ରାତିରେ ଟୋଲଗେଟ ଯାଞ୍ଚ କଡ଼ାକଡ଼ି : ଜଗିଲା ପୋଲିସ ଓ ପରିବହନ ବିଭାଗ,  ମଦ ପିଇ ଗାଡି ଚଳାଇବା ବେଳେ ଧରାପଡି ଗିରଫ ହେଲେ ୧୦ ଜଣ

559

କନକ ବ୍ୟୁରୋ : ଭୁବନେଶ୍ୱର-କଟକ ଦ୍ୱୈତ ନଗରୀରେ ଗାଡି ଚାଳକଙ୍କ ଉପରେ ପଡୁଥିବା ଫାଇନ ଚଡକ, ଏବେ ଟୋଲଗେଟ୍ ଦେଇ ଯାତାୟତ କରୁଥିବା ଗାଡି ଚାଳକଙ୍କ ଉପରେ ପଡିଛି । ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ଟୋଲଗେଟରେ ଯାଞ୍ଚ କଡାକଡି ହୋଇଛି । ସଂଧ୍ୟା ୬ଟାରୁ ୧୨ଟା ଯାଏଁ ଏହି ଯାଂଚ ଚାଲିଥିବାବେଳେ ଲକ୍ଷାଧିକ ଟଙ୍କାର ଜରିମାନା ଆଦାୟ ହୋଇଥିବା ଜଣାପଡିଛି । ସେପ୍ଟେମ୍ବର ୧ରୁ ଦେଶରେ ନୂଆ ମୋଟର ଭେଇକିଲ ଆକ୍ଟ ଲାଗୁହେବା ପରେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କଠାରୁ ବହୁ ପରିମାଣର ଫାଇନ ଆଦାୟ କରାଯାଉଛି । 

ଗତକାଲି ରାତିରେ ଟାଙ୍ଗି ଥାନା ଅନ୍ତର୍ଗତ ୧୬ ନମ୍ବର ଜତୀୟ ରାଜପଥର ନିର୍ଗୁଣ୍ଡି ଟୋଲଗେଟରେ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ କଡାକଡି ଯଞ୍ଚ ହୋଇଥିଲା । ଏହି ସମୟରେ ୪ଜଣ ମଦ୍ୟପ ଡ୍ରାଇଭରଙ୍କ ସମେତ ବହୁ ଟ୍ରାଫିକ ଉଲ୍ଲଂଘନକାରୀ ପୋଲିସ ହାବୁଡରେ ପଡି ମୋଟା ଅଂକର ତଣ୍ଡ ଗଣିଥିବା କନକ ନ୍ୟୁଜ କ୍ୟାମେରାରେ କଏଦ ହୋଇଛି । ବ୍ରେଥ ଆନାଲାଇଜର ସାହାଜ୍ୟରେ ମଦୁଆ ଡ୍ରାଇଭରଙ୍କୁ ଚିହ୍ନଟ କରାଯାଇଥିଲା । କଟର ଗ୍ରାମାଂଚଳ ଏସପି ରାଧା ବିନୋଦ ପାଣିଗ୍ରାହୀ, ଚୌଦ୍ୱାର ଏସପି ପ୍ରଶାନ୍ତ କୁମାର ମଲ୍ଲ, ଟାଙ୍ଗୀ ଥାନା ଅଧିକାରୀ ବିମଳ କୁମାର ବାରିକ ଓ ଜୁନିୟର ଏମଭିଆଇ ମଳୟ କୁମାର ପୃଷ୍ଟି ଟୋଲଗେଟରେ ଉପସ୍ଥିତ ରହି ଏହି ଯାଂଚ ପ୍ରକ୍ରିୟାକୁ ପରିଚାଳନା କରିଥିଲେ । 

ସେପଟେ ଗତକାଲି ରାତିରେ ଯାଜପୁରର ପାଣିକୋଇଲି ଟୋଲଗଟେରେ ମଧ୍ୟ ଯାଂଚକୁ କଡାକଡି କରାଯାଇଥିଲା । ପୋଲିସ ଓ ଆରଟିଓ ପକ୍ଷରୁ ନିୟମ ଖିଲାପକାରୀଙ୍କ ବିରୋଧରେ ଫାଇନ ଆଦାୟ କରାଯାଇଥିଲା । ପୋଲିସ ପକ୍ଷରୁ ମୋଟ୍ ୧୫ ହଜାର ୫ଶହ ଟଙ୍କା ଏବଂ ଆରଟିଓ ପକ୍ଷରୁ ୫୪ ହଜାର ଟଙ୍କା ଫାଇନ ଆଦାୟ କରାଯାଇଥିବା ଜଣାପଡିଛି ।

ସେହିପରି ସୁନ୍ଦରଗଡ ରାଜଗାଙ୍ଗପୁରରେ ମଧ୍ୟ ରାତି ଅଧିଆ ଟୋଲଗେଟରୁ ଟ୍ରାଫିକ ନିୟମ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ତେବେ ସବୁଠାରୁ ବଡକଥା ହେଉଛି ରାଜଗାଙ୍ଗପୁର ଲାଇଙ୍ଗି ଟୋଲଗେଟରେ ୧୦ଜଣ ନିୟମ ଖିଲାପକାରୀଙ୍କୁ ଅଟକ ରଖିଛି ପୋଲିସ । ଏମାନଙ୍କୁ କୋର୍ଟରେ ହାଜର କରି ଜେଲ ହାଜତକୁ ପଠାଇ ଦିଆଯାଇପାରେ ବୋଲି ଜଣାପଡିଛି ।