କନକ ବ୍ୟୁରୋ : ଓଡ଼ିଶାରେ ହାତୀ-ମଣିଷ ସଂଘର୍ଷ ଶୀର୍ଷରେ ପହଞ୍ଚିଛି। ପ୍ରତି ସପ୍ତାହରେ କେଉଁଠି ନା କେଉଁଠି ହାତୀଙ୍କ ମୃତ୍ୟୁ ହେଉଛି। ମଣିଷ ବି ହାତୀ ଆକ୍ରୋଶର ଶିକାର ହେଉଛି। ସ୍ଥିତି ଏମିତି ହେଲାଣି ଯେ ଗତ ୨୫ଦିନ ମଧ୍ୟରେ ବିଭିନ୍ନ କାରଣ ପାଇଁ ରାଜ୍ୟରେ ୫ରୁ ଅଧିକ ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ୭ଜଣଙ୍କ ଜୀବନ ଯାଇଛି। ଦିନକୁ ଦିନ ସ୍ଥିତି ଆହୁରି ବିଗିଡ଼ି ଯାଉଥିବାରୁ ରାଜ୍ୟ ସରକାରଙ୍କ ନିଦ ହଜି ଯାଇଛି। ବିଗତ ବର୍ଷଗୁଡ଼ିକରେ ହାତୀ-ମଣିଷ ସଂଘର୍ଷକୁ ରୋକିବା ଲାଗି ଏକାଧିକ ବ୍ଲୁପ୍ରିଣ୍ଟ ହୋଇଥିଲେ ମଧ୍ୟ ତାହା ଫଳପ୍ରଦ ହୋଇପାରି ନାହିଁ। ଯେଉଁଥିପାଇଁ ୨୦୧୮-୧୯ ଆର୍ଥିକ ବର୍ଷରେ ୯୩ଟି ହାତୀଙ୍କର ମୃତ୍ୟୁ ହୋଇଥିବା ବେଳେ ହାତୀ ଆକ୍ରମଣରେ ୮୫ ଜଣଙ୍କର ମୃତ୍ୟୁ ହୋଇଥିଲା।
ପରିସ୍ଥିତିକୁ ଦୃଷ୍ଟିରେ ରଖି ଏବେ ତୃଣମୂଳସ୍ତରରୁ ହାତୀଙ୍କ ଗତିବିଧି ଉପରେ ନଜର ରଖିବାକୁ ନିଷ୍ପତ୍ତି ହୋଇଛି। ଏ ସଂକ୍ରାନ୍ତରେ ପୁଣି ଏକ ନିର୍ଦେଶାବଳୀ ଜାରି ହୋଇଛି। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ୍) ବନ୍ୟପ୍ରାଣୀଙ୍କ କାର୍ଯ୍ୟାଳୟଠାରୁ ଆରମ୍ଭ କରି ରେଞ୍ଜ ଅଫିସ୍ ପର୍ଯ୍ୟନ୍ତ କଣ୍ଟ୍ରୋଲ ରୁମ୍ ଖୋଲାଯିବ। ଏହି କଣ୍ଟ୍ରୋଲ ରୁମ୍ଗୁଡ଼ିକ ୨୪ଘଣ୍ଟା କାର୍ଯ୍ୟ କରିବେ। ହାତୀ ଓ ମଣିଷର ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ପ୍ରତି ରେଞ୍ଜ ଅନୁଯାୟୀ, ହାତୀଙ୍କ ଗତିବିଧି ଉପରେ ନଜର ରଖାଯିବ। ରେଞ୍ଜ ଅଫିସରମାନେ ଏହାର ଦାୟିତ୍ବରେ ରହିବେ ଏବଂ ସେମାନଙ୍କୁ ଅଫିସିଆଲ୍ ମୋବାଇଲ୍ ନମ୍ବର ଦିଆଯିବ। ଯିଏ ରେଞ୍ଜ ଦାୟିତ୍ବରେ ରହିବେ, ସେମାନଙ୍କ ନିକଟରେ ଏହି ନମ୍ବର ରହିବ। ମୋବାଇଲ୍ ନମ୍ବରକୁ ରେଞ୍ଜ ଅଞ୍ଚଳରେ ବ୍ୟାପକ ଭାବେ ପହଞ୍ଚାଯିବ। ବିଭାଗ ୱେବସାଇଟ୍ ସମେତ ଲୋକଙ୍କ ପାଖରେ ଯେମିତି ଏହି ନମ୍ବର ପହଞ୍ଚିବ, ସେ ଦିଗରେ ପଦକ୍ଷେପ ନେବେ।
ଡିଭିଜନ ଅଫିସ୍ ପରି ସର୍କଲ ଅଫିସ୍ ରୁମ୍ ମଧ୍ୟ ୨୪ ଘଣ୍ଟା ହାତୀଙ୍କ ଗତିବିଧି ଉପରେ ନଜର ରଖିବ। ଆରସିସିଏଫ୍ ଏହି କଣ୍ଟ୍ରୋଲ ରୁମ୍ର ପରିଚାଳନା ଦାୟିତ୍ବରେ ରହିବେ। ତାଙ୍କ ସହ ଜଣେ ଡେପୁଟି ସିଏଫ୍/ଏସିଏଫ୍, ଦୁଇଜଣ ରେଞ୍ଜ ଅଫିସର୍, ଦୁଇ ଜଣ ଫରେଷ୍ଟର୍, ୩ଜଣ ଫରେଷ୍ଟ ଗାର୍ଡ ଏହି କଣ୍ଟ୍ରୋଲ ରୁମ୍ ଦାୟିତ୍ବରେ ରହିବେ। ପିସିସିଏଫ୍ ବନ୍ୟପ୍ରାଣୀଙ୍କ କାର୍ଯ୍ୟାଳୟରେ ମଧ୍ୟ ଏକ କଣ୍ଟ୍ରୋଲ ରୁମ୍ ଖୋଲିବ। ଡିସିଏଫ୍ଙ୍କ ନେତୃତ୍ବରେ ଦୁଇଜଣ ଏସିଏଫ୍, ୩ଜଣ ରେଞ୍ଜ ଅଫିସରଙ୍କ ସମେତ ୩ଟି ସିଫ୍ଟରେ ସହାୟକ ଷ୍ଟାଫ୍ ରହିବେ। ଫିଲ୍ଡରୁ ସଂଗୃହୀତ ତଥ୍ୟଗୁଡ଼ିକୁ ସଂଗ୍ରହ କରିବା ସହ ତାହାର ଅନୁଧ୍ୟାନ କରିବ।