ଓମଫେଡ ବୁଥ୍ ଗୁଡ଼ିକରୁ ତମାଖୁ ଜାତୀୟ ଦ୍ରବ୍ୟ ହଟାଇବା ପାଇଁ ଓଏଚଆରସିଙ୍କ ନିର୍ଦ୍ଦେଶ : ଆଦେଶନାମାକୁ ଅବମାନନା କଲେ ପ୍ରତ୍ୟାହାର ହେବ ଲାଇସେନ୍ସ

147

କନକ ବ୍ୟୁରୋ : ରାଜ୍ୟରେ ଥିବା ଓମଫେଡ ବୁଥ୍‌ଗୁଡ଼ିକରେ ଗୁଟ୍‌ଖା ଓ ତମାଖୁରେ ପ୍ରସ୍ତୁତ ସାମଗ୍ରୀ ବିକ୍ରି ହେଉଛି । ତେଣୁ ବୁଥ୍‌ଗୁଡ଼ିକରେ ତମାଖୁ ଜାତୀୟ ଦ୍ରବ୍ୟ ହଟାଇବା ପାଇଁ ରାଜ୍ୟ ଗୃହ ବିଭାଗକୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର କମିସନ (ଓଏଚଆରସି) । ଯଦି ଓମଫେଡ୍‌ ବୁଥଗୁଡିକ ଏହାକୁ ନ ହଟାନ୍ତି କିମ୍ବା ଆଦେଶନାମାକୁ ଅବମାନନା କରନ୍ତି ତେବେ ସେମାନଙ୍କ ଲାଇସେନ୍‌ସ ପ୍ରତ୍ୟାହାର କରିବା ପାଇଁ କମିସନ କହିଛନ୍ତି । ପରବର୍ତୀ ସମୟ‌ରେ ଏହି ନିର୍ଦେଶାନାମାକୁ କଡ଼ାକଡ଼ି ପାଳନ କରିବା ପାଇଁ ଗୃହ ବିଭାଗ ପକ୍ଷରୁ ରାଜ୍ୟ ପୁଲିସ ମହାନିର୍ଦେଶକ ଓ କମିସନରେଟ୍ ପୁଲିସକୁ କୁହାଯାଇଛି । ତେଣୁ ଥାନାସ୍ତରରେ ସ୍ବତନ୍ତ୍ର ଟିମ୍ ଗଠନ କରି ଚଢ଼ଉ କରିବା ସହିତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ତମାଖୁମୁକ୍ତ ଓଡ଼ିଶା ଅଭିଯାନ ପକ୍ଷରୁ ଦାବି କରାଯାଇଛି ।

ଗତକାଲି ଓଡ଼ିଶା ଅଭିଯାନ ଅଭିଯାନ ପକ୍ଷରୁ ହୋଟେଲ କେଶରୀରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଉପଦେଷ୍ଟା ବାସୁଦେବ ଭଟ୍ଟ କହିଲେ, ଶିକ୍ଷାନୁଷ୍ଠାନ ନିକଟବର୍ତୀ ଓମ୍‌ଫେଡ୍‌ ବୁଥ୍‌ଗୁଡ଼ିକରେ ଗୁଟ୍‌ଖା, ତମାଖୁ ବିକ୍ରିକୁ ବନ୍ଦ କରିବା ପାଇଁ ଓଡ଼ିଶା ଅଭିଭାବକ ମହାସଂଘ ଓଏଚଆରସିଙ୍କ ଦ୍ବାରସ୍ଥ ହୋଇଥିଲା । କମିସନ ଏହାକୁ ଗୁରୁତ୍ବର ସହ ବିଚାର କରିବା ସହିତ ଓମଫେଡ୍‌ ବୁଥ୍‌ରୁ ତମାଖୁ ହଟାଇବା ପାଇଁ ଗୃହ ବିଭାଗକୁ ନିର୍ଦେଶ ଦେଇଥିଲେ। ପୂର୍ବରୁ ୨୦୧୩ ମସିହାରେ ରାଜ୍ୟ ସରକାର ଓଡ଼ିଶାରେ ତମାଖୁ ନିଷିଦ୍ଧ ଘୋଷଣା କରିଛନ୍ତି । ମାତ୍ର ରାଜ୍ୟରେ ତାହା କଡ଼ାକଡ଼ି ଭାବେ ଲାଗୁ ହୋଇପାରି ନାହିଁ। କୋଟପା ଆଇନରେ କୌଣସି ଶିକ୍ଷାନୁଷ୍ଠାନର ୧୦୦ମିଟର ପରିସୀମା ମଧ୍ୟରେ ତମାଖୁ ଓ ସିଗାରେଟ୍ ବିକ୍ରି ହୋଇପାରିବ ନାହିଁ ବୋଲି ନିୟମ ରହିଛି ।

ମାତ୍ର ରାଜ୍ୟରେ ସ୍କୁଲ ନିକଟବର୍ତୀ ଓମଫେଡ୍‌ ବୁଥ୍‌ରେ ବହୁଳ ମାତ୍ରାରେ ବିକ୍ରି ହେଉଛି । ଆଗାମୀ ଦିନରେ ଅଭିଯାନ ପକ୍ଷରୁ ଏକ ‘ଆପ୍’ ପ୍ରସ୍ତୁତ କରାଯିବ ଓ ଏଥିରେ ଲୋକମାନେ ଯେଉଁଠାରେ ତମାଖୁ ବିକ୍ରି ହେଉଛି ତାହାର ସୂଚନା ଦେଇପାରିବେ । ରାଜ୍ୟର ୫ଶହ ସ୍କୁଲ ଓ କଲେଜରେ ତମାଖୁ ସଚେତନତା କାର୍ଯ୍ୟକ୍ରମ କରାଯିବ । ଏହି ସାମ୍ବାଦିକ ସମ୍ମିଳନୀରେ ସଂଯୋଜକ ପୁଣ୍ୟଶ୍ଳୋକ ମହାନ୍ତି, ସୁଜିତ ରାଇତ ଓ ପ୍ରସନ୍ନ ବିଶୋୟୀ ପ୍ରମୁଖ ଉପସ୍ଥିତ ଥିଲେ ।