ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଆମେରିକା ରାଷ୍ଟ୍ରପତିଙ୍କ ବିମାନ । ଡୋନାଲ୍ଡ ଟ୍ରମ୍ପଙ୍କ ବିମାନକୁ ଧକ୍କା ଦେଇଥାନ୍ତା ଡ୍ରୋନ ।  ୱାସିଂଟନ ବିମାନ ବନ୍ଦରରେ ଅବତରଣ ପୂର୍ବରୁ ଡ୍ରୋନକୁ ଦେଖିଥିବା ଦାବି କଲେ ଏୟାରଫୋର୍ସ ୱାନର ଅଧିକାରୀ

802

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିମାନରେ ଧକ୍କା ହୋଇଥାନ୍ତା ଏକ ଡ୍ରୋନ୍ । ରବିବାର ସଂଧ୍ୟାରେ ୱାସିଂଟନ ବିମାନବନ୍ଦରରେ ଟ୍ରମ୍ପଙ୍କ ବିମାନ ଏୟାରଫୋର୍ସ ୱାନ୍, ଅବତରଣ କରିବାର କିଛି ସମୟ ପୂର୍ବରୁ ଏହାର ଅତି ନିକଟ ଦେଇ ଯାଇଥିଲା ଏକ ଡ୍ରୋନ୍ । ତେବେ ଡ୍ରୋନଟି ଧକ୍କା ହେବାରୁ ଅଳ୍ପକେ ବର୍ତି ଯାଇଥିଲା । ଯଦିଓ ଆମେରିକା ସିକ୍ରେଟ ସର୍ଭିସ ଏନେଇ କୌଣସି ପ୍ରତିକ୍ରିୟା ରଖିନାହିଁ । କିନ୍ତୁ ଏୟାରଫୋର୍ସ ୱାନରେ ସବାର ଅନେକ ଯାତ୍ରୀ ଏକ ହଳଦିଆ ଓ କଳା ରଙ୍ଗର ଯାନ ଦେଖିଥିବା ଦାବି କରିଛନ୍ତି ।

ଏହା ବିମାନର ଡାହାଣ ପଟରେ ଅତି ନିକଟରେ ଚାଲି ଯାଇଥିଲା ବୋଲି ସେମାନ ସୂଚନା ଦେଇଛନ୍ତି । ଆମେରିକା ରାଷ୍ଟ୍ରପତିଙ୍କ ଏୟାରଫୋର୍ସ ୱାନ ବିମାନ ରବିବାର ସଂଧ୍ୟା ୫ଟା ୪୫ ମିନିଟରେ ୱାସିଂଟନ ବିମାନବନ୍ଦରରେ ଅବତରଣ କରିଥିଲା । ହେଲେ ବିମାନଟି ରନୱେକୁ ଓହ୍ଲାଇବାର କିଛି ସମୟ ପୂର୍ବରୁ ଏହି ଡ୍ରୋନଟିକୁ ଦେଖିଥିଲେ ଏୟାରଫୋର୍ସ ୱାନରେ ବସିଥିବା ଅନେକ ଅଧିକାରୀ । ଆମେରିକାରେ ସୁରକ୍ଷା ନିୟମ ଅନୁସାରେ ଭୂପୃଷ୍ଠରୁ ୪ଶହ ଫୁଟ ଉଚ୍ଚରେ ଡ୍ରୋନ ଉଡାଇବା ପାଇଁ ଅନୁମତି ନାହିଁ ।

ଏପରିକି ବିମାନବନ୍ଦ ଆଖପାଖ ଅଂଚଳ ନିଷିଦ୍ଧାଂଚଳ ହୋଇଥିବାରୁ ଏଠାରେ ଡ୍ରୋନ ଉଡାଇବାକୁ ଅନୁମତି ଦିଆଯାଏ ନାହିଁ । ତଥାପି ଆମେରିକାରେ ପ୍ରତିବର୍ଷ ହଜାର ହଜାର ଏଭଳି ଅଭିଯୋଗ ଆସିଥାଏ । କିନ୍ତୁ ପ୍ରଥମଥର ଆମେରିକା ରାଷ୍ଟ୍ରପତିଙ୍କ ବିମାନ ନିକଟ ଦେଇ ଏକ ଡ୍ରୋନ ଉଡିଥିବାର ଖବର ସାମ୍ନାକୁ ଆସିଛି ।