କରୋନାରୁ ଆରୋଗ୍ୟ ହେବାପରେ ମାନସିକ ବିକୃତି ଆଶଙ୍କା । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଗବେଷଣା

415

କନକ ବ୍ୟୁରୋ : ସାମାନ୍ୟ କୋଭିଡ୍‌-୧୯ ଲକ୍ଷଣ ଦେଖାଦେଇଥିବା ରୋଗୀଙ୍କ ଠାରେ ରୋଗପ୍ରତିରୋଧ ପ୍ରତିକ୍ରିୟା ମାସ ମାସ ଧରି ରହିଥାଏ ବୋଲି ଗବେଷକମାନେ ଜାଣିପାରିଛନ୍ତି। ସେହିପରି ମହାମାରୀ କୋଭିଡ୍‌ରୁ ଆରୋଗ୍ୟ ଲାଭ ପରେ ସଂପୃକ୍ତ ରୋଗୀ ଠାରେ ମାନସିକ ବିକୃତିର ଆଶଙ୍କା ରହିଛି ବୋଲି ମଧ୍ୟ ଅନ୍ୟ ଏକ ଗବେଷଣାରୁ ଜଣାଯାଇଛି। କୋଭିଡ୍‌ ସଂକ୍ରାନ୍ତ ପୂର୍ବରୁ ଗୃହୀତ ରିପୋର୍ଟ ଅନୁଯାୟୀ, ସାମାନ୍ୟ କୋଭିଡ୍‌ ରୋଗୀଟିଏ ସୁସ୍ଥ ହେଲା ପରେ ତା’ଠାରେ ରୋଗପ୍ରତିରୋଧ ସୃଷ୍ଟିକାରୀ ଆଣ୍ଟିବଡିଗୁଡ଼ିକ କମି ଆସିବା ସହ ରୋଗପ୍ରତିରୋଧକ ମଧ୍ୟ ଫିକା ପଡ଼ି ଧୀରେ ଧୀରେ ଉଭେଇ ଯାଏ।

ମାତ୍ର ଗତ ମାସରେ ଚୀନର ଗବେଷକମାନେ ୩୪୯ ଜଣ କୋଭିଡ୍‌ ରୋଗୀଙ୍କ ଉପରେ ଚଳାଇଥିବା ଅନୁଧ୍ୟାନରୁ ଭିନ୍ନ ଏକ ନୂତନ ସିଦ୍ଧାନ୍ତରେ ପହଞ୍ଚି ପାରିଛନ୍ତି। ରୋଗୀର ଲକ୍ଷଣ ନିର୍ବିଶେଷରେ ଛଅ ମାସ ପରେ ମଧ୍ୟ ରୋଗୀଠାରେ ସମାନ ପ୍ରକାରର ରୋଗପ୍ରତିରୋଧ ପ୍ରତିକ୍ରିୟା ପରିଲକ୍ଷିତ ହୋଇଥିବା ଜଣାଯାଇଛି।

ସେହିପରି ଗତ ସପ୍ତାହରେ ଆମେରିକୀୟ ଗବେଷକମାନେ ମଧ୍ୟ ୧୫ ଜଣ ସାମାନ୍ୟ କୋଭିଡ୍‌-୧୯ ଲକ୍ଷଣଧାରୀ ରୋଗୀ ସୁସ୍ଥ ହେବାର ତିନି ମାସ ପରେ ରକ୍ତ ପରୀକ୍ଷାରୁ ସେମାନଙ୍କ ଠାରେ ଆଣ୍ଟିବଡି, ବି କୋଷିକା ଓ ଟି କୋଷିକା ପରି ରୋଗପ୍ରତିରୋଧକର ତିନିଟି ଯାକ ଉପାଦାନ ରହିଥିବା ଜାଣିପାରିଛନ୍ତି। ସେମାନେ ପୁଣି ଥରେ ସଂକ୍ରମିତ ହେବାର ଆଶଙ୍କା କମ୍‌ ବୋଲି ଗବେଷକମାନେ କହିଛନ୍ତି। ସୁତରାଂ ସଂକ୍ରମିତ ହେବାର ପ୍ରଥମ ତିନି ମାସ ପରେ ରୋଗୀଙ୍କୁ ପୁଣି ଥରେ କୋଭିଡ୍‌-୧୯ ପରୀକ୍ଷା କରାଇବାର ଆବଶ୍ୟକତା ନାହିଁ ବୋଲି ଆମେରିକାର ରୋଗ ଓ ଭେଷଜ ନିୟନ୍ତ୍ରଣ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

ସେହିପରି ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ ୬୨,୦୦୦ କୋଭିଡ୍‌-୧୯ ରୋଗୀଙ୍କ ଉପରେ କରାଯାଇଥିବା ଅନ୍ୟ ଏକ ଅନୁଧ୍ୟାନରୁ ପ୍ରତି ୧୬ ଜଣଙ୍କ ଭିତରୁ ଜଣକ ଠାରେ ମାନସିକ ସ୍ବାସ୍ଥ୍ୟ ବିଗିଡ଼ିଯିବାର ଆଶଙ୍କା ରହିଥିବା ଜଣାଯାଇଛି। ସଂକ୍ରମଣ ଆଗରୁ ସେମାନଙ୍କ ଭିତରୁ କାହାଠାରେ ମାନସିକ ବିକୃତି ନଥିବା ବେଳେ ସଂକ୍ରମଣର ତିନି ମାସ ଭିତରେ ଅତି କମ୍‌ରେ ଜଣଙ୍କ ଠାରେ ଉତ୍କଣ୍ଠା, ଅବସାଦ, ନିଦ୍ରାହୀନତା, ପାଗଳାମୀ ପରି ବିକୃତି ଦେଖାଯାଇଛି। ତେଣୁ କୌଣସି ସଂକ୍ରମିତଙ୍କ ଠାରେ ଏଭଳି କୌଣସି ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ କୁହାଯାଇଛି, ହୁଏ ତ ଆବଶ୍ୟକ ଚିକିତ୍ସା ମିଳିଲେ ଏପରି ମାନସିକ ବିକୃତିକୁ ଦୂର କରିହେବ ବୋଲି ସେମାନେ ଆଶାବାଦୀ ଅଛନ୍ତି।