ଲୋକସେବା ଭବନରେ ଫାଇଭ-ଟି ସଚିବ ପାଣ୍ଡିଆନଙ୍କ ପାଠଶାଳା : ପୋଲିସ ବାବୁଙ୍କୁ ବୁଝାଇଲେ ମୋ ସରକାର କାର୍ଯ୍ୟକ୍ରମ ଓ ଫାଇଭ-ଟି ର ଗୁରୁତ୍ୱ 

500

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ଫାଇଭ ‘ଟି’ ମନ୍ତ୍ରକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେଉଛି ମୋ ସରକାର କାର୍ଯ୍ୟକ୍ରମ । ପ୍ରଶାସନକୁ ଅଧିକ ଉତରଦାୟୀ ଓ ଲୋକାଭିମୁଖୀ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଆଉ ଏହି ଅବସରରେ ସାମନାକୁ ଆସିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ୍ ‘ଟି’ ସଚିବ ଭି କାର୍ତିକେୟନ ପାଣ୍ଡିଆନ । ଆଉ ପୋଲିସ ବାବୁଙ୍କୁ ପଢ଼ାଇଛନ୍ତି ପାଠ ।

ବରିଷ୍ଠ ପୋଲିସ ଅଧିକାରୀ ଓ ଥାନା ଅଧିକାରୀଙ୍କୁ ଫାଇଭ-ଟିର ପାଠ ପଢ଼ାଇଛନ୍ତି ଭି. କାର୍ତିକେୟନ ପାଣ୍ଡିଆନ୍ । ମୋ ସରକାର କାର୍ଯ୍ୟକ୍ରମ କ’ଣ, ଫାଇଭ୍ ଟି କ’ଣ, ଏସବୁ ପ୍ରାଂଜଳ ଭାବେ ବୁଝାଇଛନ୍ତି ଫାଇଭ୍ ଟି ସଚିବ ।  ପ୍ରଥମ ପର୍ଯ୍ୟାୟରେ ଥାନା ଓ ହସପିଟାଲରେ ଲୋକେ କିପରି ସେବା ପାଉଛନ୍ତି, ସେ ନେଇ ଅନୁଧ୍ୟାନ କରାଯିବ । ତେବେ କାହିଁକି ଥାନା ଓ ହସ୍ପିଟାଲକୁ ସରକାର ପ୍ରାଥମିକତା ଦିଆଯାଇଛି, ସେ ବାବଦରେ ସ୍ପଷ୍ଟ କରିଛନ୍ତି ପାଣ୍ଡିଆନ୍ ।

କିପରି ଥାନାରେ ଫାଇଭ-ଟି କାର୍ଯ୍ୟକାରୀ ହେବ, ତା’ର ସଂପୂର୍ଣ୍ଣ ରୂପରେଖ ପୋଲିସ ବାବୁଙ୍କୁ ଜଣାଇଛନ୍ତି ପାଣ୍ଡିଆନ୍ । ଏହା ସହ କହିଛନ୍ତି, ଭଲ କାମ କଲେ, ଲୋକଙ୍କ ପ୍ରତିକ୍ରିୟା ଭଲ ରହିଲେ ହେବ ପଦୋନ୍ନତି, କାର୍ଯ୍ୟରେ ଅବହେଳା କଲେ ହେବ କାର୍ଯ୍ୟାନୁଷ୍ଠାନ ।   ପୋଲିସ ବାବୁଙ୍କୁ ଫାଇଭ ଟି ପାଠ ପଢ଼ାଇବା ସହ ବିଭିନ୍ନ ଜିଲ୍ଲାର ଏସପି ଓ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ।   ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ୍ ‘ଟି’ ସଚିବ ଭି କାର୍ତିକେୟନ ପାଣ୍ଡିଆନଙ୍କୁ ଏପରି ମୁଦ୍ରାରେ ଦେଖିବାକୁ ମିଳିଥିଲା ।

Comments are closed.