କେବଳ ମା’ ପାଇଁ . . . ପାଣି ମୁନ୍ଦାଏ ପାଇଁ କୋଶ କୋଶ ଚାଲି ପାଦ ଫୋଟକା ହୋଇଯାଉଥିଲା । ରୋଗୀଣା ମା’ର ଦୁଃଖ ଦେଖି ପାରିଲାନି ଝିଅ । ତାଲାବନ୍ଦ ଭିତରେ ୧୫ ଫୁଟର କୂଳ ଖୋଳିଦେଲେ ବିଏଡ଼୍ ପଢ଼ୁଥିବା ବବିତା ସୋରେନ୍

738

କନକ ବ୍ୟୁରୋ : କାଖରେ ମାଠିଆ ଆଉ ହାତରେ ଏକ ବଡ଼ ବାଲଟି ଧରି ପାହାନ୍ତିଆରୁ ପାଣି ପାଇଁ ବାହାରି ଯାଏ ମା’ । ଘର ପରିବାରର ସୁବିଧା ଲାଗି ୫୦ ବର୍ଷୀୟ ରୋଗୀଣା ମା’ କୋଶ କୋଶ ଦୂର ଚାଲେ । ବଡ଼ ବଡ଼ ପାଣି ମାଠିଆ ଧରି ଧରି ଗୋଡ଼ ନିଶେଇ ପଡ଼ୁଥିଲେ ହେଁ ତା’ର ପାଦ ଥକିଯାଏନି । ଅନବରତ ଚାଲୁଥାଏ, କେତେବେଳେ ଛୁଆପାଇଁ, କେତେବେଳେ ସ୍ୱାମୀ ପାଇଁ ତ ଆଉ କେତେବେଳେ ପରିବାର ପାଇଁ ।  ହେତୁ ପାଇବା ଦିନରୁ ପାଣି ପାଇଁ ମା’ର ନିତି ଦିନିଆ ସଂଘର୍ଷ ଦେଖିଆସିଛି ଝିଅ ବବିତା ସୋରେନ୍ । ଆଉ ସେଇଥିପାଇଁ ମା’ର କଷ୍ଟ ଦୂର କରିବାକୁ ନିଜେ ଖୋଳିଛି ୧୫ ଫୁଟର କୁଅ ।

୨୪ ବର୍ଷର ବବିତା ସୋରେନ୍ । ତାଙ୍କ ମା’ ନୀନା ସୋରେନ୍ ରକ୍ତହୀନତାରେ ପୀଡ଼ିତ । ବବିତା ଝିଅ ହେଲେ ସୁଦ୍ଧା ତ୍ୟାଗ ଓ ତପସ୍ୟାର ପ୍ରତୀକ ରୋଗୀଣା ମା’ ପାଇଁ ଭେଣ୍ଡା ପୁଅ ସଙ୍ଗେ ସମାନ୍ । ପିଲାବେଳୁ ରୋଗୀଣା ମା’ର କଷ୍ଟ ଦେଖିଆସୁଥିବା ଝିଅ କାହାର ସହାୟତା ନନେଇ ଆଜି ମା’ ପାଇଁ ଏକା ଏକା ଖୋଳିଛି  ୧୫ ଫୁଟ ଗଭୀର କୂଅ । ଫଳରେ ମା’ଙ୍କୁ ଆଉ ମାଇଲ ମାଇଲ୍ ଦୂର ଚାଲି ଚାଲି ନଳକୂପ ଯିବାକୁ ପଡ଼ିବ ନାହିଁ କି ୩୦ ମିନିଟ୍ ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବ ନାହିଁ । ନା ଖରା ତାତିରେ ପାଦ଼ ଫୋଟକା କରି ପାଣି ଆଣିବାକୁ ପଡ଼ିବ ।

ରାଜନୀତି ବିଜ୍ଞାନରେ ସ୍ନାତୋକତ୍ତୋର କରିଥିବା ବବିତା ଏବେ ବିଏଡ଼୍ ପଢ଼ୁଛନ୍ତି । ପିଲାବେଳକୁ ପାଣି ପାଇଁ ମା’ର ଅକୁହା ବେଦନା ଦେଖିଛନ୍ତି । ଘରେ କିମ୍ବା ଘର ନିକଟରେ ପାଣିର ସୁବିଧା ନଥିବାରୁ ମାଇଲ ମାଇଲ ବାଟ ଚାଲୁଥିଲେ ନୀନା ସୋରେନ । ମା’ର ଦୁଃଖ ଅସହ୍ୟ ହେଉଥିଲେ ବି କିଛି କରିପାରୁନଥିଲେ ବବିତା । କୁନି ପିଲା କ’ଣ ବା କରିପାରିଥାଆନ୍ତି । ବଡ଼ ହେବା ସଙ୍ଗେ ସଙ୍ଗେ ମା’ ପାଇଁ ସେ ଖୋଜୁଥିଲେ ସ୍ଥାୟୀ ସମାଧାନ  ।

ତେବେ କେବଳ ଚିନ୍ତା କରୁଥିଲେ ତା’ ନୁହେଁ ବବିତା କେବଳ ମା’ ପାଇଁ ୨୦୧୯ରୁ କୂଳ ଖୋଲିବା ଆରମ୍ଭ କରିଦେଇଥିଲେ  । ହେଲେ ପାଠପଢ଼ା ପାଇଁ ହଷ୍ଟେଲ ଯିବାକୁ ପଡ଼ୁଥିବାରୁ କୂଅ ଖୋଳା ଶେଷ ହୋଇପାରିନଥିଲା  । ତେବେ କରୋନା ପାଇଁ ସାରା ଦେଶ ତାଲାବନ୍ଦରେ ଥିବାବେଳେ ତାଙ୍କ ପାଇଁ କୂଅ ଖୋଳିବାକୁ ଉପଯୁକ୍ତ ଅବସର ମିଳିଥିଲା । ଆଉ ଏହି ଏକଡାଉନରେ ପ୍ରତିଦିନ ସକାଳୁ ଉଠିବା ମାତ୍ରେ ଦଉଡ଼ିରେ ତଳକୁ ଯାଇ କୂଳ ଖୋଳୁଥିଲେ । ଅନେକ ପରିଶ୍ରମ ପରେ ଆଜି ବବିତା ତାଙ୍କ ମା’ ପାଇଁ କୂଳଟିଏ ଖୋଳି ପାରିଛନ୍ତି । ବିଳମ୍ବରେ ହେଉ ପଛେ ମା’ ମୁହଁରେ ହସ ଫୁଟିଛି ।