ଅନ୍ଧାରରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ, ସରକାରୀ ସ୍କୁଲରେ ଶିକ୍ଷକ ମରୁଡି : ସ୍କୁଲ ଖୋଲିବାର ୪ବର୍ଷ ପରେ ବି ହୋଇନି ଶିକ୍ଷକ ନିଯୁକ୍ତି

170

କନକ ବ୍ୟୁରୋ : ସରକାର ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ପିଲାଙ୍କୁ ସ୍କୁଲ ମୁହାଁ କରିବା ପାଇଁ ମଧ୍ୟାହ୍ନ ଭୋଜନ, ପୋଷାକ ପତ୍ର, ଜୋତା, ବ୍ୟାଗ୍ ମଧ୍ୟ ମାଗଣାରେ ଯୋଗାଇ ଦେଉଛନ୍ତି । ହେଲେ ଶିକ୍ଷକ ବିନା କିଭଳି ପାଠ ପଢୁଛନ୍ତି ହାଇସ୍କୁଲ ଛାତ୍ର ଛାତ୍ରୀ ତାହାର ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ଗୁନ୍ଦଳିଆ ପଂଚାୟତରେ ଥିବା ଗୁନ୍ଦଳିଆ ଉଚ୍ଚ ବିଦ୍ୟାଳୟରେ ।

ସରକାରୀ ସ୍କୁଲରେ ଶିକ୍ଷକ ମରୁଡି । ୧୦ଟି ଶ୍ରେଣୀଙ୍କୁ ୭ ଜଣ ଶିକ୍ଷକ । ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ ଙ୍କୁ ପଢାଉଛନ୍ତି ପ୍ରାଇମେରୀ ସ୍କୁଲ ଶିକ୍ଷକ । ବିନା ହାଇସ୍କୁଲ ଶିକ୍ଷକରେ ଚାଲିଛି ବୌଦ୍ଧ ଗୁନ୍ଦଳିଆ ପଂଚାୟତରେ ଥିବା ଗୁନ୍ଦଳିଆ ଉଚ୍ଚ ବିଦ୍ୟାଳୟ । ୪ ବର୍ଷ ତଳୁ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲେ ହେଁ ଏଯାଏଁ ଜଣେ ବି ଶିକ୍ଷକ ନିଯୁକ୍ତି ପାଇ ନାହାନ୍ତି । ପ୍ରାଇମେରି ସ୍କୁଲ ଶିକ୍ଷକଙ୍କ ଭରଷାରେ ଚାଲିଛି ହାଇସ୍କୁଲ ପାଠପଢା ।

ଶିକ୍ଷକ ଅଭାବର ପ୍ରଭାବ ସିଧାସଳଖ ଛାତ୍ରଛାତ୍ରୀଙ୍କ ଉପରେ ପଡ଼ୁଛି । ଯାହାର ପ୍ରମାଣ ମାଟ୍ରିକରେ ଶୂନ ପ୍ରତିଶତ ରେଜଲ୍ଟ । ଶିକ୍ଷକ ଅଭାବରୁ ପାଠପଢା ତ ଯାହା ହେଉଛି ଛାଡ, ଛାତ୍ରଛାତ୍ରୀଙ୍କୁ ବହି ବି ମିଳିନଥିବା ଅଭିଯୋଗ ହୋଇଛି । ଏନେଇ ପ୍ରଧାନଶିକ୍ଷକ ଉଚ୍ଚ କର୍ତୃପକ୍ଷଙ୍କୁ ଜଣାଇଥିଲେ ବି ଫଳ ଶୁନ୍ । ସେପଟେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନ ଉତର ଦେଇ ଜିଲ୍ଲାପାଳ କହିଛନ୍ତି ଯଥାଶୀଘ୍ର ପଦକ୍ଷେପ ନିଆଯିବ ।

ଗୁଣାତ୍ମକ ଶିକ୍ଷାର ଉନ୍ନତି ପାଇଁ ସରକାର ଆଦର୍ଶ ବିଦ୍ୟାଳୟ ଖୋଲୁଛନ୍ତି, କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲକ ବନ୍ଦ କରୁଛନ୍ତି । ହେଲେ ଯେଉଁ ସ୍କୁଲରେ ପିଲା ଅଛନ୍ତି ସେଠି ଶିକ୍ଷକ ନାହାନ୍ତି । ତା ପାଇଁ ଦାୟୀ କିଏ? ନିରକ୍ଷରତା ଦୂରୀକରଣ ନିମନ୍ତେ ସରକାର କରିଥିବା ଯୋଜନା ଯେ, କେତେ ସଫଳ ତାର ଉଦାହରଣ ଏହି ସ୍କୁଲର ଅବ୍ୟବସ୍ଥା ।