲେ ଆଗାମୀ ଦିନରେ ଏକ ବଡ ଧରଣର ଆନ୍ଦୋଳନକୁ ଏଡାଇ ଦିଆଯାଇନପାରେ ।