ସହରରେ ବହୁଛି ସ୍ୱଚ୍ଛ ବାୟୁ : ୧୪ଟି ସହରରେ ପ୍ରଦୂଷଣ ମାତ୍ରା ହ୍ରାସ

370

କନକ ବ୍ୟୁରୋ :  ସହରରେ ବହୁଛି ସ୍ୱଚ୍ଛ ବାୟୁ । ଗତ ଦେଢ଼ ମାସ ହେଲା ରାଜ୍ୟର ସବୁ ସହରରେ ସ୍ୱଚ୍ଛ ଓ ନିର୍ମଳ ବାୟୁ ପ୍ରବାହିତ ହେଉଛି । କରୋନା ପାଇଁ ସାରା ଦେଶ ଲକ୍‌ଡାଉନ ଥିବାରୁ ବାୟୁ ପ୍ରଦୂଷଣ ଆଶାତୀତ ଭାବେ ହ୍ରାସ ପାଇଛି । ଓଡ଼ିଶାର ସମସ୍ତ ସହରର ପ୍ରଦୂଷଣ ମାତ୍ରା ବହୁ ପରିମାଣରେ କମିଛି, ଯାହାକି ଗତ ଏକ ଦଶନ୍ଧି ମଧ୍ୟରେ କେବେ ବି ଦେଖିବାକୁ ମିଳି ନଥିଲା ବୋଲି ପରିବେଶବିତମାନେ ମତପ୍ରକାଶ କରିଛନ୍ତି ।

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସୂଚନା ଅନୁଯାୟୀ ରାଜ୍ୟର ୧୪ଟି ସହରରେ ବାୟୁ ପ୍ରଦୂଷଣ ମାତ୍ରା ହ୍ରାସ ପାଇଛି। ବାୟୁ ପ୍ରଦୂଷଣର ସୂଚକାଙ୍କ ଅନୁସାରେ ଭୁବନେଶ୍ୱର ଓ ବ୍ରହ୍ମପୁରରେ ପ୍ରଦୂଷଣର ମାତ୍ରା ୬୦ ପ୍ରତିଶତ କମିଛି। ମାର୍ଚ୍ଚ ୨୨ରେ ଭୁବନେଶ୍ବରରେ ବାୟୁ ପ୍ରଦୂଷଣ ମାତ୍ରା ୧୦୨ ପିଏମ-୧୦ ରେକର୍ଡ କରାଯାଇଥିଲା। ତେବେ ମାର୍ଚ୍ଚ ୩୧ ସୁଦ୍ଧା ତାହା ୪୧ ପିଏମ-୧୦କୁ ଖସିଆସିଥିଲା । ଏହି ସମୟ ମଧ୍ୟରେ ରାଜ୍ୟର ଅନ୍ୟ ପ୍ରମୁଖ ସହରର ପ୍ରଦୂଷଣସ୍ତର କଟକରେ ୯୫ ପିଏମ୍‌-୧୦ରୁ ୬୧ ପିଏମ୍‌-୧୦କୁ ହ୍ରାସ ପାଇଥିବା ବେଳେ ରାଉରକେଲାରେ ୧୦୬ ପିଏମ୍‌-୧୦ରୁ ୬୬ ପିଏମ୍‌-୧୦, ଅନୁଗୁଳରେ ୭୯ ପିଏମ୍‌-୧୦ରୁ ୫୬ ପିଏମ୍‌-୧୦, ତାଳଚେରରେ ୧୦୫ ପିଏମ୍‌-୧୦ରୁ ୭୮ ପିଏମ୍‌-୧୦, କଳଙ୍ଗନଗରରେ ୯୮ ପିଏମ୍‌-୧୦ରୁ ୬୨ ପିଏମ୍‌-୧୦, ବ୍ରହ୍ମପୁରରେ ୫୪ ପିଏମ୍‌-୧୦ରୁ ୨୨ ପିଏମ୍‌-୧୦, ଝାରସୁଗୁଡାରେ ୧୧୬ ପିଏମ୍‌-୧୦ରୁ ୫୫ ପିଏମ୍‌-୧୦, କେନ୍ଦୁଝରରେ ୭୦ ପିଏମ୍‌-୧୦ରୁ ୫୩ ପିଏମ୍‌-୧୦, ସମ୍ବଲପୁରରେ ୧୦୩ ପିଏମ୍‌-୧୦ରୁ ୭୩ ପିଏମ୍‌-୧୦, ପାରାଦ୍ୱୀପରେ ୧୦୩ ପିଏମ୍‌-୧୦ରୁ ୬୪ ପିଏମ୍‌-୧୦, ବାଲେଶ୍ବରରେ ୮୫ ପିଏମ୍‌-୧୦ ରୁ ୮୦ ପିଏମ୍‌-୧୦ କୁ ହ୍ରାସ ପାଇଛି। ଭୁବନେଶ୍ୱର, ବ୍ରହ୍ମପୁର ଓ ରାୟଗଡ଼ାରେ ବାୟୁର ଏୟାର କ୍ୱାଲିଟି ଇଣ୍ଡେକ୍ସ ଭଲ ସ୍ଥିତିରେ ଥିବା ବେଳେ ଅନ୍ୟ ସମସ୍ତ ସହରରେ ଆଶାନୁରୂପ ରହିଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ ଦେବୀଦତ୍ତ ବିଶ୍ବାଳ କହିଛନ୍ତି ଯେ ଲକ୍‌ଡାଉନ ପରେ ରାଜଧାନୀ ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଗାଡ଼ି ଚଳାଚଳ କମିଛି । ଶିଳ୍ପ ସଂସ୍ଥା ବନ୍ଦ ହୋଇଥିବାରୁ ବାୟୁ ପ୍ରଦୂଷଣ ହ୍ରାସ ପାଇଛି। ପରିବେଶବିତଙ୍କ କହିବାନୁଯାୟୀ, ଗାଡ଼ି ଚଳାଚଳ କଟକଣା ଯୋଗୁଁ ବ୍ୟସ୍ତବହୁଳ ଭୁବନେଶ୍ବର ଏବେ ଏକପ୍ରକାର ଶାନ୍ତ ପଡିଯାଇଛି। କେବଳ ଭୁବନେଶ୍ୱର ନୁହେଁ, କଟକ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁର ସହରର ବାୟୁ ପ୍ରଦୂଷଣ ଏଥିପାଇଁ ହ୍ରାସ ପାଇଛି । ତାଳଚେର, ଅନୁଗୁଳ, କେନ୍ଦୁଝର, ପାରାଦ୍ୱୀପ, କଳିଙ୍ଗନଗର ଆଦି ଅଞ୍ଚଳରେ ଶିଳ୍ପ ସଂସ୍ଥା ବନ୍ଦ, ଟ୍ରକ ଚଳାଚଳ ବହୁ ପରିମାଣରେ ହ୍ରାସ ପାଇବା ଯୋଗୁଁ ପ୍ରଦୂଷଣ ମାତ୍ରା କମିଛି। ରାସ୍ତାରେ ଧୂଆଁ, ଧୂଳି ଆଉ ଅଗଭଳି ଉଡୁ ନ ଥିବାରୁ ପ୍ରଦୂଷଣ କମିଛି । ଯଦି ମେ’ ମାସରେ ଏଭଳି ସ୍ଥିତି ଜାରି ରୁହେ, ତେବେ ଗ୍ରୀଷ୍ମପ୍ରବାହ ଆଗ ଭଳି ହେବନାହିଁ ।