ଅବକାରୀ ବିଭାଗ ନାକ ତଳେ ଚାଲିଛି ବେଧଡକ ନିଶା କାରବାର । ଆଠଗଡ ବନଖଣ୍ଡ ସଂରକ୍ଷଣ ଜଙ୍ଗଲ ଭିତରେ ଚାଲିଛି ବେଆଇନ୍ ଦେଶି ମଦ ଭାଟି । ସ୍ଥାନୀୟ ଲୋକଙ୍କ ଅଭିଯୋଗ, ସବୁ ଦେଖି ଆଖି ବୁଝି ଦେଇଛି ଅବକାରୀ ବିଭାଗ

206

କନକ ବ୍ୟୁରୋ : ଅବକାରୀ ବିଭାଗ ନାକ ତଳେ ଚାଲିଛି ବେଧଡକ ନିଶା କାରବାର । ସଂରକ୍ଷିତ ଜଙ୍ଗଲରେ ଚାଲିଛି ମଦ ଭାଟି । କଟକ ଜିଲ୍ଲା ଆଠଗଡ ବନଖଣ୍ଡ ସଂରକ୍ଷିଣ ଜଙ୍ଗଲ ଭିତରେ ବେଆଇନ୍ ଦେଶି ମଦ ଭାଟି ଚାଲିଛି । ଏନେଇ ସ୍ଥାନୀୟ ଲୋକଙ୍କ ବାରମ୍ବାର ଜଣାଇଲେ ବି ଅବକାରୀ ବିଭାଗ କି ବନ ବନ ବିଭାଗ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ଜଙ୍ଗଲ ଭିତରେ ଦିନ ଦ୍ୱିପହରରେ ମଦ ମାଫିଆମାନେ ବେଆଇନ୍ କାରବାର କରି ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଏଭଳି ଚିତ୍ର ଆସିଛି ଆଠଗଡର ନୂଆସାହି, ଖଣ୍ଡୁଆଳି, ସରସ୍ୱତୀପୁର, କୋରଙ୍ଗା, କଅଁସର ଅଂଚଳ ଜଙ୍ଗଲରୁ ।

ସଂରକ୍ଷିତ ଜଙ୍ଗଲ ଭିତରେ ବେଆଇନ୍ ମଦ ପ୍ରସ୍ତୁତ ହେଉଥିବା ଦୃଶ୍ୟ ସ୍ଥାନୀୟ ଲୋକ ଦେଖିପାରୁ ଥିବା ବେଳେ ବନ ବିଭାଗ ଓ ଅବକାରୀ ବିଭାଗ କେମିତି ଜାଣି ପାରୁନାହିଁ ବୋଲି ପ୍ରଶ୍ନ ଉଠିଛି । ସବୁଠାରୁ ବଡ କଥା ହେଉଛି ମଦ କାରବାର ନେଇ ସ୍ଥାନୀୟ ଲୋକେ ଅବକାରୀ ବିଭାଗ ଓ ବନ ବିଭାଗକୁ ଜଣାଇଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ଫଳରେ ମାଫିଆ ଓ ବିଭାଗୀୟ ଅଧିକାରୀଙ୍କ ସଲାସୁତରାରେ ସବୁ କାରବାର ଚାଲିଥିବା ଅଭିଯୋଗ ହୋଇଛି ।