ମହାରାଷ୍ଟ୍ର ରତ୍ନାଗିରିରେ ପ୍ରବଳ ବର୍ଷା ଯୋଗୁଁ ଭାଙ୍ଗିଲା ଡ୍ୟାମ୍ : ୨ ମୃତ, ୨୨ ଜଣ ନିଖୋଜ

81

କନକ ବ୍ୟୁରୋ : ମାୟାନଗରୀରେ ବର୍ଷା ବିତ୍ପାତ । ପ୍ରବଳ ବର୍ଷାରେ ଦେଶର ଆର୍ଥିକ ରାଜଧାନୀର ସ୍ଥିତି ସଙ୍ଗୀନ । ପାଣିରେ ଉବୁଟୁବ ହେଉଛି ମୁମ୍ବାଇ । ଭୟଙ୍କର ବର୍ଷା ଯୋଗୁଁ ମହାରାଷ୍ଟ୍ରର ରତ୍ନାଗିରି ସ୍ଥିତ ତବରେ ଡ୍ୟାମ୍ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି । ଫଳରେ ଡ୍ୟାମ୍ ତଳେ ଥିବା ୭ଟି ଗାଁକୁ ବନ୍ୟା ଆସିଛି । ଅଚାନକ୍ ବନ୍ୟା ଆସିବା ଯୋଗୁଁ ୨ ଜଣ ଲୋକ ପ୍ରାଣ ହରାଇବା ସହ ୨୨ ଜଣ ଲୋକ ନିଖୋଜ ଅଛନ୍ତି । ସୂଚନା ମିଳିବା ପରେ ଜିଲ୍ଲା ପ୍ରଶାସନ ଉଦ୍ଧାର କାମ ଆରମ୍ଭ କରିଦେଇଛି । ଘଟଣାସ୍ଥଳକୁ ୨ଟି ଏନଡ଼ିଆରଏଫ୍ ଟିମ୍ ପଠାଇ ଦିଆଯାଇଛି ।

ମହାରାଷ୍ଟ୍ରରେ ରବିବାର ଠାରୁ ମୌସୁମୀ ବର୍ଷା ଲାଗି ରହିଛି । ଲଗାତାର ବର୍ଷର ଯୋଗୁଁ ରତ୍ନାଗିରି ତବରେ ଡ୍ୟାମର ଜଳସ୍ତର ବୃଦ୍ଧି ପାଇଥିଲା । ଆଉ ଡ୍ୟାମ୍ ଭାଙ୍ଗି ତଳିଆ ଗାଁ ଗୁଡ଼ିକରେ ଅଚାନକ୍ ବନ୍ୟା ଆସିଯାଇଥିଲା । ଡ୍ୟାମ ପାଣିର ସ୍ରୋତରେ ୧୨ଟି ଘର ସମ୍ପୂର୍ଣ୍ଣ ଭାସିଗଲା । ସୂଚନା ଅନୁସାରେ ସେହି ଘରେ ରହୁଥିବା ଲୋକ ନିଖୋଜ ହୋଇଯାଇଛନ୍ତି । ବର୍ତ୍ତମାନ ସୁଦ୍ଧା ନିଖୋଜଙ୍କୁ ଉଦ୍ଧାର କରାଯାଇ ପାରିି ନାହିଁ ।

ଡ୍ୟାମରେ ପାଣି ବୋହି ଯାଇ ନିଖୋଜମାନଙ୍କୁ ତଳିଆ ଅଂଚଳରେ ଖୋଜୁଛି ଏନଡିଆରଏଫ୍ ଟିମ୍ । କିନ୍ତୁ ସେମାନେ ଜୀବିତ ତା ମୃତ କିଛି କହିଦେବ ନାହିଁ । ଜିଲ୍ଲା ପ୍ରଶାସନ, ପୋଲିସ ଓ କିଛି ସ୍ୱେଚ୍ଛାସେବୀ ଗୋଷ୍ଠୀ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ମୁମ୍ବାଇ ସମେତ ମହାରାଷ୍ଟ୍ରର ଅନେକ ଅଂଚଳରେ ବର୍ଷା ଯୋଗୁଁ ସ୍ଥିତି ସଙ୍ଗୀନ ରହିଛି । ବର୍ଷା ଯୋଗୁଁ ଏବେ ପର୍ଯ୍ୟନ୍ତ ୩୮ ଜଣ ଲୋକଙ୍କ ପ୍ରାଣ ହରାଇଥିବା ବେଳେ ୭୫ ଜଣ ଲୋକ ଆହତ ହୋଇଛନ୍ତି ।