କନକ ବ୍ୟୁରୋ : ଆଜି ଶ୍ରାବଣ ତୃତୀୟ ସୋମବାର । ଶୈବପୀଠରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ହରହର ମହାଦେବଙ୍କ ଉପରେ ଜଳ ଲାଗି କରିବା ପାଇଁ ମନ୍ଦିରରେ କାଉଡ଼ିଆଙ୍କ ଗହଳି ଲାଗିଛି । ଧାଡ଼ି ଯାଇ ଭୋଳା ବାବାଙ୍କ ଉପରେ ପାଣି ଢାଳୁଛନ୍ତି କାଉଡିଆ । ପ୍ରବଳ ବର୍ଷା ସତ୍ୱେ କାହିଁ କେତେ ବାଟରୁ ପାଣି ଭାର ଆଣି ଭକ୍ତମାନେ ମନ୍ଦିରରେ ପହଂଚିଛନ୍ତି ।

Advertisment

ବିଶେଷ କରି ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଢେଙ୍କାନାଳର କପିଳାଶ, ନୟାଗଡର ଲଡୁବାବା, ପୁରୀର ଲୋକନାଥ, ବାଲେଶ୍ୱରର ପଂଚଲିଙ୍ଗେଶ୍ୱର, ଭଦ୍ରକ ଆରଡିର ବାବା ଆଖଣ୍ଡଳମଣିଙ୍କ ପୀଠରେ କାଉଡିଆଙ୍କ ଭିଡ ଲାଗିଛି । ବିଶ୍ୱାସ ରହିଛି, ଶ୍ରାବଣ ମାସରେ ମହେଶ୍ୱରଙ୍କ ଉପରେ ଜଳ ଲାଗି କଲେ ମନସ୍କାମନା ପୂରଣ ହୋଇଥାଏ ।

ଏହି ବିଶ୍ୱାସକୁ ଆଧାର କରି ଶ୍ରଦ୍ଧାଳୁ ମାନେ ପାଣି ଭାର ଧରି ଶହଶହ କିଲୋମିଟର ବାଟ ଚାଲିଚାଲି ଆସି କପିଳାସର ବାବ ଚନ୍ଦ୍ରଶେଖର ପୀଠରେ ପହଂଚି ବାବାଙ୍କୁ ଜଳାଭିଷେକ କରିଛନ୍ତି । ଅନ୍ୟ ସମୟରେ ବ୍ରାହ୍ମଣ ଜଳାଭିଷେକ କରୁଥିବା ବେଳେ ଶ୍ରାବଣ ସୋମବାରରେ ଶ୍ରଦ୍ଧାଳୁମାନେ ନିଜେ ମହାଦେବଙ୍କ ଉପରେ ଜଳଲାଗି କରିଥାନ୍ତି ।

ହର ହର ମହାଦେବ ଧ୍ୱନୀରେ କମ୍ପୁଛି ମନ୍ଦିରମାଳିନୀ ସହରର ଲିଙ୍ଗରାଜ ମାନ୍ଦିର ପରିସର । ଲାଗିଛି କାଉଡ଼ିଆଙ୍କ ଭିଡ଼ । ଧାଡ଼ିରେ ଯାଇ ବାବାଙ୍କ ଉପରେ ଜଳ ଲାଗି କରୁଛନ୍ତି ଶ୍ରଦ୍ଧାଳୁ । ପ୍ରବଳ ବର୍ଷା ସତ୍ୱେ କାନ୍ଧରେ ପାଣି ଭାର ଧରି ବଡ଼ି ଭୋରରୁ ଧାଡିରେ ଯାଇଁ ଜଳଲାଗି କରୁଛନ୍ତି ଶ୍ରଦ୍ଧାଳୁ । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । କାଉଡ଼ିଆ କିଭଳି ଶାନ୍ତି ଶୃଙ୍ଖଳାର ସହ ଜଳ ଲାଗି କରିବେ ସେଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।