ଟୋକନ ନମିଳିବାରୁ ମଣ୍ଡିରେ ପଡିରହିଛି ଧାନବସ୍ତା : ଆଇନର ଆଶ୍ରୟ ନେବେ ଅନ୍ନଦାତା

125

କନକ ବ୍ୟୁରୋ : ଆରମ୍ଭ ହେଲାଣି ରବି ଫସଲର ଚାଷ କାମ । କିନ୍ତୁ ଏପଟେ ଖରିଫ ଧାନ ବିକ୍ରୀ କରି ପାରିନାହିନ୍ତି ସମ୍ବଲପୁର ଚାଉଁରପୁରର ୧୩୮ ଚାଷୀ । ମଣ୍ଡିରେ ପଡିଛି ଧାନ, ପଞ୍ଜିକରଣ ଓ ଟୋକନ ସମସ୍ୟା ଯୋଗୁଁ ପେଷୀ ହେଉଛନ୍ତି ଚାଷୀ । ଏବେ ମାମଲାକୁ ହାଇକୋର୍ଟକୁ ନେବା ପାଇଁ ନିଷ୍ପତି ନେଇଛନ୍ତି ସୋସାଇଟି ସଭାପତି ।

ମଣ୍ଡିରେ ଠିଆ ହୋଇଛି ଧାନବସ୍ତା ବୋଝେଇ ଗାଡି । ପଞ୍ଜିକରଣ ଜନିତ ସମସ୍ୟା ଯୋଗୁଁ ଟୋକନ ପାଇନଥିବା ଚାଷୀଙ୍କ ୭୦୦ରୁ ଉର୍ଦ୍ଧ୍ୱ ବସ୍ତା ଧାନ ମଣ୍ଡିରେ ପଡି ରହିଛି । ସମ୍ବଲପୁର ଚାଉଁରପୁର ସୋସାଇଟିର ୧୩୮ ଜଣ ଚାଷୀ କୌଣସି କାରଣରୁ ପଞ୍ଜିକରଣ କରିପାରିନଥିଲେ । ତେଣୁ ଏବେ ଧାନ ବିକିବା ପାଇଁ ସେମାନେ ବାରଦୁଆର ବୁଲୁଛନ୍ତି । ମଣ୍ଡିରେ ଧାନବସ୍ତା ରଖି ଟୋକନ ପାଇଁ ଚାଷୀ ଏ ଅଫିସରୁ ସେ ଅଫିସ ଧାଉଁଛନ୍ତି । ପୂର୍ବରୁ ଚାଷୀମାନେ ସମ୍ବଲପୁର ଆରଏମସିର ଦ୍ୱାରସ୍ଥ ହୋଇଥିଲେ । ଆରଏମସି ଅଧିକାରୀ ସ୍ଥାନୀୟ ତହସିଲଦାରଙ୍କୁ ତଦନ୍ତ କରି ରିପୋର୍ଟ ମାଗିଥିଲେ । ତହସିଲଦାର ତଦନ୍ତ କରି ୧୩୮ ଜଣ ଚାଷୀ ଚାଷ କରି ଟୋକନ ପାଇନଥିବା ରିପୋର୍ଟ ଦେଇଛନ୍ତି । ତଥାପି ଚାଷୀଙ୍କୁ ଟୋକନ ମିଳିନି କିଧାନ ବିକ୍ରି ହୋଇପାରୁନାହିଁ ।

ବର୍ତ୍ତମାନ ରବି ଫସଲ ଆରମ୍ଭ ହୋଇଥିବା ବଳେ ଟୋକନ ନଆସିବାରୁ ଆଜି ବି ମଣ୍ଡିରେ ଧାନ ପଡିରହିଛି । ଖରିଫ ଧାନ ବିକ୍ରୀ ହୋଇ ପାରିନଥିବା ବେଳେ ରବି ଚାଷ କେମିତି କରିବେ ବୋଲି ଚିନ୍ତାରେ ପଡିଛନ୍ତି ଚାଉଁରପୁରର ଚାଷୀ । ସମସ୍ତେ ଚାଷୀ ଓ ଧାନ ଚାଷ କରିଥିବା ସର୍ଭେରେ ଜଣାପଡିବା ପରେ ବି ଧାନ ବିକ୍ରୀ ପାଇଁ କାହିଁକି ଟୋକନ ମିଳୁନାହିଁ ବୋଲି ପ୍ରଶ୍ନ କରିଛନ୍ତି ଚାଉଁରପୁରର ସୋସାଇଟିର ସଭାପତି କାଶି ବିଶ୍ୱନାଥ । ଏହି ଟୋକନ ସମସ୍ୟାକୁ ନେଇ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ।