କନକ ବ୍ୟୁରୋ : ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ରେ ରାଜ୍ୟମାନେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶନାମାକୁ ଲାଗୁ କରିବା ସତ୍ତ୍ବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। କିଛି ରାଜ୍ୟମାନେ କୌଣସି ପ୍ରକାର କୋହଳ ପ୍ରଦର୍ଶନ କରିବା ପକ୍ଷରେ ନ ଥିବା ବେଳେ କିଛି ରାଜ୍ୟମାନେ ନିୟନ୍ତ୍ରିତ ପ୍ରକ୍ରିୟାରେ ନିର୍ଦ୍ଦେଶନାମାଗୁଡ଼ିକୁ ଲାଗୁ କରୁଛନ୍ତି। ଦିଲ୍ଲୀ ସରକାର କେନ୍ଦ୍ର ସରକାରଙ୍କ ସମସ୍ତ ନିର୍ଦ୍ଦେଶନାମା ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ଝାଡ଼ଖଣ୍ଡ ସରକାର ତୃତୀୟ ପର୍ଯ୍ୟାୟରେ କୌଣସି ପ୍ରକାର ରିହାତି କଟକଣା ଦିଆଯିବ ନାହିଁ ବୋଲି କହିଛନ୍ତି।
ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କ ସମସ୍ତ ନିର୍ଦ୍ଦେଶନାମା ଆଧାରରେ ନୂତନ ନିୟମାବଳୀ ଜାରି କରି ଏହାର ସଫଳ ରୂପାୟନ କରିବାକୁ ତତ୍ପରତା ଦେଖାଉଛନ୍ତି। ଏହା ସହିତ ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ ଓଡ଼ିଆମାନଙ୍କୁ ସଂଗରୋଧରେ ରହି ସରକାରଙ୍କ ସମସ୍ତ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଅପିଲ କରାଯିବା ସହିତ ନିୟମ ଭାଙ୍ଗିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ସୋମବାରଠାରୁ ଆରମ୍ଭ ହୋଇଥିବା ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ରେ ରେଡ୍, ଅରେଂଜ ଓ ଗ୍ରିନ୍ ଜୋନ୍ରେ ଅଲଗା ଅଲଗା ରିହାତି ଓ କଟକଣା ଜାରି କରାଯାଇଛି। ମାତ୍ର ସମସ୍ତ ପ୍ରକାର କଟକଣା ସତ୍ତ୍ବେ ଯେଉଁଭଳି ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ତାହା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚିନ୍ତାକୁ ଦ୍ବିଗୁଣିତ କରି ଦେଇଛି। ଗତ ତିନି ଚାରି ଦିନର ବିବରଣୀକୁ ଦେଖିଲେ ଜଣାପଡୁଛି ପ୍ରତ୍ୟେକ ଦିନ ୨୦୦୦ରୁ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି। ବର୍ତ୍ତମାନ କେନ୍ଦ୍ର ସରକାର ରାଜ୍ୟମାନଙ୍କର ସ୍ଥିତିକୁ ଦେଖି ଲକ୍ଡାଉନ୍ର ନିୟମଗୁଡ଼ିକ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ, ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଗମନାଗମନ କରୁଥିବା ବ୍ୟକ୍ତିମାନଙ୍କ ତଥ୍ୟକୁ ସମନ୍ବିତ ସର୍ଭିଲାନ୍ସ ଦ୍ବାରା ଆଦାନପ୍ରଦାନ କରାଗଲେ ସେଥିରୁ ସଂକ୍ରମଣର ପ୍ରସାରକୁ ନିୟନ୍ତ୍ରଣ କରିବାର ରଣନୀତି ଅତ୍ୟନ୍ତ ପ୍ରଭାବଶାଳୀ ହୋଇପାରିବ। କେନ୍ଦ୍ର ସରକାର ରାଜ୍ୟମାନଙ୍କଠାରୁ ନିୟମିତ ତଥ୍ୟ ସଂଗ୍ରହ କରୁଥିବା ଲକ୍ଡାଉନ୍ ଅବଧିରେ କଟକଣାରେ କୋହଳ କରାଯାଉଥିବା ନିୟମକୁ ପାଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏତଦ୍ବ୍ୟତୀତ ରାଜ୍ୟମାନଙ୍କରେ ଟେଷ୍ଟିଂ ବୃଦ୍ଧି କରିବା ସହିତ ସଂକ୍ରମିତଙ୍କ ମନିଟରିଂ ଏବଂ ସଂଗରୋଧର ରଣନୀତିରେ କୌଣସି ସ୍ତରରେ ଯେଭଳି ଉଲ୍ଲଂଘନ ନ ହୁଏ ସେ ନେଇ ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/16-5.jpg)