କନକ ବ୍ୟୁରୋ : ରାଜରାସ୍ତାରେ ଶିକ୍ଷକ । ଦାବି ପୂରଣ ନେଇ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରି ନଥିବାରୁ ଏହାକୁ ବିରୋଧ କରି ଗତକାଲିଠାରୁ ଆନ୍ଦୋଳନ କରୁଛନ୍ତି ଶିକ୍ଷକ ମିଳିତ ମହାସଂଘ । ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପାୟୀଙ୍କୁ ଶ୍ରଦ୍ଧାଂଜଳି ଜଣାଇବା ସହ ଶିକ୍ଷକମାନେ ନିରବ ଆନ୍ଦୋଳନ କରିଛନ୍ତି । ବାଜପେୟୀଙ୍କ ପାଇଁ ଶିକ୍ଷା ପ୍ରାଥମିକତା ହୋଇଥିବା ବେଳେ ଆଜିର ସରକାରଙ୍କୁ ଏହା ହୃଦବୋଧ ଦେବା ଉଚିତ ବୋଲି ଶିକ୍ଷକ ନେତା କହିଛନ୍ତି । ଆସନ୍ତା ୧୮ ତାରିଖ ମଧ୍ୟରେ ଆଲୋଚନାରେ ହୋଇଥିବା ନିଷ୍ପତ୍ତିକାର୍ଯ୍ୟକାରୀ ନହେଲେ ଆନ୍ଦୋଳନ ଜୋରଦାର ହେବ ଏବଂ ସ୍କୁଲରେ ତାଲା ପଡିବ ବୋଲି ଚେତାବନୀ ଦେଇଛି ମିଳିତ ମହାସଂଘ ।
ପୂର୍ବ ନିଷ୍ପତ୍ତି ଅନୁଯାୟୀ ଶିକ୍ଷକ-ଅଧ୍ୟାପକମାନେ ଭୁବନେଶ୍ୱର ରେଳଷ୍ଟେସନ୍ରୁ ଏକ ବିଶାଳ ପଟୁଆରରେ ବିଧାନସଭା ଅଭିମୁଖେ ବାହାରିଥିଲେ । ଗାନ୍ଧୀ ମାର୍ଗ ନିକଟରେ ପୁଲିସ ସେମାନଙ୍କୁ ଅଟକାଇଥିଲା । ସେଠାରେ ମିଳିତ ମଞ୍ଚ ପକ୍ଷରୁ ମହାସମାବେଶ କରାଯାଇଥିଲା। ଏଥିରେ ଯୋଗଦେଇ ମିଳିତ ମଞ୍ଚର ଆବାହକମଣ୍ଡଳୀ ସଦସ୍ୟ ପ୍ରକାଶ ଚନ୍ଦ୍ର ମହାନ୍ତି, ଗୋଲକ ନାୟକ ଓ ପବିତ୍ର ମହାଲା କହିଲେ, ରାଜ୍ୟ ସରକାର ବ୍ଲକଗ୍ରାଣ୍ଟ ପ୍ରଥା ଉଚ୍ଛେଦ କରି ନୂତନ ଅନୁଦାନ ଆଇନ ପ୍ରଣୟନ କରିଛନ୍ତି। କିନ୍ତୁ ୭ ମାସ ହେଲା ଏହି ସର୍ତ୍ତମୂଳକ ଅନୁଦାନକୁ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀମାନେ ଗ୍ରହଣ ନ କରି ପ୍ରତ୍ୟାଖ୍ୟାନ କରିଛନ୍ତି । ଚାକିରି ସର୍ତ୍ତାବଳୀ ନ ଥାଇ ପିଛିଲା ଚାକିରି କାଳକୁ ବାଦ୍ ଦେଇ ଯେଉଁ ଅନୁଦାନ ଆଇନ ସରକାର କରିଛନ୍ତି ତାହା ପୁଣି ଏକ ବ୍ଲକଗ୍ରାଣ୍ଟର ରୂପ ନେବ । ପୂର୍ବଥର ପରି ଏଥର ମଧ୍ୟ ଶିକ୍ଷକଙ୍କୁ ଠକିବା ପାଇଁ ସରକାର ଏଭଳି ଏକ ଅନୁଦାନ ଆଇନ ତିଆରି କରିଛନ୍ତି, ତାହାକୁ ପ୍ରଣୟନ କଲେ ଆଜିଠୁ ଚାକିରି ଆରମ୍ଭ ହେଲା ବୋଲି ଧରିନେବାକୁ ହେବ । ଏହାକୁ ତୁରନ୍ତ ପ୍ରତ୍ୟାହାର କରି ଅନୁଦାନ ଯୋଗ୍ୟ ଦିନଠାରୁ ପୂର୍ଣ୍ଣ ଅନୁଦାନ ସହ ସମସ୍ତ ସୁବିଧା ସୁଯୋଗ ଲାଗୁ କରାଯାଉ ।
ଶିକ୍ଷକମାନଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଉପସଭାପତି କୈଳାସ ଆଚାର୍ଯ୍ୟ ପ୍ରମୁଖ ସମାବେଶ ସ୍ଥଳରେ ପହଞ୍ଚିଥିଲେ । ଯଦି ରାଜ୍ୟ ସରକାର ଦାବି ପୂରଣ କରିବା ଦିଗରେ ପଦକ୍ଷେପ ନ ନିଅନ୍ତି ଆନ୍ଦୋଳନ କରାଯିବ ବୋଲି ମିଳିତ ମଞ୍ଚର ସଭାପତି ପ୍ରକାଶ ଚନ୍ଦ୍ର ଜେନା, ବିନୋଦ ବିହାରୀ ପାଣିଗ୍ରାହୀ, ଗଗନ ବେଉରା, ସତ୍ୟନାରାୟଣ ତ୍ରିପାଠୀ, ଅଟଳ ବିହାରୀ ବଳ, ଅକ୍ଷୟ କୁମାର ମିଶ୍ର, ପ୍ରେମାନନ୍ଦ ଜେନା, ଭିକାରୀ ଚରଣ ସାହୁ, ଶତାବୁଦ୍ଦିନ୍ ଅହମ୍ମଦ ପ୍ରମୁଖ ଚେତାବନୀ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/teacher-strike-768x528.jpg)
/kanak/media/post_attachments/wp-content/uploads/2018/08/teacher-300x200.jpg)
/kanak/media/post_attachments/wp-content/uploads/2017/08/teacher-300x240.jpg)