ରାଜ୍ୟରେ ବଢ଼ୁଛି ତାତି : ୪୦ ଡିଗ୍ରି ଉପରେ ୩ ସହରର ତାପମାତ୍ରା,ଦୁଇ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ୨ ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା

511

କନକ ବ୍ୟୁରୋ : ବଢ଼ିଲା ତାତି। ଏପ୍ରିଲ ପହିଲା ତଥା ଆଜିଠାରୁ ରାଜ୍ୟର ଅର୍ଦ୍ଧାଧିକ ସହରର ତାପାମାତ୍ରା ୩୮ ଡିଗ୍ରି ପାର ହୋଇଛି। ପ୍ରତିଥର ପରି ଏଥର ମଧ୍ୟ ଟିଟିଲାଗଡ଼ର ତାପମାତ୍ରା ୪୦ ଡିଗ୍ରି ଟପିଥିବା ବ‌େଳେ ମାଲକାନଗିରି ଓ ବଲାଙ୍ଗୀର ତାପମାତ୍ରା ମଧ୍ୟ ୪୦ ଡିଗ୍ରି ପାର ହୋଇଛି। ଭୁବନେଶ୍ବର, କଟକ ସମେତ ପଶ୍ଚିମ ଓଡ଼ିଶାରେ ଗୁଳୁଗୁଳି ସାଙ୍ଗକୁ ଅସହ୍ୟ ତାତି ଜନଜୀବନକୁ ପ୍ରଭାବିତ କରିଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ଦୁଇ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ୨ ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାର ଅଧିକାଂଶ ସ୍ଥାନରେ ସର୍ବାଧିକ ତାପମାତ୍ରା ୪୦ ଡ଼ିଗ୍ରି ଡ଼େଇଁବ। ସମାନ ଭାବେ ଭୁବନେଶ୍ବର, ନୟାଗଡ଼, କଟକର ତାପମାତ୍ରା ୪୦ ଡ଼ିଗ୍ରି ପାର ହେବାର ସମ୍ବାବନା ରହିଛି। କିନ୍ତୁ ଆସନ୍ତା ୩ରୁ ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି ।

 ଟିଟିଲାଗଡ଼ରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୦.୫ ଡିଗ୍ରି ରହିଥିଲା। ଏହାବ୍ୟତୀତ ମାଲକାନଗିରିରେ ୪୦.୨, ବଲାଙ୍ଗୀରରେ ୪୦, କଟକ ଓ ବୌଦ୍ଧରେ ୩୯.୫, ଭୁବନେଶ୍ବରରେ ଓ ପାରଳାଖେମୁଣ୍ଡିରେ ୩୯.୨, ନୟାଗଡ଼ରେ ତାପମାତ୍ରା ୩୯ ଡିଗ୍ରି ରେକର୍ଡ କରାଯାଇଛି। ବାଲେଶ୍ବରରେ ହାଲୁକା ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।