ମୁଣ୍ଡ ଉପରେ ଯୁକ୍ତ ଦୁଇ ପରୀକ୍ଷା ! ଦାବି ପୂରଣ ନେଇ ଆନ୍ଦୋଳନରେ ମାତିଲେ ଅଧ୍ୟାପକ ଓ କର୍ମଚାରୀ ସଂଘ

29

କନକ ବ୍ୟୁରୋ : ମୁଣ୍ଡ ଉପରେ ଯୁକ୍ତ ଦୁଇ ପରୀକ୍ଷା । ହେଲେ ଆନ୍ଦୋଳନରେ ବସିଛନ୍ତି ଅଧ୍ୟାପକ ଓ ଅଧ୍ୟାପିକା । ମାର୍ଚ୍ଚ ୬ରେ ୩ ଲକ୍ଷ ୮୦ ହଜାର ଛାତ୍ରଛାତ୍ରୀ ଦେବେ ଯୁକ୍ତ ଦୁଇ ପରୀକ୍ଷା । ଚଳିତ ବର୍ଷ ରାଜ୍ୟରେ ୩ଲକ୍ଷ ୮୦ହଜାରରୁ ଅଧିକ ପରୀକ୍ଷାର୍ଥୀ ଯୁକ୍ତ ଦୁଇ ପରୀକ୍ଷା ଦେବେ । ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦର ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି ।

ହେଲେ ଏପଟେ ରାଜଧାନୀ ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି ୪୮୮ ବର୍ଗ ଅଧ୍ୟାପକ ଓ କର୍ମଚାରୀ ସଂଘ । ଦାବି ପୂରଣ ନହେଲେ ପରୀକ୍ଷାରେ ଅସହଯୋଗ କରିବା ପାଇଁ ଜିଦ୍ ଧରି ବସିଛି ସଂଘ । ପୂର୍ଣ୍ଣ ଅନୁଦାନ ନମିଳିବା ପର୍ଯ୍ୟନ୍ତ ସେମାନେ ପରୀକ୍ଷା ଓ ମୂଲ୍ୟାୟନରେ ଅସହଯୋଗ କରିବେ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

ଗତଥର ସରକାର ଓ ବୁଦ୍ଧିଜୀବୀଙ୍କ ଅନୁରୋଧ କ୍ରମେ ସେମାନେ ଆନ୍ଦୋଳନ ପ୍ରତ୍ୟାହୃତ କରି ପରୀକ୍ଷାରେ ସହଯୋଗ କରିଥିଲେ । ହେଲେ ରାଜ୍ୟ ସରକାର ତାଙ୍କ ସହ ଖେଳ ଖେଳୁଛନ୍ତି । ପିଲାଙ୍କ ଭବିଷ୍ୟତର ଦ୍ୱାହି ଦେଇ ଗତଥର ସେମାନଙ୍କୁ ବୁଝାଇ ଦେଇଥିଲେ ସରକାର । ହେଲେ ଏଥର ଦାବି ପୂରଣ ନହେବା ଯାଏ ଲୋୟର ପିଏମଜିରେ ଅହୋରାତ୍ର ଧାରଣାରେ ବସିବେ ବୋଲି କହିଛନ୍ତି ସଂଘର ରାଜ୍ୟ ସଭାପତି ପବିତ୍ର ମହାଲା ।