ଏଥର କୋଚ ଚୟନରେ କାମ ଦେବନି କୋହଲିଙ୍କ ମନମାନି : ନୂଆ କୋଚ ବାଛିବ କପିଳଦେବଙ୍କ ଟିମ

412

କନକ ବ୍ୟୁରୋ : କିଏ ହେବ ଟିମଇଣ୍ଡିଆର କୋଚ୍ ? ଭାରତର ବିଶ୍ୱକପ୍ ପରାଜୟ ପରେ ଏବେ ଟିମଇଣ୍ଡିଆ ନୂଆ କୋଚ୍ ଖୋଜୁଥିବା ବେଳେ ଏବେ ସାମ୍ନାକୁ ଆସିଛି ଏଭଳି ଏକ ସୂଚନା । ଏହି ପରିବର୍ତ୍ତନ ଭିତରେ ସବୁଠାରୁ ବଡ଼ ପରିବର୍ତ୍ତନ ହେଲା ନୂଆ କୋଚ ଚୟନ । ତେବେ ଏଥର କୋଚ୍ ଚୟନରେ କୋହଲିଙ୍କ ମନମାନି ଚାଲିବନି ବୋଲି ଜଣାପଡ଼ିଛି । କୋହଲିଙ୍କ ପସନ୍ଦର ବ୍ୟକ୍ତି ହୋଇନପାରନ୍ତି ଟିମଇଣ୍ଡିଆର ପରବର୍ତ୍ତି କୋଚ୍ । ଏଥର କୋଚ୍ ଚୟନ ବେଳେ ଟିମଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲିଙ୍କ ଠାରୁ ନିଆଯିବନି କୌଣସି ପରାମର୍ଶ । ପୁରା କୋଚ୍ ଚୟନ ପ୍ରକ୍ରିୟା କପିଲ୍ ଦେବଙ୍କ ନେତୃତ୍ୱରେ ୩ ଜଣିଆ ପ୍ୟାନେଲ୍ କରିବ ।

ବିସିସିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ ଏଥର କୋଚ୍ ବାଛିବା ବେଳେ କୋହଲିଙ୍କୁ ଏଥିରୁ ଦୂରରେ ରଖାଯିବ । ଏହାର କାରଣ ହଉଛି କୁମ୍ୱଲେଙ୍କ କୋଚ୍ ସମୟର ବିବାଦ ଘଟଣା । ସେତେବେଳେ କୋଚ୍ ଅନୀଲ କୁମ୍ୱଲେ ଓ କୋହଲିଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା, ଶାସ୍ତ୍ରୀଙ୍କ ନିଯୁକ୍ତି ସପକ୍ଷରେ ଯୁକ୍ତି ବାଢିଥିଲେ କୋହଲି । ବିବାଦୀୟ ଢଙ୍ଗରେ କୋଚ୍ ପଦରୁ ବିଦା ହୋଇଗଲେ କୁମ୍ୱଲେ । ଏହା ମଧ୍ୟରେ ବିସିସିଆଇ ନୂଆ କୋଚ୍ ପଦବୀ ପାଇଁ ଆବେଦନ ଆହ୍ୱାନ କରିଛି ।

ଆଇସିସି ବିଶ୍ୱକପ୍ ୨୦୧୯ ସରିବା ସହ ଶାସ୍ତ୍ରୀଙ୍କ କୋଚ୍ ଅବଧି ଶେଷ ହୋଇସାରିଛି । ତେବେ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜକୁ ଧ୍ୟାନରେ ରଖି ଆଉ ୪୫ ଦିନ ଅବଧି ବୃଦ୍ଧି କରିଛି ବିସିିସିଆଇ । ନୂଆ କୋଚ୍ ଚୟନରେ କପିଲ୍ ଦେବଙ୍କ ନିଷ୍ପତି ଚୂଡାନ୍ତ ହେବ ବୋଲି ଜଣାପଡିଛି ।