କନକ ବ୍ୟୁରୋ : ପର୍ଯ୍ୟଟକଙ୍କୁ ଆକୃଷ୍ଟ ଓ ଆକର୍ଷିତ କରିବା ପାଇଁ କୋଣାର୍କ ରାମଚଣ୍ଡୀ ବେଳାଭୂମିରେ  ତିଆରି ହେବ ଅତ୍ୟାଧୁନିକ ଡିଜାଇନରେ ଟେଣ୍ଟ ସିଟି ।  ପାଖାପାଖି ୫୦ ଏକର ଜାଗାରେ ସମ୍ପୂର୍ଣ୍ଣ ଗ୍ରାମୀଣ ବାତାବରଣ ମଧ୍ୟରେ ୫୦ଟି ଟେଣ୍ଟ୍ ସ୍ଥାପନ କରାଯିବ । ଏଠାରେ  ପଞ୍ଚତାରକା ହୋଟେଲର ମଜା ଉଠାଇପାରିବେ ପର୍ଯ୍ୟଟକ । ଏକ ମାସ ବ୍ୟାପୀ ଚାଲିବାକୁ ଥିବା ଏହି ଉତ୍ସବ ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ଓଡ଼ିଶାର କଳାକୃତୀ ପ୍ରଦର୍ଶନ, ହସ୍ତଶିଳ୍ପ ଓ ହସ୍ତତନ୍ତ ଷ୍ଟଲ୍, ଫୁଡ଼କୋର୍ଟ, ଜଳକ୍ରୀଡ଼ା, ବୋଟିଂ ଆଦିର ସୁବିଧା ଉପଲବ୍ଧ କରାଯିବ ।
Advertisment
ଅର୍କକ୍ଷେତ୍ର କୋଣାର୍କରେ ରାଜ୍ୟ ପର୍ଯ୍ୟଟକ ବିଭାଗ ଏକ ନୂ୍ଆ ପ୍ରକଳ୍ପ ହାତକୁ ନେବାକୁ ଯାଉଛି । ବେଳାଭୂମିରେ ଅସ୍ଥାୟୀ ଟେଣ୍ଟ୍ ସହର ନିର୍ମାଣ କରାଯାଇ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ବିଭାଗ ଯୋଜନା କରିଛି । ଏକ ମାସ ବ୍ୟାପୀ ଏକ ସ୍ବତନ୍ତ୍ର ପର୍ଯ୍ୟଟକ ଉତ୍ସବ ମାଧ୍ୟମରେ ଏହି ନିଆରା ସହରରେ ପର୍ଯ୍ୟଟକମାନଙ୍କୁ ରହିବାର ସୁଯୋଗ ମିଳିବ । ତାହା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବି ଆୟୋଜନ କରାଯିବ । ଏଥି ପାଇଁ ଗତକାଲି ପର୍ଯ୍ୟଟନ ବିଭାଗ ଓ ଜିଲ୍ଲା ପ୍ରଶାସନର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ କୋଣାର୍କ ଯାଇ ବିଭିନ୍ନ ଜାଗା ପରିଦର୍ଶନ କରିଛନ୍ତି । ସମ୍ଭବତଃ ଜାନୁଆରି ପ୍ରଥମ ସପ୍ତାହରୁ ଏହି ଉତ୍ସବ ଆରମ୍ଭ ହେବ।
ଗୁଜୁରାଟର କଚ୍ଛରେ ହେଉଥିବା ପ୍ରସିଦ୍ଧ ରାନ୍ ଉତ୍ସବ ଶୈଳୀରେ ଏହି ସହର ନିର୍ମାଣ କରାଯିବ । ଏକ ନିର୍ଦ୍ଦିଷ୍ଟ ପରିମାଣର ଦେୟ ପ୍ରଦାନ କରି ପର୍ଯ୍ୟଟକମାନେ ଏଠାରେ ରାତ୍ରିଯାପନ କରିପାରିବେ । ଏହି କାର୍ଯ୍ୟକ୍ରମର ନାମ ‘ହ୍ବାଇଟ ସ୍ୟାଣ୍ଡ୍ ବିଚ ଫେଷ୍ଟିଭାଲ’ ରଖିବାକୁ ପ୍ରସ୍ତାବ ଦିଆଯାଇଛି। ବର୍ତ୍ତମାନ କୋଣାର୍କକୁ କେବଳ ଦିନବେଳା ହିଁ ପର୍ଯ୍ୟଟକମାନେ ଆସୁଛନ୍ତି । ସନ୍ଧ୍ୟା ପରେ ଏଠାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲା ପରି କୌଣସି ସୁଯୋଗ ସୃଷ୍ଟି ହୋଇ ନାହିଁ। କେବଳ ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ସୋ’ ଦେଖିବାକୁ କିଛି ପର୍ୟଟକ ରାତି ପର୍ଯ୍ୟନ୍ତ ରହୁଛନ୍ତି । ତେଣୁ ଏପରି ଉତ୍ସବ ପର୍ଯ୍ୟଟକମାନଙ୍କୁ କୋଣାର୍କରେ ରାତ୍ରି ରହଣୀ ପାଇଁ ଆକୃଷ୍ଟ କରିବ ବୋଲି ପର୍ଯ୍ୟଟନ ବିଭାଗ ଆଶା ରଖିଛି ।