କନକ ବ୍ୟୁରୋ : ଲମ୍ବା ନାକ ପାଇଁ ଇଞ୍ଜିନିୟର ବରଙ୍କୁ ବିବାହ କରିବାକୁ ମନା କରିଦେଲେ କନ୍ୟା । ଲମ୍ବା ହୋଇ ବଙ୍କି ଯାଇଥିବା ନାକକୁ ପ୍ଲାଷ୍ଟିକ୍ ସର୍ଜରି ନକଲେ ବାହା ହେବି ନାହିଁ ବୋଲି ଜିଦ ଧରିଲେ ଯୁକ୍ତରାଷ୍ଟ୍ର ଆମେରିକାରେ ଅବସ୍ଥାପିତ ଜଣେ ଇଞ୍ଜିନିୟର୍ ଯୁବତୀ । ଶେଷରେ ବେଙ୍ଗାଲୁରର ଇଞ୍ଜିନିୟର୍ ବର ଏ ଘଟଣା ନେଇ ଅଦାଲତର ଆଶ୍ରୟ ନେଇଛନ୍ତି ।
ଅଗଷ୍ଟ ମାସ ପ୍ରଥମ ସପ୍ତାହରେ ଏକ ‘ମାଟ୍ରିମନିଆଲ୍ ସାଇଟ ଜରିଆରେ କୋରାମଙ୍ଗଳବାସୀ ୩୫ ବର୍ଷିୟ ବର ଓ ଆମେରିକାରେ ଅବସ୍ଥାପିତ ୩୫ ବର୍ଷୀୟ କନ୍ୟା ଦେଖାସାକ୍ଷାତ ହୋଇଥିଲା । ଅନଲାଇନରେ କିଛି ଦିନ ସମ୍ପର୍କ ରଖିବା ପରେ ଉଭୟ ବିଭା ହେବାକୁ ନିଷ୍ପତ୍ତି ନେଇଥିଲେ ।
ଅଗଷ୍ଟ ୧୩ ତାରିଖ ଦିନ କନ୍ୟା ବେଙ୍ଗାଲୁରୁ ଆସି ଏକ ଷ୍ଟାର୍ ହୋଟେଲରେ ମଧ୍ୟାହ୍ନ ଭୋଜନ କରିବା ପରେ କଥା ପକ୍କା କରିବାକୁ ବାହାରିଥିଲେ। କନ୍ୟାଙ୍କ ଅନୁରୋଧ କ୍ରମେ ବର ତାଙ୍କର ବଡ଼ଭଉଣୀ ଲକ୍ଷ୍ମୀଙ୍କୁ ଭେଟି ତାଙ୍କ ସମ୍ମତି ନେଇଥିଲେ । ଅଗଷ୍ଟ ୨୬ ତାରିଖ ଦିନ ବର ପିତାମାତା କନ୍ୟାଙ୍କ ପିତାମାତାଙ୍କୁ ଭେଟିଥିଲେ। ସେପ୍ଟେମ୍ବର ୯ ତାରିଖ ଦିନ ତାଙ୍କ ଘରେ ନିର୍ବନ୍ଧ ହୋଇ ଜାନୁଆରି ୩୦ ତାରିଖରେ ବାହାଘର ହେବ ବୋଲି ସ୍ଥିର ହୋଇଥିଲା । ବରପକ୍ଷ ଅରାଜି ଥିଲେ ବି ତିରୁମାଳା ମନ୍ଦିରରେ ବାହାଘର ହେବ ବୋଲି କନ୍ୟା ଅଡ଼ି ବସିଥିଲା ଏବଂ ସେମାନେ ରାଜି ହୋଇଥିଲେ।
ବର ତିରୁମାଲା ଯାଇ ୧ ଲକ୍ଷ ଟଙ୍କା ଦେଇ ୭୦ଟି କୋଠରି ବରାଦ କରିବା ସହ ଖାଦ୍ୟପାନୀୟ ବ୍ୟବସ୍ଥା ମଧ୍ୟ କରିଥିଲେ। ଲୁଗାପଟା ଏବଂ ଉପହାର ବାବଦରେ ବର ୪ ଲକ୍ଷ ଟଙ୍କା ବ୍ୟୟ କରିଥିଲେ। ଇତିମଧ୍ୟରେ କନ୍ୟା ଚାକିରିରେ ଯୋଗ ଦେବାକୁ ଆମେରିକା ଫେରିଯାଇଥିଲେ। ଫେରିଯିବା ପରେ କନ୍ୟା ନିଜର ନିଷ୍ପତ୍ତି ବଦଳାଇ ବାହାଘର ଭାଙ୍ଗି ଦେବାକୁ ଫୋନ୍ କଲେ। ବର ବାରମ୍ବାର ଫୋନ୍ କଲେ ବି କନ୍ୟା ନିଷ୍ପତ୍ତି ବଦଳାଇ ନ ଥିଲେ। ଓଲଟି ବାହାନା ଦେଖାଇ କହିଥିଲେ ନିଜର ଲମ୍ବା ଓ ବଙ୍କା ନାକକୁ ନାକକୁ ପ୍ଲାଷ୍ଟିକ୍ ସର୍ଜରି କରି ସଂଶୋଧନ ନ କଲେ ବାହାଘର ହେବନାହିଁ । ଶେଷକୁ ବାଧ୍ୟ ହୋଇ ବର ଅଦାଲତର ଆଶ୍ରୟ ନେଲେ । ତାଙ୍କର ଅଭିଯୋଗ କନ୍ୟା ଅନ୍ୟ କେତେଜଣଙ୍କୁ ମଧ୍ୟ ଏମିତି ଠିକିଛନ୍ତି । ଅଦାଲତଙ୍କ ଆଦେଶ ଅନୁସାରେ ପୁଲିସ କନ୍ୟା ବିରୋଧରେ ମାମଲା ରୁଜୁ କରିଛି।