ମା’ ପରି କିଏ ହେବ ? ଲକଡାଉନରେ ଫସିଥିଲା ପୁଅ : ଘରକୁ ଫେରାଇ ଆଣିବା ପାଇଁ ୧୪ ଶହ କିଲୋମିଟର ସ୍କୁଟି ଚଳାଇଲେ ମାଆ. .. ହାଇଦ୍ରାବାଦରେ କୋଚିଂ ନେଉଥିଲା ପୁଅ

7,492

କନକ ବ୍ୟୁରୋ :  ପିଲା ପାଇଁ ମା’ର ପଣତ ହିଁ ନିର୍ଭୟ ଆଶ୍ରୟସ୍ଥଳୀ । ଦୁନିଆରେ ମା’ର ଭଲପାଇବା ହିଁ ନିସ୍ୱାର୍ଥ । ଯେତେ କଷ୍ଟ ହେଉ ପଛେ ନିଜେ ସଳିତା ପରି ଜଳି ପିଲାଙ୍କୁ ସବୁ ଦୁଃଖ କଷ୍ଟରୁ ଦୂରେଇ ରଖେ ମା’ । ମା’ ଶବ୍ଦର କୌଣସି ସଜ୍ଞା ନାହିଁ । ଦେଶରେ ତାଲାବନ୍ଦ ସମୟରେ ସାମ୍ନାକୁ ଆସିଛି ଏପରି ଏକ ଚିତ୍ର ଯାହା ଆପଣଙ୍କ ହୃଦୟକୁ ଆନ୍ଦୋଳିତ କରିବ । ପୁଅକୁ ଘରକୁ ଆଣିବାକୁ ୧୪ ଶହ କିମି ସ୍କୁଟି ଚଲାଇ ଗଲେ ମାଆ ।

ତାଲାବନ୍ଦ ଲାଗୁ ପରେ ସାରା ଦେଶରେ ଅନେକ କଟକଣା । ହେଲେ ସବୁ ବାଧାବିଘ୍ନକୁ ପାର ଜଣେ ମା’ ଏକୁଟିଆ ୧୪ ଶହ କିଲୋମିଟର ସ୍କୁଟି ଚଳାଇଲେ । ଆଉ ସାଥୀରେ ଅନ୍ୟ ସହରରେ ଫସି ରହିଥିବା ପୁଅକୁ ନେଇ ଘରକୁ ଫେରିଲେ । ଜାତୀୟ ଗଣମାଧ୍ୟମରେ ଏହି ସାହସୀ ମାଆଙ୍କ ସାହସିକତାକୁ ସାବାସୀ ଦିଆଯାଉଛି । କାରଣ ଜଣେ ମହିଳା ଦେଶରେ ତାଲାବନ୍ଦ ଲାଗୁ ହୋଇଥିବା ସମୟରେ ଏତେ ଦୂର ଏକଲା ଯାତ୍ରା କଲେ ତା ପୁଣି ସ୍କୁଟିରେ , ଏକଥା ନିଶ୍ଚୟ ସମସ୍ତଙ୍କୁ ଚକିତ କରିବ । ଏ ଘଟଣା ହେଉଛି ଆନ୍ଧ୍ରପ୍ରଦେଶର ନାଜାମାବାଦର ।

ସ୍କୁଟିରେ ୧୪ ଶହ କିମି ଯାତ୍ରା କରିଥିବା ମହିଳା ଜଣକ ହେଉଛନ୍ତି ରେଜିଆ ବେଗମ । ବୃତ୍ତିରେ ସେ ଜଣେ ଶିକ୍ଷୟିତ୍ରୀ । ଦେଶରେ ଯେତେବେଳେ ତାଲାବନ୍ଦ ଲାଗୁ ହେଲା ତାଙ୍କର ପୁଅ ଆନ୍ଧ୍ରପ୍ରଦେଶର ନେଲୋର ସହରକୁ ଜଣେ ସାଙ୍ଗ ଘରକୁ ଯାଇଥିଲେ । ହେଲେ ଆଉ ଫେରିପାରିନଥିଲେ । ଯୁକ୍ତ ଦୁଇରେ ପଢୁଥିବା ପୁଅକୁ ଘରକୁ ଆଣିବା ପାଇଁ କିଛି ଅନ୍ୟ ଉପାୟ ନପାଇ ଶେଷରେ ରେଜିଆ ବାହାରିଥିଲେ ସ୍କୁଟିରେ ।

ନିଜାମାବାଦରୁ ନେଲୋର ଯିବାକୁ ପୋଲିସ ଠାରୁ ଆଣିଥିଲେ ଆବଶ୍ୟକ ଅନୁମତି ପତ୍ର । ସାହସ ଜୁଟାଇ ଏକୁଟିଆ ଗଡାଇଲେ ସ୍କୁଟି । ରାସ୍ତାରେ ବିଭିନ୍ନ ସ୍ଥାନରେ ପୋଲିସ ଚେକିଂରେ ତାଙ୍କୁ ଅଟକାଇଥିଲା । ହେଲେ ପୁଅକୁ ଆଣିବାକୁ ଏତେବାଟ ଯାଉଥିବା ଜାଣିବା ପରେ ପୋଲିସ ତାଙ୍କୁ ଆଗକୁ ଯିବାକୁ ଦେଇଥିଲା । ଗତ ଅପ୍ରେଲ ୭ ତାରିଖରେ ସେ ନେଲୋରରେ ପହଁଚି ଯାଇଥିଲେ । ଆଉ ସେହିଦିନ ପୁଅକୁ ନେଇ ବାହାରିଲେ । ଏହାପର ଦିନ ଅର୍ଥାତ୍ ଅପ୍ରେଲ ୮ ତାରିଖରେ ସେ ପହଁଚି ଯାଇଥିଲେ ନିଜାମାବାଦରେ ନିଜ ଘରେ । ଏହି ସମୟରେ ତାଙ୍କୁ ସ୍କୁଟିରେ ଅତିକ୍ରମ କରିବାକୁ ପଡିଥିଲା ପ୍ରାୟ ୧୪ ଶହ କିଲୋମିଟର ।

ତେବେ ପୁଅକୁ ଆଣିବା ପାଇଁ ଅନେକ ଜଙ୍ଗଲିଆ ରାସ୍ତା ଅତିକ୍ରମ କରିବାକୁ ପଡିଥିଲା । ହେଲେ ଏହି ସାହସୀ ମାଆ ରାସ୍ତାରେ ଯିବା ବେଳେ ଆଦୌ ଭୟ କରିନଥିଲେ । ଏବେ ଆନ୍ଧ୍ରପ୍ରଦେଶର ଏହି ସାହସୀ ମାଆଙ୍କୁ ନେଇ ବିଭିନ୍ନ ମହଲରେ ଚର୍ଚା ଜୋରଦାର ।