ଦୁର୍ବଳ ହେଉଛି ଲଘୁଚାପ ! ୨୧ ତାରିଖ ଯାଏଁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷିବ

82

କନକ ବ୍ୟୁରୋ : ଲଘୁଚାପ ସ୍ପଷ୍ଟ ଚିହ୍ନିତ ହେବା ପରେ ଗତାକଲି ସକାଳେ ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରକୁ ଗତି କରିଛି । ତେବେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଏହା ଗୋଟିଏ ସ୍ଥାନରେ ସ୍ଥିର ରହିଥିଲା । ଇଆଡ଼େ ଆକାଶରେ ଖଣ୍ଡ ଖଣ୍ଡ ବାଦଲ ଖେଳି ପ୍ରବଳ ବର୍ଷାର ଆଶଙ୍କା ସୃଷ୍ଟି କରୁଥିବା ବେଳେ ସିଆଡ଼େ ଲଘୁଚାପ ଦୁର୍ବଳ ହେବାର ଲକ୍ଷଣ ପ୍ରକାଶ ପାଇଲାଣି । ଖୁବଶୀଘ୍ର ଏହା ଘନୀଭୂତ ହେବାର ସମ୍ଭାବନା ବି କମ୍‌ । ଏହା ସତ୍ତ୍ୱେ ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶା ଏବଂ ଉପକୂଳ ଜିଲ୍ଲାଗୁଡ଼ିକରେ ଆଜି ଅପରାହ୍ଣଠାରୁ ବର୍ଷା ଆରମ୍ଭ ହୋଇଯାଇଛି । ଆସନ୍ତା ୨୧ ତାରିଖ ଯାଏଁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷିବ । ପବନର ବେଗ ବି ଘଣ୍ଟା ପ୍ରତି ୬୫ କି.ମି. ପର୍ଯ୍ୟନ୍ତ ରହୁଥିବାରୁ ସମୁଦ୍ର ଅଶାନ୍ତ ହୋଇଉଠିଛି । ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରିଛି ପାଣିପାଗ କେନ୍ଦ୍ର ।

ସୂଚନାନୁସାରେ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଲଘୁଚାପ ସ୍ପଷ୍ଟ ଚିହ୍ନିତ ହୋଇଥିଲା । ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହେବ ବୋଲି ପୂର୍ବାନୁମାନ କରାଯାଇଥିଲା । କିନ୍ତୁ ଗତକାଲି ସକାଳେ ଏହା କେବଳ ସ୍ଥାନ ପରିବର୍ତନ କରିଥିଲା । ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ କହିବାନୁସାରେ ଏହା ଘନୀଭୂତ ହୋଇ ଅତିବେଶିରେ ଅବପାତର ରୂପ ନେଇପାରେ । କିନ୍ତୁ ଆହୁରି ଘନୀଭୂତ ହୋଇ ଭୀଷଣ ଅବପାତରେ ପରିଣତ ହେବାର ସମ୍ଭାବନା କମ୍‌ । ଏହି ଲଘୁଚାପ ପ୍ରଭାବରେ ଦକ୍ଷିଣ ଏବଂ ଉପକୂଳ ଆକାଶରେ ମେଘମାଳା ସୃଷ୍ଟି ହୋଇଛି । ଫଳତଃ ଲଘୁଚାପ ଦୁର୍ବଳ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଏହି ଲଘୁଚାପ ଓଡ଼ିଶା ଭିତରକୁ ପଶି ଛତିଶଗଡ଼ମୁହାଁ ହେବ ବୋଲି ଯେଉଁ ପୂର୍ବାନୁମାନ କରାଯାଇଥିଲା, ସେଥିରେ ପରିବର୍ତନ ହେବାର ସମ୍ଭାବନା ରହିଛି । ସେହିପରି ଲଘୁଚାପର ସ୍ଥିତି ଏବଂ ଗତିରୁ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି ।

ଡ. ସାହୁଙ୍କ ପୂର୍ବାନୁମାନ ଅନୁଯାୟୀ ଆଜି ସକାଳେ ଦକ୍ଷିଣ ଏବଂ ଏହାର ଆଖପାଖ ଉପକୂଳବର୍ତୀ ଜିଲ୍ଲାରେrain ପ୍ରବଳ ବର୍ଷା ହେବ । ବିଶେଷ କରି ଗଞ୍ଜାମ, ଗଜପତିର କିଛି ସ୍ଥାନରେ ୧୨୦ ମିଲିମିଟରରୁ ଅଧିକ ବର୍ଷା ହୋଇପାରେ । ଉପକୂଳ ପୁରୀ, ଜଗତ୍‌ସିଂହପୁର, କଟକ, କେନ୍ଦ୍ରାପଡ଼ା, ଖୋର୍ଧା ଆଦି ଜିଲ୍ଲାଗୁଡ଼ିକର ଅନେକ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେବ । ୧୯-୨୦ ତାରିଖ ବେଳକୁ ଉତ୍ତର ଏବଂ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବ । ଉତ୍ତରର ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ଆଭ୍ୟନ୍ତରୀଣ ସୋନପୁର, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ଅନୁଗୁଳ ଆଦି ଜିଲ୍ଲାରେ ବି ବର୍ଷା ହେବାର ସମ୍ଭାବନା ରହିଛି । ୨୦ରୁ ୨୧ ତାରିଖ ବେଳକୁ ଆଭ୍ୟନ୍ତରୀଣ ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼ ଆଦି ଜିଲ୍ଲାରେ ବର୍ଷା ହୋଇପାରେ। ଏଭଳି ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବ ।

ତେବେ ଲଘୁଚାପର ସ୍ଥିତି ଏବଂ ଗତିରୁ ବର୍ଷାର ପରିମାଣ ନିର୍ଭର କରୁଛି। ଆସନ୍ତାକାଲି ସକାଳେ ଏହି ଲଘୁଚାପ ଓଡ଼ିଶା- ଆନ୍ଧ୍ର ଉପକୂଳରେ ପହଞ୍ଚିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ଚାନ୍ଦବାଲିରେ ସର୍ବାଧିକ ୩୬ ମି.ମି. ବର୍ଷା ହୋଇଛି। ସେହିପରି ପୁରୀରେ ୧୨ ମି.ମି., ବାଲେଶ୍ୱରରେ ୯ ମି.ମି., ବାରିପଦାରେ ୮ ମି.ମି. ସହିତ କଟକ, ଭୁବନେଶ୍ୱରରେ ବର୍ଷା ହୋଇଛି।