ଗତକାଲି ଠାରୁ ସାରାରାଜ୍ୟରେ ବୃଦ୍ଧି ପାଇଲା ତାତି ! ଆସନ୍ତା ୧୧ରୁ ତାପମାତ୍ରା କମିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା

30

କନକ ବ୍ୟୁରୋ :  ଗତକାଲିଠାରୁ ସାରା ରାଜ୍ୟରେ ତାତି ବଢ଼ିଛି । କାଳବୈଶାଖୀ ଜନିତ ବର୍ଷା ଯୋଗୁଁ ଗତ କିଛି ଦିନ ଧରି ରାଜ୍ୟରେ କମ୍‌ ତାତି ଅନୁଭୂତ ହେଉଥିବାବେଳେ ଆଜିଠାରୁ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ୪୦ଡିଗ୍ରି ଉପରେ ରହିଛି । ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଗ୍ରୀଷ୍ମ ଲହରୀ ବହିବ । କାଁ ଭାଁ କାଳବୈଶାଖୀ ଜନିତ ବର୍ଷା ପବନ ହେବ । ୧୧ତାରିଖରୁ ତାତି କମିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଆସନ୍ତା ସପ୍ତାହେ ଯାଏ ତାତି ଅଧିକ ଅନୁଭୂତ ହେବ । ଏପରିକି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ୪୩ଡିଗ୍ରି ଛୁଇଁପାରେ । ଉତ୍ତର, ଦକ୍ଷିଣ ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ପାରଦ ୪୦ରୁ ୪୨ଡିଗ୍ରି ମଧ୍ୟରେ ରହିବ । ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ଯାଏଁ ଗ୍ରୀଷ୍ମପ୍ରବାହ ଅଧିକ ରହିବାର ସମ୍ଭାବନା ଥିବାରୁ ଏହି ସମୟରେ ଆବଶ୍ୟକ ନଥିଲେ ଘରୁ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।

ଆଜି ବଲାଙ୍ଗୀରରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୨.୭ଡିଗ୍ରି ରେକର୍ଡ ହୋଇଥିବାବେଳେ ୮ଟି ସହରରେ ପାରଦ ୪୦ଡିଗ୍ରି ଉପରେ ରହିଛି । ଅନୁଗୁଳରେ ୪୦.୭, ଝାରସୁଗୁଡ଼ାରେ ୪୧.୭, ସମ୍ବଲପୁରରେ ୪୧.୫, ହୀରାକୁଦରେ ୪୧.୧, ତାଳଚେରରେ ୪୨, ଭବାନିପାଟଣାରେ ୪୦, ବଲାଙ୍ଗୀରରେ ୪୨.୭, ସୋନପୁରରେ ୪୨.୪ ଡିଗ୍ରି ରେକର୍ଡ ହୋଇଛି । ଏହାବାଦ୍‌ ଭୁବନେଶ୍ୱରରେ ୩୬.୯, କଟକରେ ୩୬.୪, ଚାନ୍ଦବାଲିରେ ୩୮.୫, ଢେଙ୍କାନାଳରେ ୩୮.୬ଡିଗ୍ରି ରେକର୍ଡ ହୋଇଛି ।

ଅପରପକ୍ଷେ ବାରିପଦାରେ ଗତ ୨୪ଘଣ୍ଟା ମଧ୍ୟରେ ୧୯.୬ମିମି ବର୍ଷା ହୋଇଥିବାବେଳେ ବାଲେଶ୍ୱରରେ ୦.୬ମିମି ବର୍ଷା ହୋଇଛି । ଆସନ୍ତା ୪୮ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର ଗୋଟିଏ/ଦୁଇଟି ସ୍ଥାନ ସମେତ କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଭଳି ପ୍ରମୁଖ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ଅଛି ।