କରୋନା ଆକ୍ରାନ୍ତଙ୍କ ପରିବାରକୁ ସାମାଜିକ ବାସନ୍ଦ । ପ୍ରଶାସନକୁ ଖବର ଦେବ‌ାରୁ ଆଶାକର୍ମୀଙ୍କୁ ପିଟିଲେ ମୟୂରଭଞ୍ଜର ଇଦର ଗ୍ରାମରେ ଅଭାବନୀୟ ଘଟଣା । କାର୍ଯ୍ୟାନୁଷ୍ଠାନ ଦାବିରେ ଆଦିବାସୀଙ୍କ ରାସ୍ତା ଅବରୋଧ

Advertisment
କରୋନା ଆକ୍ରାନ୍ତଙ୍କ ପରିବାରକୁ ସାମାଜିକ ବାସନ୍ଦ । ପ୍ରଶାସନକୁ ଖବର ଦେବ‌ାରୁ ଆଶାକର୍ମୀଙ୍କୁ ପିଟିଲେ ମୟୂରଭଞ୍ଜର ଇଦର ଗ୍ରାମରେ ଅଭାବନୀୟ ଘଟଣା । କାର୍ଯ୍ୟାନୁଷ୍ଠାନ ଦାବିରେ ଆଦିବାସୀଙ୍କ ରାସ୍ତା ଅବରୋଧ

କନକ ବ୍ୟୁରୋ : କରୋନା ଆକ୍ରାନ୍ତ ଜଣେ ଆଦିବାସୀ ଯୁବକଙ୍କ ପରିବାର ଏବଂ ଗ୍ରାମର ଅନ୍ୟ ଆଦିବାସୀ ପରିବାରଙ୍କୁ କିଛି ଅଣଆଦିବାସୀ ଲୋକ ସାମାଜିକ ବାସନ୍ଦ କରିବା ସହ ମାନସିକ ନିର୍ଯାତନା ଦେଇଛନ୍ତି। ଯାହାକୁ ବିରୋଧ କରି ଆଦିବାସୀମାନେ ରାସ୍ତା ଅବରୋଧ କରିବା ସହ ଗ୍ରାମର ଆଶାକର୍ମୀଙ୍କୁ ମାଡ଼ ମାରିଛନ୍ତି। ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ୍‌ ଭାଲିଆଡ଼ିହା ପଞ୍ଚାୟତ ଇଦର ଗ୍ରାମରେ ଘଟିଛି ଏହି ଘଟଣା ।

ସୂଚନା ମୁତାବକ, ଇଦର ଗ୍ରାମର ଜଣେ ଆଦିବାସୀ ଯୁବକ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ ବାରିପଦା ବାଙ୍କିଶୋଳସ୍ଥିତ କୋଭିଡ୍‌ ହସ୍‌ପିଟାଲ୍‌କୁ ପଠାଯାଇଛି। ଏହା ଜଣାପଡ଼ିବା ପରେ ଆକ୍ରାନ୍ତଙ୍କ ପରିବାର ଏବଂ ଅନ୍ୟ ଆଦିବାସୀ ପରିବାରଙ୍କୁ ସେହି ଗ୍ରାମର କିଛି ଅଣଆଦିବାସୀ ଲୋକ ସାମାଜିକ ବାସନ୍ଦ କରିଥିଲେ। ସେମାନଙ୍କୁ ଗାଁ ପୋଖରୀରେ ଗାଧୋଇବାକୁ ବାରଣ କରିବା ସହ ଦୋକାନରୁ ସଉଦା, ପରିବା ଆଣିବା ତଥା ଚିକିତ୍ସା ପାଇଁ କିଶାନତାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବା ପାଇଁ ଦେଇନଥିଲେ। ଏଥିରେ ଅତିଷ୍ଠ ହୋଇ ଆଜି ଦିନ ପ୍ରାୟ ଗୋଟାଏ ବେଳେ ଆକ୍ରାନ୍ତ ଯୁବକଙ୍କ ପରିବାର ତଥା ଅନ୍ୟ ଆଦିବାସୀ ପରିବାରର ଶତାଧିକ ପୁରୁଷ ଓ ମହିଳା ବାରମାଇଲ୍‌ଠାରେ ବାରିପଦା-ଅମର୍ଦା ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ। ଏମିତିକି ଆକ୍ରାନ୍ତ ଯୁବକଙ୍କ ସଂପର୍କରେ ପ୍ରଶାସନକୁ ଖବର ଦେଇଥିବା ଗ୍ରାମର ଆଶାକର୍ମୀ ମାନି ମୁଖୀଙ୍କୁ ମାଡ଼ ମାରିଥିଲେ।

ଖବର ପାଇବା ପରେ ମୋରଡ଼ା ତହସିଲଦାର ପ୍ରିୟଦର୍ଶିନୀ ମଲ୍ଲିକ, ବିଡିଓ ପ୍ରିୟବ୍ରତ ପାଢ଼ୀ, ମୋରଡ଼ା ଥାନା ଓ ବେତନଟୀ ଥାନା ପୁଲିସ ପହଞ୍ଚି ରାସ୍ତା ଅବରୋଧକାରୀଙ୍କ ସହ ଆଲୋଚନା କରିଥିଲେ। ସମସ୍ୟାର ସମାଧାନ ତଥା ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେବା ପରେ ଅପରାହ୍ନ ୪ଟାରେ ରାସ୍ତା ଅବରୋଧ ହଟିଥିଲା। ସୂଚନାଥାଉକି, ମାଡ଼ ଖାଇଥିବା ଆଶାକର୍ମୀ ତାଙ୍କ ପ୍ରତି ହୋଇଥିବା ଅତ୍ୟାଚାର ବାବଦରେ ମେଡିକାଲ୍‌ ଅଫିସରଙ୍କୁ ଅବଗତ କରିବା ସହ ତାଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe