ଜନ୍ମଦିନରେ ଅନଶନ ! ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ ଚନ୍ଦ୍ରବାବୁ ନାଇଡୁଙ୍କ ୧୨ ଘଂଟିଆ ଅନଶନ

48

କନକ ବ୍ୟୁରୋ : ଜନ୍ମଦିନରେ ଅନଶନ । ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଆଜି ୧୨ ଘଂଟିଆ ଅନଶନ କରୁଛନ୍ତି । ଅମରାବତୀରେ ଦଳୀୟ ନେତା ଓ କର୍ମୀଙ୍କୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବା ପାଇଁ ଅନଶନରେ ବସିଛନ୍ତି ଚନ୍ଦ୍ରବାବୁ ନାଇଡୁ । ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବା ନେଇ ସଫାସଫା ମନା କରିଦେବା ପରେ ଏହାକୁ ନେଇ ଆନ୍ଧ୍ରର ପ୍ରତିବାଦ ଜୋରଦାର ହୋଇଛି । ଏମିତିକି ଏନଡିଏର ହାତ ଛାଡି ଦେଇଛି ଟିଡିପି । ଆଜି ଅନଶନ ଅବସରରେ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି- ପରିବାର ଅପେକ୍ଷା ରାଜ୍ୟର ସ୍ୱାର୍ଥ ବଡ । ପରିବାର ଲୋକଙ୍କ ଗହଣରେ ସମୟ ବିତାଇବା ଅପେକ୍ଷା ୫କୋଟି ଆନ୍ଧ୍ରବାସିଙ୍କ ସ୍ୱାର୍ଥ ରକ୍ଷା ପାଇଁ ଲଢ଼େଇ କରିବା ଭଲ ।

ସୂଚନାଯୋଗ୍ୟ ‘ରାଜ୍ୟକୁ କେନ୍ଦ୍ରର ଅସହଯୋଗ’ ବିରୋଧରେ ପ୍ରତିବାଦ ଜଣାଇ ଶୁକ୍ରବାର ଦିନ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ଦିନିକିଆ ଅନଶନ ଆରମ୍ଭ କରିଛନ୍ତି । ଆଜି ୬୮ ବର୍ଷରେ ପଦାର୍ପଣ କରୁଥିବା ତେଲୁଗୁ ଦେଶମ୍ ପାର୍ଟିର ମୁଖ୍ୟ ଆଜି ଅନଶନ କରିବେ ବୋଲି ଗତ ସପ୍ତାହରେ ଘୋଷଣା କରି କହିଥିଲେ, ଏପ୍ରିଲ୍ ୨୦ ମୋର ଜନ୍ମଦିନ । ରାଜ୍ୟର ସମସ୍ୟା ଏବଂ କେନ୍ଦ୍ରର ନୀତି ଲାଗି ସେ ଦିନ ମୁଁ ସକାଳୁ ସନ୍ଧ୍ୟା ଯାଏଁ ଉପବାସ ରହିବି । ଏମିତି କରି ମୁଁ କେନ୍ଦ୍ର ବିରୋଧରେ ମୋର ପ୍ରତିବାଦ ଜାହିର କରିବି । ସବୁ ବର୍ଗର ଲୋକ ବିଜୟଓ୍ଵାଡାସ୍ଥିତ ଇନ୍ଦିରା ଗାନ୍ଧୀ ମ୍ୟୁନିସିପାଲ୍ କର୍ପୋରେସନ୍ ଷ୍ଟାଡିୟମରେ ସମବେତ ହୋଇ ମୁଖ୍ୟମନ୍ତ୍ରୀଙ୍କ ‘ନ୍ୟାୟ ପାଇଁ ଲଢ଼େଇ’ରେ ଅଂଶ ଗ୍ରହଣକାରୀ ସାଜିଛନ୍ତି ।

ଜନ୍ମଦିନରେ ପରିବାର ସହ ସମୟ ନ ବିତାଇ ଚନ୍ଦ୍ରବାବୁ ନାଇଡୁ ସକାଳ ୭ଟାରୁ ଯାଇ ଆଇଜିଏମ୍ସି ଷ୍ଟାଡିୟମ୍ରେ ଅନଶନରେ ବସିଛନ୍ତି । ରାଜ୍ୟର ପାଞ୍ଚ କୋଟି ଲୋକଙ୍କ ସ୍ୱାର୍ଥ ରକ୍ଷା ପାଇଁ ସେ ଦିନିକିଆ ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ମହାତ୍ମା ଗାନ୍ଧୀ, ପୋର୍ସନ୍ ଶ୍ରୀମରାମୁଲୁ, ଜ୍ୟୋତି ରାଓ ଫୁଲେଙ୍କୁ ଶ୍ରଦ୍ଧାସୁମନ ଦେଇ ସେ ମଞ୍ଚ ଉପରକୁ ଆସିଥିଲେ । ତାଙ୍କୁ ତିରୁମାଲା ମନ୍ଦିର, କନକ ଦୁର୍ଗା ମନ୍ଦିରର ପୁରୋହିତଙ୍କ ସମେତ ଇସ୍ଲାମ୍, ଖ୍ରୀଷ୍ଟିଆନ୍, ବୌଦ୍ଧ, ଶିଖ୍ ଏବଂ ଜୈନ ସମ୍ପ୍ରଦାୟର ବୟୋଜ୍ୟୋଷ୍ଠମାନେ ଆଶୀର୍ବାଦ ଦେଇଥିଲେ । ତାଙ୍କ ଦଳର କର୍ମୀ, ବିଭିନ୍ନ ଅନୁଷ୍ଠାନର ସଦସ୍ୟ, ଛାତ୍ରଛାତ୍ରୀ, କର୍ମଚାରୀ ଏବଂ ମହିଳାଙ୍କ ସମାରୋହ ଆଡ଼କୁ ଚାହିଁ ଚନ୍ଦ୍ରବାବୁ ନାଇଡୁ ନିରବରେ ବସିଥିଲେ । ଆନ୍ଧ୍ର ପାଇଁ ନ୍ୟାୟ ଲେଖା ଯାଇଥିବା ପ୍ଲାକାର୍ଡ ଧରି ଲୋକେ ମଞ୍ଚ ପାଖରେ ଚଲାବୁଲା କରୁଥିଲେ ।