ଢାବାରୁ ନାବାଳକର ମୃତଦେହ ମିଳିବା ଘଟଣାରେ ଆଜି ପୁଣି ଉତ୍ତେଜନା : ଗାଁରେ ମୃତଦେହ ପହଁଚିବା ପରେ ଆମ୍ବୁଲାନ୍ସ ଓ ପୋଲିସକୁ ଘେରିଲେ ଲୋକେ

184

କନକ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ବାଲିଆପାଳ କମର୍ଦା ମୁଖ୍ୟରାସ୍ତାର ଉଲୁଦା ଛକ ନିକଟରେ ଶବ ରଖି ସ୍ଥାନୀୟ ଲୋକଙ୍କ ରାସ୍ତାରୋକ । ଗତକାଲି ଢାବାରୁ ନାବାଳକର ଶବ ଉଦ୍ଧାର ପରେ ତାତିଥିଲେ ଲୋକେ । ବିଳମ୍ୱରେ ପହଁଚିଥିବା ପୋଲିସ ଉପରେ ଆକ୍ରମଣ କରିଥିଲେ । ପଚରାଉଚରା କରୁଥିବା ପୋଲିସ ବାବୁଙ୍କୁ ମାରି ଲହୁଲୁହାଣ କରିଦେଇଥିଲେ । ତେବେ ମୃତ ନାବାଳକ ବିଜୟ ଦଳାଇର ଶବକୁ ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶରେ ପୋଷ୍ଟ ମର୍ଟମ ପାଇଁ ନିଆଯାଇଥିଲା । ସଂଧ୍ୟା ହୋଇଯିବାରୁ ଶବ ବ୍ୟବଛେଦ ହୋଇପାରିବ ନାହିଁ ବୋଲି ମୃତ ବିଜୟର ପରିବାର ଲୋକଙ୍କୁ କୁହାଯାଇଥିଲା ।

ଆଜି ଭୋର ୫ଟାରେ ଆମ୍ବୁଲାନ୍ସରେ ଦୁଇ ଜଣ ପୋଲିସ ବିଜୟର ବ୍ୟବଛେଦ ହୋଇଥିବା ଶବକୁ ଭୋଗରାଇ ବ୍ଲକର ଉଲୁଦାକୁ ଆଣିବା ପରେ ଉତ୍ତେଜନା ଦେଖାଦେଇଛି । ପରିବାର ଲୋକଙ୍କ ଅନୁପସ୍ଥିତିରେ ଶବ ବ୍ୟବଛେଦ ହୋଇଥିବାରୁ ଏହାକୁ ବିରୋଧ କରିଛନ୍ତି ପରିବାର ଲୋକେ ଓ ଗ୍ରାମବାସୀ । ଗ୍ରାମବାସୀ ଆମ୍ବୁଲାନ୍ସ ଡ୍ରାଇଭର, ୨ ଜଣ ପୋଲିସକୁ ଅଟକ ରଖିଛନ୍ତି । ମୃତକ ପାଇଁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ଓ ଅଭିଯୁକ୍ତର ଗିରଫ ଦାବି ପ୍ରତିଶ୍ରୁତି ମିଳିଲେ ରାସ୍ତାରୋକ ହଟିବ ବୋଲି ଦାବି କରିଛନ୍ତି ଗ୍ରାମବାସୀ ।