ଆଜିଠୁ ତୃତୀୟ ପର୍ଯ୍ୟାୟ ନାମାଙ୍କନ : ୬ ଲୋକସଭା ଓ ୪୨ ବିଧାନସଭା ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି

153

କନକ ବ୍ୟୁରୋ : ଆଜିଠୁ ତୃତୀୟ ପର୍ଯ୍ୟାୟ ନାମାଙ୍କନ । ତୃତୀୟ ପର୍ଯ୍ୟାୟରେ ୬ଟି ଲୋକସଭା ଓ ୪୨ଟି ବିଧାନସଭା ଲାଗି ନିର୍ବାଚନ ଅନୁଷ୍ଠିତ ହେବ । ସମ୍ବଲପୁର, ଢ଼େଙ୍କାନାଳ, କଟକ, ପୁରୀ, ଭୁବନେଶ୍ୱର ଓ କେନ୍ଦୁଝର ସଂସଦୀୟ କ୍ଷେତ୍ର ଓ ଏହାର ଅଧିନସ୍ଥ ବିଧାନସଭା ଆସନ ପାଇଁ ଆଜିଠାରୁ ପ୍ରାର୍ଥୀ ପତ୍ର ଦାଖଲ ଆରମ୍ଭ ହେବ । ଏପ୍ରିଲ ୪ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଚାଲିବ । ଏପ୍ରିଲ ୫ତାରିଖରେ ନାମାଙ୍କନ ପତ୍ର ଯାଂଚ ହେବ ଓ ଏପ୍ରିଲ ୮ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଏପ୍ରିଲ ୨୩ ତାରିଖରେ ଭୋଟ୍ ଗ୍ରହଣ ହେବ ।

ସମ୍ବଲପୁର ଲୋକସଭା ଆସନ ଅନ୍ତର୍ଗତ କୁଚିଣ୍ଡା (ଏସଟି), ରେଙ୍ଗାଲି (ଏସସି), ସମ୍ବଲପୁର (ସା), ରେଢ଼ାଖୋଲ (ସା), ଦେବଗଡ (ସା), ଛେଣ୍ଡିପଦା (ଏସସି), ଆଠମଲ୍ଲିକ (ସା) ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି । କେନ୍ଦୁଝର ଲୋକସଭା ଆସନ ଅଧୀନରେ ଆସୁଥିବା ତେଲକୋଇ (ଏସଟି), ଘସିପୁରା (ସା), ଆନନ୍ଦପୁର (ଏସସି), ପାଟଣା (ଏସଟି), କେନ୍ଦୁଝର (ଏସଟି), ଚମ୍ପୁଆ (ସା), କରଞ୍ଜିଆ (ଏସଟି) ବିଧାନସଭା ଆସନ ସହିତ ଢେଙ୍କାନାଳ ଲୋକସଭା ଆସନ ଅଧୀନରେ ଆସୁଥିବା ଢେଙ୍କାନାଳ (ସା), ହିନ୍ଦୋଳ (ଏସସି), କାମାକ୍ଷାନଗର (ସା), ପରଜଂଗ (ସା), ପାଲଲହଡା (ସା), ତାଳଚେର (ସା), ଅନୁଗୁଳ (ସା) ବିଧାନସଭା ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ।

ସେହିପରି କଟକ ଲୋକସଭା ନିର୍ବାଚନମଣ୍ଡଳୀ ଅଧୀନରେ ଆସୁଥିବା ବଡମ୍ବା (ସା), ବାଙ୍କୀ (ସା), ଆଠଗଡ଼ (ସା), ବାରବାଟୀ-କଟକ (ସା), ଚୌଦ୍ବାର-କଟକ (ସା), କଟକ-ସଦର (ଏସସି) ଓ ଖଣ୍ଡପଡ଼ା (ସା) ବିଧାନସଭା ନିର୍ବାଚନମଣ୍ଡଳୀ ସହିତ ପୁରୀ ଲୋକସଭା ଆସନ ଅନ୍ତର୍ଗତ ପୁରୀ (ସା), ବ୍ରହ୍ମଗିରୀ (ସା), ସତ୍ୟବାଦୀ (ସା), ପିପିଲି (ସା), ଚିଲିକା (ସା), ରଣପୁର (ସା) ଏବଂ ନୟାଗଡ଼ (ସା) ବିଧାନସଭା ଆସନ ପାଇଁ ବିଜ୍ଞପ୍ତି ଜାରି ହେବ । ଭୁବନେଶ୍ବର ଲୋକସଭା ଆସନ ଅଧୀନରେ ଆସୁଥିବା ଜୟଦେବ (ଏସଟି), ଭୁବନେଶ୍ବର-ମଧ୍ୟ (ସା), ଭୁବନେଶ୍ବର-ଉତ୍ତର (ସା), ଭୁବନେଶ୍ବର -ଏକାମ୍ର (ସା), ଜଟଣୀ (ସା), ବେଗୁନିଆ (ସା) ଏବଂ ଖୋର୍ଧା (ସା) ବିଧାନସଭା ଆସନ ପାଇଁ ନିର୍ବାଚନ କମିସନ ବିଜ୍ଞପ୍ତି ପ୍ରକାଶ କରିବେ।