ଜମ୍ମୁକଶ୍ମୀରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଉଦ୍ୟମ ପଣ୍ଡ : ୩ ହିଜବୁଲ୍‌ ଆତଙ୍କବାଦୀ ଗିରଫ, ୪୦ କେଜି ବିସ୍ଫୋରକ ଜବତ

230

କନକ ବ୍ୟୁରୋ : ଜମ୍ମୁକଶ୍ମୀରର କଠୁଆ ଅଞ୍ଚଳ‌ରେ ସୁରକ୍ଷାବାହିନୀ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଉଦ୍ୟମ ପଣ୍ଡ କରିଦେଇଛି । କଠୁଆର ଦିଲାୱାଲ୍‌ ଅଞ୍ଚଳ ସ୍ଥିତ ଦେୱଲ୍‌ରେ ଗତକାଲି ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ୍‌ କରି ୪୦ କେଜି ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ।  ରିପୋର୍ଟ ଅନୁଯାୟୀ ଜଣେ ବ୍ୟକ୍ତି ମଧ୍ୟ ଏହି ମାମଲାରେ ଗିରଫ ହୋଇଛି ଏବଂ ତାକୁ ଜେରା କରାଯାଉଛି । ସେନାର ଗୁଇନ୍ଦା ବିଭାଗ ସୂଚନା କ୍ରମେ ଜମ୍ମୁ କଶ୍ମୀର ପୁଲିସ ଏକ ମିଳିତ ଅପରେସନ୍‌ ଆରମ୍ଭ କରିଥିଲା । ସନ୍ଦିଗ୍ଧ ସ୍ଥାନରେ ସର୍ଚ୍ଚ ଅପରେସନ୍ କରି ବିପୁଳ ପରିମାଣରେ ବିସ୍ଫୋରକ ଜବତ କରିଛି ।

ସୂଚନାନୁଯାୟୀ ଆତଙ୍କବାଦୀମାନେ ଜମ୍ମୁ କଶ୍ମୀରରେ ବଡ଼ ଧରଣର ଆକ୍ରମଣ ଷଡ଼ଯନ୍ତ୍ର କରିଛନ୍ତି । ଏବେ ପ୍ରାୟ ୨୭୦ରୁ ଊର୍ଦ୍ଧ୍ବ ଆତଙ୍କବାଦୀ ଜମ୍ମୁ କଶ୍ମୀରରେ ସକ୍ରିୟ ଥିବା ଜଣାପଡ଼ିଛି । ଅନ୍ୟପ‌କ୍ଷେ ଜମ୍ମୁ କଶ୍ମୀରର କିସ୍ତୱାଡ଼ା ଅଞ୍ଚଳରୁ ଆଜି ୩ ଜଣ ହିଜବୁଲ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀ ଗିରଫ ହୋଇଛନ୍ତି । ଏହି ୩ ଆତଙ୍କବାଦୀଙ୍କର ଜଣେ ବରିଷ୍ଠ ବିଜେପି ନେତା ଏବଂ ଆରଏସ୍‌ଏସ୍ କାର୍ଯ୍ୟକର୍ତ୍ତା ନେତାଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିଲା । ବିଜେପି ରାଜ୍ୟ ସଚିବ ଅନିଲ ପଡ଼ିହାରଙ୍କୁ ୨୦୧୮ରେ ହତ୍ୟା କରାଯାଇଥିଲା ଏବଂ ବରିଷ୍ଠ ଆରଏସଏସ୍‌ କାର୍ଯ୍ୟକର୍ତ୍ତା ଚନ୍ଦ୍ରକାନ୍ତ ଶର୍ମାଙ୍କୁ ଚଳିତ ବର୍ଷ ଏପ୍ରିଲ୍‌ରେ ହତ୍ୟା କରାଯାଇଥିଲା ।

ଦୁଇ ନେତାଙ୍କ ହତ୍ୟାକୁ ବିରୋଧ କରି କିସ୍ତୱାଡ଼ାରେ ବଡ଼ ଧରଣର ଆନ୍ଦୋଳନ ମଧ୍ୟ ହୋଇଥିଲା । ତେବେ ଏହି ମାମଲାରେ ସମ୍ପୃକ୍ତ ଥିବା ୩ ହିଜବୁଲ୍‌ ଆତଙ୍କବାଦୀଙ୍କୁ ପୁଲିସ ଗିରଫ କରିବାପରେ ଏ ସମ୍ପର୍କରେ ଅଧିକ ତଥ୍ୟ ପଦାକୁ ଆସିବ ବୋଲି ଆଶା କରାଯାଉଛି । ଗିରଫ ୩ ଆତଙ୍କବାଦୀଙ୍କୁ ନିସାର ଅହମଦ୍‌ ଶେଖ୍‌, ନିଶାଦ ଅହମଦ ଏବଂ ଆଜାଦ ହୁସେନ୍‌ ବୋଲି ଚିହ୍ନଟ କରାଯାଇଛି । ମାମଲାରେ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଗିରଫ ହୋଇଥିବା ପୁଲିସ କହିଛି ।