କନକ ବ୍ୟୁରୋ : କରୋନା କଟକଣା ପାଇଁ ଦୋହଲିଯାଇଛି ଟ୍ରକ୍, ଟିପର ମାଲିକଙ୍କ ଆର୍ଥିକ ସ୍ଥିତି । କେନ୍ଦୁଝର ଏବଂ ଯାଜପୁର ଜିଲ୍ଲାର ୩୦ହଜାରରୁ ଊର୍ଦ୍ଧ୍ବ ଟ୍ରକ୍ ଏବେ ରାସ୍ତା କଡ଼ରେ ଠିଆ ହୋଇ କଳଙ୍କି ଖାଉଛି । ପରିବହନ ବ୍ୟବସ୍ଥା ଏକପ୍ରକାର ଠପ୍ ହୋଇଯାଇଥିବାରୁ ୫୦ ହଜାରରୁ ଊର୍ଦ୍ଧ୍ବ ଟ୍ରକ୍ ଚାଳକ ଏବଂ ହେଲ୍ପର ପେଟପାଟଣା ଚିନ୍ତାରେ ଅଛନ୍ତି। ଏଥିସହ ଏହି ପରିବହନ କାର୍ଯ୍ୟ ଉପରେ ପରୋକ୍ଷ ଭାବେ ନିର୍ଭରଶୀଳ ଶ୍ରମିକମାନେ ମଧ୍ୟ ଭୋକ ଉପାସରେ କାଳ କାଟିବାକୁ ବାଧ୍ୟ ହୋଇଛନ୍ତି।
କେନ୍ଦୁଝର ଜିଲ୍ଲାରେ ପାଖାପାଖି ୧୬ ହଜାର ଟ୍ରକ ଏବଂ ଟିପର ମାଲିକ ବିଭିନ୍ନ ସଂଘରେ ନିଜର ନାମ ପଞ୍ଜୀକରଣ କରିଛନ୍ତି। ଯଦି ସବୁଗୁଡ଼ିକୁ ହିସାବକୁ ନିଆଯାଏ ତାହା ହେଲେ ପାଖାପାଖି ୨୦ ହଜାର ଟ୍ରକ୍, ଟିପର, ହାଇୱା ଜିଲ୍ଲାରେ ରହିଛି। ଏହି ଗାଡ଼ିଗୁଡ଼ିକରେ ପ୍ରାୟ ୪୦ହଜାର ଚାଳକ ଏବଂ ଡ୍ରାଇଭର କାମ କରୁଛନ୍ତି। କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘର ଗାଡ଼ିଗୁଡିକ ସାଧାରଣତଃ ଓଏମ୍ସି ଅଧୀନରେ ଥିବା ଗନ୍ଧମାର୍ଦ୍ଧନ ଲୁହା ଖଣିରୁ ଲୁହାପଥର ପରିବହନ କରିଥାନ୍ତି। ଏହାବାଦ୍ ରାଜ୍ୟ ବାହାରକୁ ଯଥା ପଶ୍ଚିମବଙ୍ଗର ପୁରୁଲିଆ, ହଳଦିଆ, ଝାଡଗ୍ରାମ, ଖଡଗପୁର ପରି ଝାଡଖଣ୍ଡର ଭିଲାଇ, ବେକାରୋ ଆଦି ସ୍ଥାନକୁ ଲୁହାପଥର ପରିବହନ ହେଉଥିଲା। ସେହିପରି ଆନ୍ଧ୍ର ପ୍ରଦେଶର ବିଭିନ୍ନ କାରଖାନାକୁ ମଧ୍ୟ ଲୁହାପଥର ଯାଉଥିଲା ।
ତେବେ ଗତ ମାର୍ଚ୍ଚ ୨୨ ତାରିଖରୁ କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘର ନିଷ୍ପତ୍ତି କ୍ରମେ ଗନ୍ଧମାର୍ଦ୍ଧନ ଲୁହାପଥର ଖଣିରୁ ପରିବହନ ବନ୍ଦ ରହିଲା। ପାଖାପାଖି ଏକ ମାସ ବନ୍ଦ ରହିବା ପରେ ଗତ ୨୦ ତାରିଖରୁ ଗନ୍ଧମାର୍ଦ୍ଧନରୁ ଏବେ ପାରାଦ୍ବୀପ, ଗୋପାଳପୁର ଲୁହାପଥର ପରିବହନ ହେଉଛି। ପୂର୍ବରୁ ନିୟମିତ ୮ ହଜାର ଗାଡ଼ି ନିୟୋଜିତ ହେଉଥିବା ବେଳେ ଏବେ ଅଳ୍ପକିଛି ଗାଡ଼ି ଗୋପାଳପୁର ଏବଂ ପାରାଦ୍ବୀପକୁ ଯାଉଛି। ଦ୍ବିତୀୟରେ ଯେଉଁ ଗାଡି ଲୁହାପଥର ନେଇ ବାହାରକୁ ଯାଉଛି, ଫେରିବା ପରେ ଡ୍ରାଇଭରଙ୍କୁ ନିଜ ଗ୍ରାମରେ ପୂରାଇ ଦେଉ ନ ଥିବାରୁ ସମସ୍ୟା ହେଉଛି। ଏଥିସହ ୬୦ ପ୍ରତିଶତ ଡ୍ରାଇଭର ପଡୋଶୀ ଝାଡ଼ଖଣ୍ଡ ଏବଂ ବିହାର ରାଜ୍ୟର। ଅଧିକାଂଶ ନିଜ ଗ୍ରାମକୁ ପଳାଇ ଆଉ ଆସିପାରୁ ନାହାନ୍ତି। ହଜାର ହଜାର ଗାଡି ଚଳଚଳ ବନ୍ଦ ଥିବାରୁ ଏବେ ଡ୍ରାଇଭର ଏବଂ ହେଲପରଙ୍କ ଘରେ ଚୁଲି ଜଳିବା କଷ୍ଟକର ହୋଇପଡ଼ିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/dg98j7dg98j7dg98j7dgjjjjjjjjjjjjjjjj.jpg)