ବିଧାନସଭାରେ ଚାରା ଘୋଟାଲାକୁ ନେଇ ହଙ୍ଗାମା : ବିତର୍କ ପାଇଁ ଅଡ଼ି ବସିିଲେ ବିରୋଧୀ

34

କନକ ବ୍ୟୁରୋ : ଆଜି ବିଧାନସଭା ଆରମ୍ଭ ହେବାମାତ୍ରେ ଚାରା ଘୋଟାଲାକୁ ନେଇ ହଙ୍ଗାମା ହୋଇଥିଲା । ଏହି ପ୍ରସଙ୍ଗରେ ବିତର୍କ ପାଇଁ ଆଡି ବସିଥିଲେ ବିରୋଧୀ । ଏପରିକି ଗୃହକୁ ଦିନ ୩ଟା ଯାଏଁ ମୁଲତବୀ ରଖାଯାଇଥିଲା । ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ଜବାବ ରଖନ୍ତୁ ବୋଲି ବିରୋଧି ଦାବି କରିଥିଲେ ।

ସୋମବାର ବିଧାନସଭା ଆରମ୍ଭ ହେବାମାତ୍ରେ ଆରମ୍ଭ ହୋଇଯାଇଥିଲା ହଙ୍ଗାମା । କଂଗ୍ରେସ ବିଜେପି ସବୁରି ମୁହଁରେ ଥିଲା ଚାରା ଘୋଟାଲାର ନାରା । ଦାବି କରୁଥିଲେ ସବୁ ବନ୍ଦ କରାଯାଉ , ଚାରା ଘୋଟାଲା ଉପରେ ବିତର୍କ ହେଉ । ଦାମଙ୍କ ବୟାନ ଓ କୃଷି ମନ୍ତ୍ରୀ ପ୍ରଦୀପ ମହରଥୀଙ୍କ ବିଧାନସଭାରେ ସ୍ୱୀକାରୋକ୍ତି ବିରୋଧୀ ସଦସ୍ୟଙ୍କୁ ବେଶ ଉତ୍ସାହିତ କରିଥିଲା ।

ତେବେ ଏନେଇ ଗତ ୧୦ ତାରିଖରେ ବିଧାନସଭାରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଦେଇଥିଲେ ଲିଖିତ ଉତ୍ତର । ଯେଉଁଥିରେ କୃଷିମନ୍ତ୍ରୀ କହିଛନ୍ତି, ବିଭାଗୀୟ ରାଜ୍ୟସ୍ତରୀୟ ଅନୁସଂଧାନ କମିଟି ରିପୋର୍ଟ ଦେଇଛି ଯେ, ମୟୁରଭଂଜ ଜିଲ୍ଲାର ଉଦ୍ୟାନ କୃଷି ବିଭାଗର ସହକାରୀ ନିର୍ଦ୍ଦେଶକ , ୧୭ କୋଟି୩୩ ଲକ୍ଷ ୩ହଜାର ୨୭୫ ଟଙ୍କାର ଆର୍ଥିକ ହେରଫେର କରିଛନ୍ତି । ତାଙ୍କୁ ନିଲମ୍ବନ କରାଯାଇଥିଲା ଏବଂ ପରବର୍ତ୍ତିତ ସମୟରେ ପୁନଃଅବସ୍ଥାପିତ କରି ନୟାଗଡ ଜିଲ୍ଲାକୁ ବଦଳି କରାଯାଇଛି । ଏହି ଘଟଣାକୁ ନେଇ ଅପରାହ୍ନ ୩ଟା ଯାଏ ବିଧାନସଭା ଏକ ପ୍ରକାର ଅଚଳ ହୋଇଯାଇଥିଲା ଏବଂ ବିରୋଧୀ ଜିଦ ଧରିଥିଲେ ମୁଖ୍ୟମନ୍ତ୍ରୀ ଏନେଇ ଜବାବ ରଖନ୍ତୁ ।