ଉତ୍ତରପ୍ରଦେଶର ଶାସନ ଭାର ସମ୍ଭାଳିଲେ ଯୋଗୀ ଆଦିତ୍ୟନାଥ ! ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନେଲେ ଶପଥ

32

କନକ ବ୍ୟୁରୋ : ସନ୍ଥରୁ ସେନାପତି । ଉତ୍ତରପ୍ରଦେଶର ସରକାରର ମଙ୍ଗ ସମ୍ଭାଳିଲେ ସାଂସଦ ଯୋଗୀ ଆଦିତ୍ୟନାଥ । ଯୋଗୀଙ୍କ ସହ ବି ଶପଥ ନେଲେ ଜୁମ୍ବୋ ମନ୍ତ୍ରୀମଣ୍ଡଳ । ଆଜି ଲକ୍ଷ୍ନୌରେ ଏକ ଭବ୍ୟ ସମାରୋହରେ କେନ୍ଦ୍ର ବିଜେପିର ଅନେକ ତୁଙ୍ଗ ନେତାଙ୍କ ଗହଣରେ ଆୟୋଜିତ ହୋଇଛି ୟୁପି ନୂଆ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ଉତ୍ସବ । ଜଣେ ହିନ୍ଦୁତ୍ୱବାଦୀ ନେତାଙ୍କୁ ଆଗକୁ କରି ୟୁପିରେ ୨୦୧୯ ପାଇଁ ଭାରତୀୟ ଜନତା ପାର୍ଟି ତାର କ୍ଷେତ୍ର ପ୍ରସ୍ତୁତ କରିଥିବା କୁହାଯାଉଛି । ଆଉ ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ସବକା ସାଥ, ସବକା ବିକାଶ’ ନାରାକୁ ଆଦିତ୍ୟନାଥ ସାକାର କରିବେ ବୋଲି ଆଶା ରଖିଛି ଦଳ ।

ଉତ୍ତରପ୍ରଦେଶରେ ଆରମ୍ଭ ହେଲା ଯୋଗୀ ରାଜ୍ । ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ୟୁପିରେ ବିଜେପି ସରକାରଙ୍କ ମଙ୍ଗ ଧରିଛନ୍ତି ଏହି ଗଣିତ ଗ୍ରାଜୁଏଟ୍ । ମଠ ମହନ୍ତରୁ ମୁଖ୍ୟମନ୍ତ୍ରୀ ବନିଛନ୍ତି, ଗୋରଖପୁରରୁ ୫ଥର ସଂସଦକୁ ପ୍ରତିନିଧିତ୍ୱ କରିଥିବା ଯୋଗୀ ଆଦିତ୍ୟନାଥ । ୟୁପି ଇତିହାସରେ ପ୍ରଥମଥର ପାଇଁ ୩୨୫ ଆସନ ଜିତି ସରକାର ଗଢିଥିବା ବିଜେପି, ଶପଥଗ୍ରହଣ ସମାରୋହରେ ଏକ ପ୍ରକାର ଶକ୍ତି ପ୍ରଦର୍ଶନ କରିଛି । ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ମାର୍ଗଦର୍ଶକ ଲାଲକୃଷ୍ଣ ଆଡଭାନୀ ଓ ବିଜେପି ଶାସିତ ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଜଣେ ସନ୍ଥଙ୍କ କାନ୍ଧରେ ୟୁପି ଶାସନର ଭାର ରଖିଛି ବିଜେପି ।

ସାରା ଦେଶର ରାଜନୀତିକୁ ପ୍ରଭାବିତ କରିପାରୁଥିବା ଉତ୍ତରପ୍ରଦେଶ ନେତୃତ୍ୱ ଉପରେ ଥିଲା ସମସ୍ତଙ୍କ ନଜର । ନେତା ଚୟନ କରିବା କେନ୍ଦ୍ରୀୟ ନେତୃବୃନ୍ଦଙ୍କ ପାଇଁ ମଧ୍ୟ ଥିଲା ବଡ ଚ୍ୟାଲେଞ୍ଜ । ଆଉ ଶେଷରେ ଦଳର ହିନ୍ଦୁତ୍ୱବାଦୀ ଚେହେରା ଆଦିତ୍ୟନାଥଙ୍କୁ ଆଗକୁ ଆଣି ୨୦୧୯ ପାଇଁ ପଥ ପରିଷ୍କାର କରିଛି ବିଜେପି । ସଂଗଠନକୁ ମଜଭୂତ କରିବା ସହ ଅପର କାଷ୍ଟ ଭୋଟ୍ ବିଜେପି ଖାତାକୁ ଆଣିବାକୁ ଦଳ ଏଭଳି ରଣନୀତି କରିଥିବା କୁହାଯାଉଛି । ସେପଟେ ସନ୍ତୁଷ୍ଟୀକରଣ ପାଇଁ ପ୍ରଥମଥର ଲାଗି ଦୁଇ ଉପ-ମୁଖ୍ୟମନ୍ତ୍ରୀ ବି ନେଇଛନ୍ତି ଶପଥ ।

ୟୁପି ବିଜେପି ସଭାପତି କେଶବ ପ୍ରସାଦ ମୌର୍ଯ୍ୟ ଓ ଲକ୍ଷ୍ନୌ ମେୟର ଦୀନେଶ ଶର୍ମାଙ୍କୁ ଦିଆଯାଇଛି ଦାୟିତ୍ୱ । ୪୬ ଜଣିଆ ଜୁମ୍ବୋ ମନ୍ତ୍ରୀମଣ୍ଡଳରେ ବି ସବୁ ବର୍ଗକୁ ଦିଆଯାଇଛି ପ୍ରତିନିଧିତ୍ୱ । ୬ଜଣ ମହିଳା ମନ୍ତ୍ରୀଙ୍କ ସହ ବି ଶପଥ ନେଇଛନ୍ତି ୨୨ କ୍ୟାବିନେଟ ମନ୍ତ୍ରୀ । କେନ୍ଦ୍ରରେ ମୋଦି ସରକାରଙ୍କ ବିକାଶ ଧାରା ସହ ଉତ୍ତର ପ୍ରଦେଶକୁ ଯୋଡିବା ନୂଆ ନେତୃତ୍ୱର ପ୍ରାଥମିକତା ରହିବ । ଏଥିପାଇଁ ହିନ୍ଦୁତ୍ୱବାଦୀ ଖୋଳପାରୁ ବାହାରି ସମାଜର ସବୁ ବର୍ଗଙ୍କ ପାଇଁ କାମ କରିବାକୁ ପଡିବ । ଆଉ ମୁଲାୟମ, ଅଖିଳେଶ ଓ ମାୟାବତୀଙ୍କ ପରି ବିରୋଧୀଙ୍କୁ ସାମ୍ନା କରି ୨୦୧୯ ନିର୍ବାଚନ ପାଇଁ ବିଜେପିର କ୍ଷେତ୍ର ପ୍ରସ୍ତୁତ କରିବା ଆଦିତ୍ୟାନାଥଙ୍କ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ହେବ ।