ବଦଳିଲା ଗ୍ୟାଙ୍ଗଷ୍ଟର ଟିଟୋର ଠିକଣା ! କେନ୍ଦ୍ରାପଡା ଜେଲରୁ ଝାରପଡା ଜେଲକୁ କରାଗଲା ସ୍ଥାନାନ୍ତର

175

କନକ ବ୍ୟୁରୋ :  ଟିଟୋକୁ କେନ୍ଦ୍ରାପଡା ଜେଲରୁ ଝାରପଡା ଜେଲକୁ ହେଲା ସ୍ଥାନାନ୍ତର । କଡା ସୁରକ୍ଷା ମଧ୍ୟରେ ଟିଟୋକୁ କେନ୍ଦ୍ରାପଡା ଜେଲରୁ ଭୁବନେଶ୍ୱରର ଝାରପଡା ଜେଲକୁ ଅଣାଯାଇଛି । ପ୍ରଶାସନିକ ଶୃଂଖଳା ଦୃଷ୍ଟିରୁ ଏପରି ସ୍ଥାନାନ୍ତର କରାଯାଇଥିବା କୁହାଯାଇଛି । ୨୦୧୮ ସେପ୍ଟେମ୍ୱର ମାସରେ ସୟଦ୍ ଉସମାନ୍ ଅଲ୍ଲୀ ଓରଫ୍ ଗ୍ୟାଙ୍ଗଷ୍ଟର ଟିଟୋକୁ କେନ୍ଦ୍ରାପଡାରୁ ଗିରଫ କରିଥିଲା ସ୍ପେଶାଲ ଟାସ୍କ ଫୋର୍ସ । ରାଜକନିକାରେ ନସିରୁଦ୍ଧିନ ଉପରେ ମରଣାନ୍ତକ ଆକ୍ରମଣରେ ଟିଟୋ ବିପକ୍ଷରେ ସୁରାକ୍ ମିଳିବା ପରେ ପରେ ଏସଟିଏଫ୍ ତାଙ୍କୁ ଗିରଫ କରିଥିଲା ।

୨୦୧୦ ମସିହା ସେପ୍ଟେମ୍ୱର ମାସର ଥିଲା ନସିରୁଦ୍ଧିନ ଉପରେ ମରଣାନ୍ତକ ଆକ୍ରମଣ ଘଟଣା । ଆଗରୁ ଜେଲରେ ଥିବା ବେଳେ ନସିରୁଦ୍ଧିନକୁ ରାସ୍ତାରୁ ହଟେଇବାକୁ ଟିଟୋ କରିଥିଲା ବ୍ଲୁ ପ୍ରିଂଟ । କେନ୍ଦ୍ରାପଡାର ଏହି କୁଖ୍ୟାତ ଗ୍ୟାଙ୍ଗଷ୍ଟର ନାଁରେ ଦାଦାବଟି ଆଦାୟ, ବାଲିଘାଟ ଟେଂଡର ଫିକ୍ସିଂ ଠାରୁ ଆରମ୍ଭ କରି ହତ୍ୟା ପରି ପ୍ରାୟ ୩୮ ଟି ମାମଲା ରହିଛି । ତେବେ ପୋଲିସ ସୂଚନା ଅନୁସାରେ ଏହି ୩୮ ଟି ମାମଲାରୁ ୩୬ଟି ମାମଲାରେ ସେ ସାକ୍ଷ୍ୟପ୍ରମାଣ ଅଭାବରୁ କୋର୍ଟରୁ ନିର୍ଦୋଷରେ ଖଲାସ ହୋଇଥିଲା । ଏବେ ତାର ନାଁରେ ଗ୍ୟାଙ୍ଗଷ୍ଟର ସୁଲେମାନ୍ ହତ୍ୟାକାଣ୍ଡର ମାମଲା ଚାଲିଛି ।