ଗୁଟ୍‌ଖା, ସିଗାରେଟ ଜାଲରେ ନାବାଳକ : ନାବାଳକ ତମାଖୁ ବ୍ୟବହାରକାରୀ ଭାବେ ଓଡ଼ିଶା ଦେଶରେ ତୃତୀୟ,ଶିକ୍ଷାନୁଷ୍ଠାନ ନିକଟରେ ଚାଲିଛି ବେଧଡକ ବେପାର

ଗୁଟ୍‌ଖା, ସିଗାରେଟ ଜାଲରେ ନାବାଳକ : ନାବାଳକ ତମାଖୁ ବ୍ୟବହାରକାରୀ ଭାବେ ଓଡ଼ିଶା ଦେଶରେ ତୃତୀୟ,ଶିକ୍ଷାନୁଷ୍ଠାନ ନିକଟରେ ଚାଲିଛି ବେଧଡକ ବେପାର

କନକ ବ୍ୟୁରୋ : ତମାଖୁଜନିତ କର୍କଟ ରୋଗ ରାଜ୍ୟରେ ଉଦ୍‌ବେଗଜନକ ସ୍ଥିତିରେ ରହିଛି । ତା’ଠାରୁ ଉଦବେଗଜନକ ବିଷୟ ହେଉଛି ରାଜ୍ୟରେ ନାବାଳକ ତମାଖୁ ବ୍ୟବହାରକାରୀଙ୍କ ସଂଖ୍ୟା । ନାବାଳକ ତମାଖୁ ବ୍ୟବହାରକାରୀଙ୍କ ଭିତରେ ଓଡିଶାର ସ୍ଥାନ ସାରା ଦେଶରେ ତିନି ନମ୍ବରରେ ରହିଛି । ସବୁଠାରୁ ବଡ଼ କଥା ହେଲା, ନାବାଳକ ତମାଖୁ ବ୍ୟବହାରକାରୀଙ୍କୁ ରୋକିବା ଲାଗି ସବୁ ନିର୍ଦ୍ଦେଶ, ନିୟମ କାନୁନ୍ ଫେଲ୍ ମାରିଛି। ଶିକ୍ଷାନୁଷ୍ଠାନ ନିକଟରେ ବଢି ଚାଲିଛି ବେପାର । ସିଗାରେଟ୍ ବ୍ୟବହାରକାରୀ ନାବାଳକ ଧିରେ ଧିରେ ଗଞ୍ଜେଇ ଓ ବ୍ରାଉନସୁଗାର ଜାଲରେ ପଡି ଯାଉଛନ୍ତି। ସରକାରଙ୍କ ପ୍ରସ୍ତୁତି ଏମିତି ଯେ ତମାଖୁ କାରବାର ରୋକିବା ଲାଗି ମାତ୍ର ୧୪ଟି ଜିଲ୍ଲାରେ ଅଧିକାରୀ ଅଛନ୍ତି, ଆଉ ୧୬ଟି ଜିଲ୍ଲା ଫାଙ୍କା ।

ଗୁଟ୍‌ଖା, ସିଗାରେଟ ଜାଲରେ ନାବାଳକ । ଓଡ଼ିଶାରେ ନାବାଳକ ତମାଖୁ ବ୍ୟବହାରକାରୀଙ୍କ ସ୍ଥିତି ଆହୁରି ସାଂଘାତିକ । ଶିକ୍ଷାନୁଷ୍ଠାନ ନିକଟରେ ଅତି ସହଜରେ ମିଳି ଯାଉଛି ଏ ସବୁ ସାମଗ୍ରୀ । ଗୁଟ୍‌ଖା, ସିଗାରେଟ୍ ଜାଲରେ ପଡ଼ିବା ପରେ ନାବାଳକ ଧୀରେ ଧୀରେ ବ୍ରାଉନସୁଗାର ଆଡକୁ ମୁହାଁଉଛନ୍ତି । ବ୍ରାଉନସୁଗାର କାରବାରରେ ଛାତ୍ର ଧରା ପଡ଼ିବା ପରେ ଏ କଥା ସ୍ପଷ୍ଟ ହୋଇଯାଇଛି । କୋଟପା ଆଇନ-୨୦୦୩ର ଧାରା-୬ ଅନୁସାରେ ଶିକ୍ଷାନୁଷ୍ଠାନର ୧୦୦ ମିଟର ପରିଧି ଭିତରେ ଗୁଟ୍‌ଖା, ସିଗାରେଟ୍ ବିକ୍ରି ନ ହେବାର ନିୟମ ରହିଛି । ଶିକ୍ଷାନୁଷ୍ଠାନ ନିକଟରେ ତମାଖୁ, ବ୍ରାଉନସୁଗାର ଭଳି ନିଶା ବେପାର ବନ୍ଦ କରିବା ଲାଗି ତତ୍କାଳୀନ ପୁଲିସ ଡିଜି ଆର. ପି ଶର୍ମା ୨୦୧୮ ଜାନୁଆରୀରେ ସବୁ ଜିଲ୍ଲା ଏସ୍‌ପି, ଟୁଇନ୍ ସିଟି ଡିସିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶକୁ ଦୁଇ ବର୍ଷ ବିତି ଯାଇଥିଲେ ବି ତମାଖୁ ମୁକ୍ତ କ୍ୟାମ୍ପସ ଯୋଜନା ଫେଲ୍ ମାରିଛି। ତମାଖୁ ମୁକ୍ତ କ୍ୟାମ୍ପସ୍ ଗଢି ତୋଳିବା ନେଇ ଶିକ୍ଷା ବିଭାଗର ନିର୍ଦ୍ଦେଶ ଓ ସ୍ବାସ୍ଥ୍ୟ ବିଭାଗର ସୁପାରିସ ବି କାମ କରୁନି ।

ଗ୍ଲୋବାଲ୍ ଆଡଲ୍ଟ ଟବାକୋ ସର୍ଭେ ରିପୋର୍ଟ (୨୦୧୬-୧୭) ଅନୁସାରେ ନାବାଳକ ତମାଖୁ ବ୍ୟବହାରରେ ସିକିମ୍ ପ୍ରଥମ ସ୍ଥାନରେ ରହିଛି। ତମାଖୁ ବ୍ୟବହାରକାରୀ ୧୫ ବର୍ଷରୁ କମ୍ ବୟସ୍କ ସିକିମରେ ୩୨ ପ୍ରତିଶତ ରହିଥିବା ବେଳେ ଅରୁଣାଚଳ ପ୍ରଦେଶରେ ୨୫.୧ ଓ ଏହା ପଛକୁ ଓଡ଼ିଶାରେ ଏହି ସଂଖ୍ୟା ୨୨.୧ ପ୍ରତିଶତ ରହିଛି। ଏହି ବୟସରୁ ପିଲାମାନେ ତମାଖୁ ସେବନ କରିଥାନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ୧୫ରୁ ୧୭ ବର୍ଷ ବୟସ୍କଙ୍କ ସଂଖ୍ୟା ୨୫.୮ ରହିଥିବା ଦର୍ଶାଯାଇଛି। ଯାହା ଚିନ୍ତାର ବିଷୟ ପାଲଟିଛି ।

ତମାଖୁ ରୋକିବା ଲାଗି ପ୍ରତ୍ୟକ ଜିଲ୍ଲାରେ ମାସକୁ ଦୁଇ ଥର ଚଢାଉ କରିବା ଲାଗି ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ରହିଛି। ତମାଖୁ ଦ୍ରବ୍ୟ ରୋକ୍ ଲଗାଇବା ପାଇଁ ମାତ୍ର ୧୪ଟି ଜିଲ୍ଲାରେ ଜନସ୍ବାସ୍ଥ୍ୟ ଅଧିକାରୀ ରହିଥିବା ବେଳେ ୧୬ଟି ଜିଲ୍ଲାରେ ଜଣେ ହେଲେ ବି କେହି ନାହାନ୍ତି । ଭୁବନେଶ୍ବର-କଟକ ଟୁଇନ୍ ସିଟିରେ ଚଢଉ ଲାଗି କମିସନରେଟ୍ ପୁଲିସର କ୍ଷମତା ରହିଛି । କିନ୍ତୁ ରାଜଧାନୀରେ ବି ସ୍ଥିତି ଆହୁରି ସଂଗିନ । ଶିକ୍ଷାନୁଷ୍ଠାନ କ୍ୟାମ୍ପସକୁ ଚାରି ପଟୁ ମାଡ଼ି ବସିଛନ୍ତି ତମାଖୁ ଦୋକାନୀ । ସ୍ନାକ୍ସ, ଓମଫେଡ୍ ପାର୍ଲରରେ ବି ଚାଲିଛି ଗୁଟ୍‌ଖା ଓ ସିଗାରେଟ୍ ବେପାର । ଯାହାକୁ ରୋକିବାରେ ଫେଲ୍ ମାରିଛି କମିସନରେଟ୍ ପୋଲିସ । କୋଟପା ଆଇନରେ ରାଜଧାନୀରେ ୫ ମାସରେ ମାତ୍ର ୪୨ଟି ମାମଲା ରୁଜୁ କରିଛି ପୁଲିସ। କୋଟପା ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ପୁଲିସ ମହାନିର୍ଦେଶକ ଅଭୟ କହିଛନ୍ତି, ଖୁବ ଶୀଘ୍ର ଏ ସଂକ୍ରାନ୍ତରେ ଚଢଉ ଆରମ୍ଭ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe