ଆଜି ସାବିତ୍ରୀ : ସ୍ୱାମୀଙ୍କ ମଙ୍ଗଳ କାମନା କରି ବ୍ରତ ରଖିବେ ସଧବା ନାରୀ

384

କନକ ବ୍ୟୁରୋ : ଆଜି ସାବିତ୍ରୀ। ଏହି ଦିନ ହିଁ ମହାସତୀ ସାବିତ୍ରୀ ମୃତ୍ୟୁର ଦେବତା ଯମଙ୍କ ସହ ଲଢ଼ି ନିଜ ସ୍ୱାମୀ ସତ୍ୟବାନଙ୍କୁ ଛଡ଼ାଇ ଆଣିଥିଲେ। ସେବେଠାରୁ ଏହି ଦିନଟିକୁ ହିନ୍ଦୁ ଧର୍ମରେ ସାବିତ୍ରୀ ବ୍ରତ ଭାବେ ପାଳନ କରାଯାଇ ଆସୁଛି।  ସ୍ୱାମୀଙ୍କର ଉତମ ସ୍ୱାସ୍ଥ୍ୟ ଓ ନିରାମୟ ଜୀବନ କାମନା କରି ସଧବା ନାରୀମାନେ ଜ୍ୟେଷ୍ଠ ମାସ ଅମାବାସ୍ୟାରେ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି । ଏହି ବ୍ରତରେ ନାରୀମାନେ ସାବିତ୍ରୀ, ଯମଦେବ ଓ ସତ୍ୟବାନକୁ ପୂଜା କରିଥାନ୍ତି । ସ୍ୱାମୀ ହିଁ ସ୍ତ୍ରୀର ସର୍ବସ୍ୱ ।

 

କିମ୍ବଦନ୍ତୀ ଅନୁସାରେ, ସତ୍ୟବାନ ଅଳ୍ପାୟୁ ଥିଲେ ବି ମୃତ୍ୟୁକୁ ଜୟ କରିଥିଲେ । ଏହା ସମ୍ଭବ ହୋଇଥିଲା ତାଙ୍କ ସ୍ତ୍ରୀ ସାବିତ୍ରୀଙ୍କ ପାଇଁ । ଜଣେ ଶ୍ରେଷ୍ଠ କନ୍ୟା ହେଲେ ସାବିତ୍ରୀ । ସେ ଥିଲେ ରାଜକନ୍ୟା । ସାବିତ୍ରୀ ଦେବୀଙ୍କୁ ପ୍ରାର୍ଥନା କରି ମାଦ୍ରଦେଶର ରାଜା ଅଶ୍ୱପତି ତାଙ୍କୁ କନ୍ୟା ରୂପେ ପାଇଥିଲେ । ସତ୍ୟବାନଙ୍କ ରୂପ ଓ ଗୁଣରେ ମୁଗ୍ଧ ହୋଇ ତାଙ୍କୁ ବିବାହ କରିବେ ବୋଲି ଇଚ୍ଛା କରିଥିଲେ ସାବିତ୍ରୀ । ବିବାହ ପରେ ସତ୍ୟବାନ ଗୋଟିଏ ବର୍ଷ ବଂଚିବେ ଜାଣି ମଧ୍ୟ ତାଙ୍କୁ ବିବାହ କରି ଜଙ୍ଗଲରେ ରହୁଥିଲେ । ଠିକ୍ ବର୍ଷକ ପରେ ସତ୍ୟବାନଙ୍କ ମୃତ୍ୟୁ ହୋଇଥିଲା ।

ମହାସତୀ ସାବିତ୍ରୀଙ୍କ ତପ ବଳରେ ସେ ପୁର୍ନଜନ୍ମ ପାଇଥିଲେ । ଯମରାଜଙ୍କୁ ନିଜର ଯୁକ୍ତି ବଳରେ ସନ୍ତୁଷ୍ଟ କରି ସାବିତ୍ରୀ ନିଜ ସ୍ୱାମୀଙ୍କୁ ଫେରିପାଇଥିଲେ । ଆଉ ସେହି ଦିନ ଠାରୁ ଅନ୍ନ ଜଳ ସ୍ପର୍ଶ ନକରି ସେମାନେ ଏହି ବ୍ରତ ପାଳନ କରି ସ୍ୱାମୀଙ୍କୁ ପୂଜା କରିବାର ପରଂପରା ରହିଛି । ଏଥି ପାଇଁ ହିନ୍ଦୁ ଘରେ ଘରେ ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ ସାବିତ୍ରୀର ଫଳ ବଜାରରେ ତାତି ଦେଖିବାକୁ ମିଳିଛି । ସାଧାରଣ ଦିନରେ ଫଳର ଦାମ ଯାହା ଥାଏ , ସାବିତ୍ରୀ ପାଇଁ ତାହା ତିନିଗୁଣ ହୋଇଯାଇଛି ।

Comments are closed.