କାଶ୍ମୀର ପ୍ରସଙ୍ଗକୁ ନେଇ ପୁଣି ଆଗକୁ ଆସିଲେ ଟ୍ରମ୍ପ : କହିଲେ, ଭାରତ ପାକ୍ ମଧ୍ୟରେ କମିଛି ଉତ୍ତେଜନା, ଦୁଇ ଦେଶ ଚାହିଁଲେ ମଧ୍ୟସ୍ଥତା କରିବାକୁ ପ୍ରସ୍ତୁତ

881
କନକ ବ୍ୟୁରୋ : ଜମ୍ମୁକାଶ୍ମୀର ମାମଲାରେ ମଧ୍ୟସ୍ଥତା କରିବାକୁ ପୁଣି ଅଫର ଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ୱାଶିଂଟନରେ ଗଣମାଧ୍ୟମର ଏକ ପ୍ରଶ୍ନର ଉତରରେ ସେ କହିଛନ୍ତି ଦୁଇ ସପ୍ତାହ ପୂର୍ବରୁ ଦୁଇ ଦେଶ ମଧ୍ୟରେ ଯେଉଁଭଳି ତିକ୍ତତା ଦେଖାଯାଉଥିଲା ଏବେ ତାହା କମ୍ ହୋଇଛି । ଏଭଳି ସ୍ଥିତିରେ ଭାରତ ଓ ପାକିସ୍ତାନ ଦୁଇ ଦେଶ ଚାହିଁଲେ କୌଣସି ପ୍ରକାର ସହାୟତା ଓ ମଧ୍ୟସ୍ଥତା କରିବାକୁ ସେ ପ୍ରସ୍ତୁତ ଅଛନ୍ତି । ଜମ୍ମୁକାଶ୍ମୀରରୁ ଧାରା ୩୭୦ ଉଛେଦ ହେବା ପରେ ପାକିସ୍ତାନର ଇମ୍ରାନ ସରକାର ବିଚଳିତ ହୋଇପଡିଥିଲା । ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଉତେଜନା ପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା ।
ଜମୁକାଶ୍ମୀରକୁ ବିଶ୍ୱସ୍ତରୀୟ ପ୍ରସଙ୍ଗ କରିବା ସହ ଭାରତ ଉପରେ ଚାପ ପକାଇବାକୁ ଉଦ୍ୟମ କରିଥିଲା ପାକିସ୍ତାନ । ଏଥିପାଇଁ ଆମେରିକା ନିକଟରେ ଫେରାଦ ହୋଇଥିଲେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । କିନ୍ତୁ ଏଥିରେ ସଫଳ ହୋଇନଥିଲା ପାକିସ୍ତାନ । ସେହି ସମୟରେ ଟ୍ରମ୍ପ କହିଥିଲେ ଜମ୍ମୁକାଶ୍ମୀର ଏଭଳି ଏକ ପ୍ରସଙ୍ଗ ଯାହାକୁ ଭାରତ ଓ ପାକିସ୍ତାନ ମିଳିତ ଭାବେ ସମାଧାନ କରିବା ଆବଶ୍ୟକ । ଫ୍ରାନ୍ସରେ ଟ୍ରମ୍ପଙ୍କୁ ମୋଦି ଭେଟିବାବେଳେ ଜମ୍ମୁକାଶ୍ମୀରରେ ସ୍ଥିିତି ସ୍ୱାଭାବିକ ରହିଛି ଓ ଏହା ଭାରତ- ପାକିସ୍ତାନର ଦ୍ୱିପାକ୍ଷିକ ମାମଲା ବୋଲି କହିଥିଲେ ।
ତେଣୁ ଏଥିରେ କୌଣସି ତୃତୀୟ ପକ୍ଷର ଆବଶ୍ୟକତା ନାହିଁ ଏବଂ କୌଣସି ରାଷ୍ଟ୍ରକୁ କଷ୍ଟ ଦେବାକୁ ସେ ଚାହୁଁ ନାହାଁନ୍ତି ବୋଲି ସ୍ପଷ୍ଟ କରିଥିଲେ । ଜମ୍ମୁକାଶ୍ମୀରରୁ ଧାରା ୩୭୦ ଉଛେଦ ହେବା ସମୟରେ ଭାରତ-ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଅଫର ଦେଇଥିଲେ ଟ୍ରମ୍ପ । ତେବେ ଟ୍ରମ୍ପଙ୍କ ଏହି ଅଫରକୁ ଭାରତ ଗ୍ରହଣ କରିନଥିଲା । ଏବଂ ଜମ୍ମୁକାଶ୍ମୀର ପ୍ରସଙ୍ଗ ଦ୍ୱିପାକ୍ଷିକ ବୋଲି ଭାରତ ପକ୍ଷରୁ କୁହାଯାଇଥିଲା ।